ଭୁବନେଶ୍ବର: ମାନସିକ ନଡ଼ିଆ। ଭକ୍ତଟିଏ ନିଜର ଅସହ୍ୟ ଦୁଃଖକୁ ଯେତେବେଳେ ଛାତିରେ ଧରି ରଖିବାକୁ ଅସମର୍ଥ ହୁଏ, ଠାକୁରାଣୀଙ୍କୁ ନଡ଼ିଆ ମନାସିଥାଏ। ଆଶା କରିଥାଏ, ନଡ଼ିଆ ପାଇ ମା’ ତା’ ଦୁଃଖ ହରିନେବେ। ପରିବାରକୁ ବିପତ୍ତିରୁ ଘଣ୍ଟ ଘୋଡ଼ାଇ ରଖିବେ। ମାତ୍ର କରୋନା ପାଇଁ ତାଲା ବନ୍ଦ ପରଠୁ ଦୁଃଖୀର ମାନସିକ ନଡ଼ିଆ ଠାକୁରାଣୀଙ୍କ ପାଖରେ ପହଞ୍ଚି ପାରିନାହିଁ। କେଉଁଠି ରାସ୍ତାକଡ଼ରେ ତ ଆଉ କେଉଁଠି ବସ୍ ଷ୍ଟାଣ୍ଡରେ ମାନସିକ ନଡ଼ିଆ ଗଦେଇ ହୋଇପଡ଼ିଛି।
ମହାମାରୀ ପାଇଁ ଦୀର୍ଘ ୬ମାସ ଧରି ମା’ଙ୍କୁ ଯଚା ହୋଇଥିବା ନଡ଼ିଆକୁ ନେବା ପାଇଁ ମଧ୍ୟ ବସ୍ଚାଳକମାନେ କରୋନା ଭୟରେ ହାତ ମାରୁନାହାନ୍ତି। ରାସ୍ତା କଡ଼ରେ ପଡ଼ି ଭକ୍ତର ଭାବାବେଗକୁ କୁଠାରଘାତ ଦେଉଥିବା ଏହି ମାନସିକ ନଡ଼ିଆକୁ ଠାକୁରାଣୀଙ୍କ ପାଖକୁ ପଠାଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। ଭୁବନେଶ୍ବରର ବରମୁଣ୍ଡା, ଫାୟାର ଷ୍ଟେସନ, ସିଆର୍ପି ଛକ, ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକ, ଚଣ୍ଡିଖୋଲ, ପାଣିକୋଇଲି ଆଦି ଜାଗାରୁ ପ୍ରାୟ ୩୫ ହଜାରରୁ ଊର୍ଦ୍ଧ୍ବ ନଡ଼ିଆକୁ ଦୁଇଟି ଟ୍ରକ୍ କରି ଘଟଗାଁ ପଠାଇଛନ୍ତି। ଏହି ୩୦୦ ବସ୍ତା ନଡ଼ିଆ ପଠାଇ ସବ୍ୟସାଚୀ କେବଳ ଯେ ଖାଲି ଭକ୍ତର ଦୁଃଖ ହାରି ନାହାନ୍ତି ତା’ ସହିତ ସବୁଜ ସୁନ୍ଦର ସହରଟିଏ ଗଢ଼ିବା ଦିଗରେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ତେବେ ଏ ନେଇ ସବ୍ୟସାଚୀ କହିଛନ୍ତି, ଭକ୍ତଙ୍କ ଭରସା ମା’ଙ୍କ ନିକଟରେ ପହଞ୍ଚାଇ ସେ ଖୁବ୍ ଆନନ୍ଦିତ ଅଛନ୍ତି।
Follow Us