ସମବାୟ ସପ୍ତାହ ଉଦ୍‌ଯାପିତ : ‘ସମବାୟ ଭାରତର ମେରୁଦଣ୍ଡ’

ସମବାୟ ସପ୍ତାହ ଉଦ୍‌ଯାପିତ : ‘ସମବାୟ ଭାରତର ମେରୁଦଣ୍ଡ’

ଭୁବନେଶ୍ୱର : ସମବାୟ ଭାରତର ମେରୁଦଣ୍ଡ। ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ସମବାୟ ପ୍ରମୁଖ ଭୂମିକା ନେଇଛି। କୃଷକ ହେଉ କି ଶ୍ରମିକ ସମସ୍ତେ ସମବାୟ ସହାୟତାରେ ଆଗକୁ ବଢ଼ିଛନ୍ତି। ସମବାୟ ସପ୍ତାହ ପାଳନ ଅବସରରେ ଅଧିକରୁ ଅଧିକଙ୍କୁ ସାମିଲ କରି ଦେଶର ପ୍ରଗତିରେ ସହଭାଗୀ ହେବା ପାଇଁ ସମବାୟ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଜୟଦେବ ଭବନ ପରିସରରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ ପକ୍ଷରୁ ୬୬ ତମ ନିଖିଳ ଭାରତ ସମବାୟ ସପ୍ତାହର ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା ପ୍ରକାଶ କରିଛନ୍ତି।

ମୁଖ୍ୟବକ୍ତା ଭାବେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡ. ଅରୁଣ ସାହୁ ଯୋଗଦେଇ କହିଥିଲେ, ସମବାୟ ଦ୍ବାରା ରାଜ୍ୟର ଚାଷୀ ଆଗେଇ ପାରିଛନ୍ତି। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ଦୁଗ୍ଧ ‌ଚାଷ କ୍ଷେତ୍ରରେ ରାଜ୍ୟ ଅଗ୍ରଣୀ ଭୂମିକା ନେଇପାରିଛି। ବର୍ତ୍ତମାନ ଯେଉଁ ଆର୍ଥିକ ମାନ୍ଦାବସ୍ଥା ଚାଲିଛି ଏହାକୁ ପରିବର୍ତ୍ତନ କରିବା ପାଇଁ ସମବାୟ ହିଁ ପ୍ରମୁଖ ଭୂମିକା ନେଇ ପାରିବ ବୋଲି ସେ କହିଥିଲେ।

ଉତ୍ସବରେ ସଭାପତିତ୍ବ କରିଥିଲେ ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍ ସଭାପତି ହେମନ୍ତ ନାୟକ। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍‌ ସଭାପତି ଅକ୍ଷୟ ମହାନ୍ତି, ସମବାୟ ସମିତି ସମୂହ ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍‌ ପରିଚାଳନା ନିର୍ଦ୍ଦେଶକ ଦେବେନ୍ଦ୍ର ଜେନା, ୟୁନିଅନ୍‌ର ସନ୍ଧ୍ୟାରାଣୀ ଲାକ୍ରା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଏକ ସ୍ମରଣିକା ଓ ସମବାୟ ସମାଚାର ଉନ୍ମୋଚିତ ହୋଇଥିଲା। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୧ଟି ବିଭାଗରେ ସମବାୟ ସମିତି ଓ ଅନ୍ୟ ସମବାୟ ଅନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ସମବାୟ ୟୁନିଅନ୍‌ ସମ୍ପାଦକ ମନୋରଞ୍ଜନ ନାୟକ ଧନ୍ୟବାଦ ଦେଇଥିଲେ।

ସମବାୟରେ ସଂସ୍କାରର ଆବଶ୍ୟକତା ରହିଛି: କୃଷି ମନ୍ତ୍ରୀ
ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିବା ମନ୍ତ୍ରୀ ଡ. ଅରୁଣ ସାହୁ କହିଥି‌ଲେ, କୃଷକଙ୍କ ପ୍ରଗତି ଓ ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ସମବାୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ସମବାୟ ଦ୍ବାରା ଚାଷୀମାନେ ଯେତେ ଲାଭବାନ ହେବା କଥା ହେଉଛନ୍ତି ତ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଥିଲେ, ଲୋକଙ୍କର କିଣିବାର କ୍ଷମତା କମି ଯାଇଛି। ମାନ୍ଦାବସ୍ଥା ଚାଲିଛି। ବଡ଼ ବଡ଼ ଶିଳ୍ପସଂସ୍ଥାରେ ଛଟେଇ ଚାଲିଛି। ବେକାରୀ ହୁ ହୁ ହୋଇ ବଢ଼ୁଛି। ଏହି ପରିସ୍ଥିତିରୁ ରାଜ୍ୟକୁ ମୁକାଳିବା ପାଇଁ ସମବାୟ ତା’ର ଭୂମିକା ନିଭାଉଛି ତ? ନା ଖାଲି କାଗଜପତ୍ର ଓ ଟାବୁଲାର ଫର୍ମରେ ଧାର୍ଯ୍ୟ ଲକ୍ଷ୍ୟ ଓ ଲକ୍ଷ୍ୟ ପୂରଣର ହିସାବ ନିକାଶ କରୁଛି? ଯେଉଁ ଟାର୍ଗେଟ୍‌ ପୂରଣ କରାଯାଉଛି ସେଥିରେ କେତେ ନୂଆ ଚାଷୀ ଲାଭବାନ ହୋଇଛନ୍ତି? ନା ଖାଲି ବଡ଼ବଡ଼ିଆଙ୍କୁ ମୋଟା ଅଙ୍କର ଋଣ ଦେଇ ଟାର୍ଗେଟ ପୂରଣ କରାଯାଉଛି?

ସମୀକ୍ଷା ମୁତାବକ, ରାଜ୍ୟରେ ୧୫ ଲକ୍ଷ ମହୁମାଛି ଦଳ ତିଆରି କରାଯାଇ ପାରିବ। କିନ୍ତୁ ମାତ୍ର ଏକ ଲକ୍ଷ ତିଆରି ହୋଇଛି। ଆଉ ୧୪ ଲକ୍ଷ ସମ୍ଭାବନା ଥାଇ ମଧ୍ୟ ଏହା ଉପରେ ସମବାୟ ବିଭାଗ ବିଚାର କରିନାହିଁ। ବିଭାଗ ନୂଆ ନୂଆ କ୍ଷେତ୍ରରେ ଋଣ ଦେଉଛି ନା କେବଳ ପାରମ୍ପରିକ ଢଙ୍ଗରେ ଚାଲିଛି? ସମବାୟରେ ସଂସ୍କାରର ଆବଶ୍ୟକତା ରହିଛି। ମୁଁ କାହାକୁ ଦୋଷାରୋପ କରୁନାହିଁ। ବରଂ ସମସ୍ତେ କାନ୍ଧ ଲଗାଇଲେ ଦେଶ ଆଗକୁ ଯିବ ବୋଲି ସେ ଅଧିକାରୀ ତଥା ବିଭିନ୍ନ ସମିତିର ନିର୍ବାଚିତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ। ମନ୍ତ୍ରୀଙ୍କ ଏଭଳି ରୋକ୍‌ଠେକ୍‌ କଥା ଅନେକ ଅଧିକାରୀଙ୍କୁ ଏକପ୍ରକ‌ାର ଅଡ଼ୁଆରେ ପକାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe