ପ୍ରଶଂସକଙ୍କ ଗହଣରେ ଜନ୍ମଦିନ ପାଳିଲେ ସବ୍ୟସାଚୀ : ମିଠା ବଦଳରେ ଗଛଟିଏ

Advertisment
ପ୍ରଶଂସକଙ୍କ ଗହଣରେ ଜନ୍ମଦିନ ପାଳିଲେ ସବ୍ୟସାଚୀ : ମିଠା ବଦଳରେ ଗଛଟିଏ

ଭୁବନେଶ୍ୱର : ଅଣତିରିଶିଟି ଶରତକୁ ପାର୍‌ କରିଥିବା ଓଲିଉଡ୍‌ର ଚକ୍‌ଲେଟ୍‌ ହିରୋ ସବ୍ୟସାଚୀ ଆଜି ନିଜ ପ୍ରଶଂସକଙ୍କ ଗହଣରେ ନିଆରା ଢଙ୍ଗରେ ଜନ୍ମଦିନ ପାଳିଛନ୍ତି। ‘ସବ୍ୟସାଚୀ ଫ୍ୟାନ୍‌ କ୍ଲବ୍‌’ ପକ୍ଷରୁ ଏନେଇ ବୁଦ୍ଧ ମନ୍ଦିର ପରିସରରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିଲା। ସବ୍ୟଙ୍କ ଅନେକ ଯୁବ ପ୍ରଶଂସକ ତାଙ୍କୁ ଫୁଲ ଓ ଉପହାର ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ପ୍ରଶଂସକଙ୍କ ଦ୍ୱାରା ସବ୍ୟସାଚୀଙ୍କ ଚଳଚ୍ଚିତ୍ର ସ୍ମୃତିର ଫଟୋକୁ ନେଇ ପ୍ରସ୍ତୁତ ହୋଇଥିବା କେକ୍‌ କଟାଯାଇଥିଲା।

ପ୍ରଶଂସକଙ୍କ ହାତରୁ କେକ୍‌ ଖାଇବା ସହ ନିଜେ ତାଙ୍କର ପ୍ରଶଂସକଙ୍କୁ କେକ୍‌ ଖୁଆଇ ତାଙ୍କ ଜନ୍ମଦିନର ଏହା ସବୁଠୁ ସ୍ମରଣୀୟ ଅନୁଭବ ବୋଲି ସବ୍ୟସାଚୀ କହିଥିଲେ। ଏହି ଅବସରରେ ନିଜର ପ୍ରଶଂସକଙ୍କୁ ମିଠା ବଦଳରେ ୬୦ଟି ନିମ୍ବ ଚାରା ବାଣ୍ଟିଥିଲେ। ସେହି ଚାରାକୁ ସବ୍ୟସାଚୀ ଭାବି ରୋପଣ କରିବା ସହ ତା’ର ଯତ୍ନ ନେବାକୁ ସେ ପ୍ରଶଂସକଙ୍କୁ ନିବେଦନ କରିଥିଲେ। ଏହି ଗଛଗୁଡ଼ିକ ପ୍ରେରଣା ପକ୍ଷରୁ ଯୋଗାଇ ଦିଆଯାଇଥିଲା। ପ୍ରେରଣାର ମୁଖ୍ୟ ଡ.ଦିଲ୍ଲୀପ ଶ୍ରୀଚନ୍ଦନ ଏବଂ ଓଡ଼ିଶା ବୀର ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନଙ୍କ ସମେତ ପ୍ରଣୟ ଜେଠୀ ଏବଂ ବହୁ ପ୍ରଶଂସକଙ୍କ ଉପସ୍ଥିତିରେ ଜନ୍ମଦିନ ପାଳିତ ହୋଇଥିଲା।

ସବ୍ୟସାଚୀ ନିଜ ଜନ୍ମଦିନରେ ସେ ପ୍ରଦାନ କରୁଥିବା ନିମ୍ବ ଗଛର ଯତ୍ନ ନେବାକୁ ସଂକଳ୍ପ କରାଇଥିଲେ। ସେ ପ୍ରତିବର୍ଷ ନିଜ ଜନ୍ମଦିନରେ ଏହିଭଳି ଚାରା ବଣ୍ଟନ କରିବେ ବୋଲି କହିଥିଲେ। ସେ କହିଥିଲେ ଯେ ପ୍ରଶଂସକମାନେ ନିଜ ବାଡ଼ିରେ ନିମ୍ବ ଗଛର ଯତ୍ନ ନେଲେ ମୋ ପ୍ରତି ପ୍ରକୃତ ଭଲ ପାଇବା ଅଛି ବୋଲି ମୁଁ ଭାବିବି। ପ୍ରଶଂସକମାନେ ମଧ୍ୟ ସବ୍ୟସାଚୀଙ୍କୁ ତାଙ୍କ ଜନ୍ମଦିନରେ ପାଇ ତାଙ୍କ ସହ ସେଲ୍‌ଫି ନେଇଥିଲେ। ସବ୍ୟସାଚୀଙ୍କ ନାମ ବାରମ୍ବାର ଉଚ୍ଚାରଣ କରି ଦୀର୍ଘ ଜୀବନ କାମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe