ଉଜୁଡ଼ିଗଲାଣି ସହିଦନଗର ଓଏମ୍‌ସି ପାର୍କ, ଅସନ୍ତୋଷ ପ୍ରକାଶ କଲେ ବରିଷ୍ଠ ନାଗରିକ

Advertisment
ଉଜୁଡ଼ିଗଲାଣି ସହିଦନଗର ଓଏମ୍‌ସି ପାର୍କ, ଅସନ୍ତୋଷ ପ୍ରକାଶ କଲେ ବରିଷ୍ଠ ନାଗରିକ

ଭୁବନେଶ୍ବର : ସହିଦନଗର ଓଏମ୍‌ସି ପାର୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସବୁ ବର୍ଗର ନାଗରିକ, ବିଶେଷକରି ବରିଷ୍ଠ ନାଗରିକମାନଙ୍କ ଆମୋଦପ୍ରମୋଦ ପାଇଁ ଉଦ୍ଦିଷ୍ଟ ଏହି ପାର୍କର ବହୁ ଉପକରଣ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଛି। ତେଣୁ ଏହା ଏବେ ଆଉ ମନୋରଞ୍ଜନର ସ୍ଥାନ ହୋଇ ରହିନାହିଁ। ସବୁ ବ୍ୟବସ୍ଥା ଉଜୁଡ଼ି ଯାଇଥିବାରୁ ବରିଷ୍ଠ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

publive-image
ବିଡିଏ ପକ୍ଷରୁ ଏହି ପାର୍କରେ ପିଲାମାନଙ୍କ ପାଇଁ ଖେଳଣା ଉପକରଣ ଲଗା ଯାଇଥିବା‌ ବେଳେ ଅନ୍ୟମାନଙ୍କ ପାଇଁ ମୁକ୍ତାକାଶ ବ୍ୟାୟାମର ମଧ୍ୟ ବ୍ୟବସ୍ଥା ରହିଛି। ମାତ୍ର ଏବେ ରକ୍ଷାଣାବେକ୍ଷଣ ଅଭାବରୁ ବହୁ ବ୍ୟାୟାମ ଉପକରଣ ଓ ପିଲାଙ୍କ ଖେଳଣା ଉପକରଣ ଅକାମୀ ହୋଇଗଲାଣି। ବଡ଼ କଥା ହେଉଛି ନିୟମିତ ସଫେଇ ହେଉନଥିବାରୁ ପାର୍କ ଭିତର ପରିବେଶ ବେଶ୍ କଦର୍ଯ୍ୟ ଅବସ୍ଥାରେ ରହୁଛି। ଘାସ କଟା ହେଉନଥିବାରୁ ବଣଜଙ୍ଗଲିଆ ଅବସ୍ଥା ସୃଷ୍ଟି ହୋଇଛି। ଘାସ ଗାଲିଚା ଓ ଗଛମାନଙ୍କ ରକ୍ଷଣାବେକ୍ଷଣ କରାଯାଉନାହିଁ। ପାର୍କରେ ପଡ଼ିଥିବା ଟାଇଲ୍‌ ଉପରେ ଶିଉଳି ଲାଗିଗଲାଣି। ସ୍ଥାନେ ସ୍ଥାନେ ଟାଇଲ୍‌ ଉଠିଗଲାଣି। ଫଳରେ ବରିଷ୍ଠ ନାଗରିକମାନେ ଚଲାବୁଲା କଲା ବେଳେ ଝୁଣ୍ଟୁଛନ୍ତି। ଚେୟାରଗୁଡ଼କ ଭାଙ୍ଗିଗଲାଣି। ତେଣୁ ଟିକେ ଆରାମରେ ବସିବା ପାଇଁ ସୁବିଧା ନାହିଁ। ଅଧିକାଂଶ ଲାଇଟ୍ ଜଳୁନାହିଁ। ଫଳରେ ସନ୍ଧ୍ୟା ହେଲେ ପାର୍କ ଭିତରକୁ ପଶିବାକୁ ଭୟ ଲାଗୁଛି।

ବଣୁଆ ସ୍ଥାନରେ ସରିସୃପମାନଙ୍କ ଭୟ ସାଙ୍ଗକୁ ଅନ୍ଧାରିଆ ପରିବେଶ ପାଇଁ ଅସାମାଜିକ ତତ୍ତ୍ବଙ୍କ ଭୟ ରହୁଛି ବୋଲି ବରିଷ୍ଠ ନାଗରିକମାନେ କହିଛନ୍ତି। ବାରମ୍ବାର ଅଭିଯୋଗ ପରେ ବି ଏଠାରେ ଝାଡ଼ୁ ମରା ହେଉନାହିଁ ବୋଲି ଅଭିଯୋଗ ହେଉଛି। ବରିଷ୍ଠ ନାଗରିକ ନିଶାକର ରାଉତ କହିଛନ୍ତି ଯେ ସକାଳ ବେଳା ଶହେରୁ ଦୁଇ ଶହ ଲୋକ ପ୍ରାତଃଭ୍ରମଣ କରିବାକୁ ଆସୁଛନ୍ତି। କିନ୍ତୁ ପରିବେଶକୁ ଭୟ କରି ସଂଧ୍ୟାରେ ୫୦ରୁ ଅଧିକ ଲୋକ ବି ଆସୁନାହାନ୍ତି। ପୂର୍ବତନ କର୍ପୋରେଟର ଉମାକାନ୍ତ ମିଶ୍ରଙ୍କ କହିବା କଥା ଏ ନେଇ ବିଡିଏକୁ ଲେଖି ଜଣାଇବା ପରେ ବି କିଛି କାମ ହେଉନାହିଁ। କିନ୍ତୁ ବିଡିଏ ଅଧିକାରୀ ଅଶୋକାନନ୍ଦ ଧୀରଙ୍କ କହିବା କଥା ଏହି ପାର୍କର ଦାୟିତ୍ବ ସ୍ମାର୍ଟ ସିଟିକୁ ଦିଆଯାଇଛି। ତେବେ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗକୁ ଦେଖି ଖୁବ୍‌ ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe