ସୈନିକ ସ୍କୁଲ ସ୍ଥାନାନ୍ତର ପ୍ରସଙ୍ଗ: ନୂଆ ଭିତ୍ତିଭୂମି ପାଇଁ ୧୫୦ କୋଟିର ଲଲିପପ୍‌

ସୈନିକ ସ୍କୁଲ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ୨୦୦ ଏକର ଜମି ଯୋଗାଇବେ। ସହର ବାହାରେ ସ୍କୁଲ ନିର୍ମାଣ ପ‌ାଇଁ ଆବଶ୍ୟକୀୟ ଜମି ସହ ଭିତ୍ତିଭୂମି ବିକାଶ କରିବାକୁ ୧୫୦ କୋଟି ଟଙ୍କା ପ୍ରଦାନ କରିବେ।

dfdfvcv

ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ୨୦୦ ଏକର ଜମି ଯୋଗାଇବେ। ସହର ବାହାରେ ସ୍କୁଲ ନିର୍ମାଣ ପ‌ାଇଁ ଆବଶ୍ୟକୀୟ ଜମି ସହ ଭିତ୍ତିଭୂମି ବିକାଶ କରିବାକୁ ୧୫୦ କୋଟି ଟଙ୍କା ପ୍ରଦାନ କରିବେ। ବିଦ୍ୟାର୍ଥୀଙ୍କ ଶିକ୍ଷା, କ୍ରୀଡ଼ା ସହ ‌ସେଠାରେ ସମସ୍ତ ପ୍ରକାର ଅନୁଷଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ ହେବ। ଭୁବନେଶ୍ବର ଆଇଆଇଟି, ନାଇଜର୍‌ କିମ୍ବା ଏମ୍‌ସ ନିକଟରେ ଥିବା ସରକାରୀ ଜମି ମଧ୍ୟରୁ ଯେଉଁଠି ଉପଯୁକ୍ତ ହେବ ତାହାକୁ ସୈନିକ ସ୍କୁଲକୁ ଦିଆଯିବ। ଯଦି ସେଠାରେ ଉପଯୁକ୍ତ ଜମି ନ ମିଳେ ତେବେ ଚନ୍ଦକା ଅଞ୍ଚଳରେ ଥିବା ୨୦୦ ଏକରରୁ ଅଧିକ ଜମି ମାଗଣାରେ ପ୍ରଦାନ କରାଯିବ। ସୈନିକ ସ୍କୁଲ ଜମି ହାତେଇବାକୁ ପୂର୍ତ୍ତ ବିଭାଗ ଅଧିକାରୀମାନେ ଏଭଳି ପ୍ରତିଶ୍ରୁତି ଅଜାଡ଼ି ଦେଇଛନ୍ତି। କଳେବଳେ କୌଶଳେ ୧୦୦୦ କୋଟିରୁ ଅଧିକ ଟଙ୍କାର ସୈନିକ ସ୍କୁଲ ଜମିକୁ କରାୟତ୍ତ କରିବାକୁ ପୂର୍ତ୍ତ ବିଭାଗର ବାବୁମାନେ ଯେଉଁ ଚକ୍ରାନ୍ତ କରିଛନ୍ତି ତାହାର ଗୋଟିଏ ପରେ ଗୋଟିଏ ଗୁମର ଏବେ ସାମ୍ନାକୁ ଆସୁଛି। 

ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ଆଞ୍ଚଳିକ ସୁରକ୍ଷା ମଞ୍ଚ
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପତ୍ର

ସେପଟେ ସୈନିକ ସ୍କୁଲ ସ୍ଥାନାନ୍ତର ବିରୋଧରେ ଦିନକୁ ଦିନ ସ୍ବର ବଢ଼ିବାରେ ଲାଗିଛି। ଭୁବନେଶ୍ବର ଆଞ୍ଚଳିକ ସୁରକ୍ଷା ମଞ୍ଚ ଏନେଇ ଆଜି ରାଜ୍ୟପାଳଙ୍କ ସମେତ ରାଷ୍ଟ୍ରପତିଙ୍କ ସଚିବ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପତ୍ର ଲେଖିଛି। ମଞ୍ଚ ଦର୍ଶାଇଛି ଯେ ୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିବା ସୈନିକ ସ୍କୁଲକୁ ୨୨୪ ଏକର ଜମି ମାଗଣାରେ ମିଳିଥିଲା। ଏହି ଶିକ୍ଷାନୁଷ୍ଠାନର ଛାତ୍ରମାନେ ନେତା, ପ୍ରଶାସକ, ସୈନିକ ହୋଇ ରାଜ୍ୟ ତଥା ଦେଶ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି। ଶୈକ୍ଷିକ ବାତାବରଣ ମଧ୍ୟରେ ଶିକ୍ଷା ଗ୍ରହଣ କରୁଥିବା ଏଠାକାର ଛାତ୍ରମାନେ ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ପୁରାତନ ଛାତ୍ରମାନଙ୍କୁ ଏହି ଅନୁଷ୍ଠାନ ଯୋଡ଼ି ରଖିବା‌ରେ ସକ୍ଷମ ହୋଇଛି। ଏଭଳି ଏକ ଶିକ୍ଷାନୁଷ୍ଠାନକୁ ଅନ୍ୟତ୍ର ଉଠାଇବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାଦ୍ବାରା କେବଳ ଶୈକ୍ଷିକ ବାତାବରଣ ପ୍ରଭାବିତ ହେବ ନାହିଁ, ବରଂ ଅଞ୍ଚଳର ଗୌରବ ନଷ୍ଟ ହୋଇଯିବ।

ରାସ୍ତା ସମ୍ପ୍ରସାରଣ ପାଇଁ ମାତ୍ର ୪୦୦ ମିଟର ରାସ୍ତାର ଆବଶ୍ୟକତା ରହିଛି, ଯାହାକି ସହଜରେ ଉପଲବ୍ଧ ହୋଇପାରିବ। ନହେଲେ ଓଭରବ୍ରିଜ୍‌ କରାଯାଇପାରେ। ତାହା ନ କରି ହଜାର କୋଟିରୁ ଅଧିକ ଟଙ୍କାର ଜମି ହାତେଇବାକୁ ରାଜ୍ୟ ସରକାର ରାସ୍ତା ନିର୍ମାଣ ବାହାନା ଆଦୌ ଠିକ୍‌ ନୁହେଁ। ମଞ୍ଚ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ ଅଳିଆଗଦା ହଟାଇପାରୁ ନ ଥିବାରୁ ସୈନିକ ସ୍କୁଲ ସ୍ଥାନାନ୍ତର କରି ଅଳିଆ ଗଦା ସମ୍ପ୍ରସାରଣ କରିବାକୁ ମସୁଧା କରୁଛନ୍ତି। ଅଳିଆ ଗଦା ହଟାଇ ଗୋଲାପ ବଗିଚା କରିବାକୁ ପ୍ରତିଶ୍ରୁତି ଦେଇଥିବା ସରକାର ସମ୍ପୂର୍ଣ୍ଣ ଅଞ୍ଚଳକୁ ଦୁର୍ଗନ୍ଧରେ ଭସାଇବାକୁ ଯେଉଁ ଚକ୍ରାନ୍ତ କରୁଛନ୍ତି ତାହାକୁ ସଫଳ ହେବାକୁ ଦିଆଯିବ ନାହିଁ। ଆମ ପରିଚୟ ନଷ୍ଟ କରିବାକୁ ଦେବୁ ନାହିଁ। ଯଦି ସରକାର ବାଧ୍ୟବାଧ୍ୟକତାରେ ଜମି ନେବାକୁ ଚେଷ୍ଟା କରନ୍ତି ତାହା ହେଲେ ରାଜରାସ୍ତାରେ ଲଢ଼େଇ ହେବ। ସୈନିକ ସ୍କୁଲରେ ୫୦୦ କୋଟିରୁ ଅଧିକ ଟଙ୍କାର ଭିତ୍ତିଭୂମି ଭାଙ୍ଗି ମାତ୍ର ୧୫୦ କୋଟି ଟଙ୍କାରେ ନୂଆ କ୍ୟାମ୍ପସ ନିର୍ମାଣ ହାସ୍ୟାସ୍ପଦ। ବହୁରୂପୀ ଏଣ୍ଡୁଅ ରଙ୍ଗ ବଦେଳେଇବା ଭଳି ସରକାର କଥା ବଦଳାଉଛନ୍ତି। ସୈନିକ ସ୍କୁଲ ଜମି ନେବା ପରେ ତାହାକୁ ଏକ କମ୍ପାନିକୁ ୧୦ ମହଲା କୋଠା ନିର୍ମାଣ କରିବାକୁ ପ୍ରଦାନ କରିବାକୁ ଡିଲ୍‌ କରିଥିବା ଶୁଣାଯାଉଛି। ଏଭଳି କରି ରାଜ୍ୟ ସରକାର ଆମ ଧର୍ଯ୍ୟ ପରୀକ୍ଷା କରନ୍ତୁ ନାହିଁ। ନହେଲେ ଆଗାମୀ ଦିନରେ ଏହାର କଡ଼ା ଜବାବ ଦିଆଯିବ ବୋଲି ମଞ୍ଚର ଉପଦେଷ୍ଟା ରସାନ୍ତ ସାହୁ, ସରୋଜ ଜେନା, ପୂର୍ଣ୍ଣ ପାତ୍ର, ବିଶ୍ୱଜିତ୍‌ ପଟ୍ଟନାୟକ, ଅଶୋକ ସେଠୀ, ଆନଦା ମାର୍ଥା, ଗାଡ଼କଣ ବରିଷ୍ଠ ନାଗରିକ କମିଟି ସଭାପତି ସୁର ପାତ୍ର, ଅର୍ଜୁନ ସାହୁ, କୀର୍ତିରଞ୍ଜନ ନନ୍ଦ ପ୍ରମୁଖ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe