ବନ୍ଦ ହେଲା ‘ସାକ୍ଷର ଭାରତ’

Advertisment
ବନ୍ଦ ହେଲା ‘ସାକ୍ଷର ଭାରତ’

ଭୁବନେଶ୍ୱର : ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନାରେ ଆରମ୍ଭ ହୋଇଥିବା ‘ସାକ୍ଷର ଭାରତ’ ଯୋଜନା ଆଉ ଚାଲିବ ନାହିଁ। କେନ୍ଦ୍ର ସରକାର ଦୁଇଟି ପର୍ଯ୍ୟାୟରେ ଏହାର ଅବଧିକୁ ଗତ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ହେଲେ ଗତ ୨ ତାରିଖରେ ନୂଆଦିଲ୍ଲୀରେ ବସିଥିବା ସାକ୍ଷର ଭାରତ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଯୋଜନାର କାର୍ଯ୍ୟକାଳ ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେଣୁ କେନ୍ଦ୍ର ସରକାର ଏବାବଦ ଅର୍ଥ ଆଉ ଦେବାର ସମ୍ଭାବନା ନ ଥିବା ଜଣାପଡ଼ିଛି।

ଆଦୌ ଲେଖାପଢ଼ା ଜାଣି ନ ଥିବା ଓ ଅଳ୍ପ ଲେଖିପଢ଼ି ଜାଣିଥିବା ୧୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଲାଗି ୨୦୦୯ରେ କେନ୍ଦ୍ର ସରକାର ସାକ୍ଷର ଭାରତ ଯୋଜନା ଆରମ୍ଭ କରିଥିଲେ। ଦେଶର ୩୨୮ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାର ୧୯ଟି ଜିଲ୍ଲାକୁ ଏଥିରେ ସାମିଲ ହୋଇଥିଲା। ଅନୁଗୁଳ, ବୌଦ୍ଧ, ବରଗଡ଼, ଦେବଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର, କଳାହାଣ୍ଡି, ବଲାଙ୍ଗିର ଓ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟକ୍ରମ ଚାଲିଥିଲା।

ସାକ୍ଷର ଯୋଜନାରେ ପାଠ ପଢ଼ାଇବା ଲାଗି ଗାଁ ଗହଳିରେ ପ୍ରେରକ ଓ ସଂଯୋଜକମାନେ ନିଯୁକ୍ତ ହୋଇଥିଲେ। ସେମାନଙ୍କ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉଥିଲେ। ଏବେ ଆଉ ଅର୍ଥ ମିଳିବ ନାହିଁ। ଏନେଇ ରାଜ୍ୟ ସାକ୍ଷରତା ମିସନ ପକ୍ଷରୁ ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି। ଏହି ଯୋଜନାରେ କେନ୍ଦ୍ର ସରକାର ଆଉ ଅର୍ଥ ଦେବାର ସମ୍ଭାବନା ନ ଥିବାରୁ ସାକ୍ଷର ଭାରତ ଯୋଜନା ଚଳାଇବା କଷ୍ଟକର ହୋଇପଡ଼ିବ ବୋଲି ରାଜ୍ୟ କର୍ତୃପକ୍ଷ ଜିଲ୍ଲାପାଳମାନଙ୍କୁ କହିଛନ୍ତି। ସୂଚନାଯୋଗ୍ୟ ଯେ ଜାତୀୟସ୍ତରରେ ସାକ୍ଷର ଭାରତ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଯେଉଁ ୮ଟି ରାଜ୍ୟ ଖରାପ ପ୍ରଦର୍ଶନ କରିଥିଲେ ସେଥିମଧ୍ୟରେ ଓଡ଼ିଶା ସ୍ଥାନ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe