‘ସମ୍ବାଦ’ ପ୍ରଭାବ: ଶିକ୍ଷାନୁଷ୍ଠାନ ନିକଟରୁ ଉଚ୍ଛେଦ ହେଲା ୧୧୧ ଦୋକାନ

‘ସମ୍ବାଦ’ ପ୍ରଭାବ: ଶିକ୍ଷାନୁଷ୍ଠାନ ନିକଟରୁ ଉଚ୍ଛେଦ ହେଲା ୧୧୧ ଦୋକାନ

ଚନ୍ଦ୍ରଶେଖରପୁର: ଖବର ପ୍ରକାଶ ପରେ ଚେତିଲା କମିସନରେଟ ପୁଲିସ। ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ନିକଟରେ ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ଜାଣିଥିଲେ ସୁଦ୍ଧା ନିରବ ରହିଥିବା ପୁଲିସ ଆଜି ହଠାତ୍‌ ସକ୍ରିୟ ହୋଇଉଠିଥିଲା। କମିସନରେଟ୍ ପୁଲିସ୍‌ର ବରିଷ୍ଠ ଅଧିକାରୀଙ୍କ ଆଦେଶରେ ଆଜି ଜୋନ୍-୬ ଏସିପି ତରୁଣ କୁମାର ଦାସ ଓ ଇନ୍‌ଫୋସିଟି ଥାନା ଆଇଆଇସି ବିଶ୍ବଜିତ୍ ମହାନ୍ତିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ଉଚ୍ଛେଦ ଅଭିଯାନ। ଇନ୍‌ଫୋସିଟି ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରୁ ପ୍ରଥମ ପର୍ଯ୍ୟାୟରେ ୧୧୧ଟି ଉଠାଦୋକାନ ଓ ଠେଲାକୁ ଉଚ୍ଛେଦ କରାଯାଇଛି। ବିଡିଏ କିମ୍ବା ବିଏମ୍‌ସି ଅଧିକାରୀଙ୍କ ବିନା ସହାୟତାରେ ପୁଲିସ ଏକାକୀ ଏହି ଉଚ୍ଛେଦ କରିଥିଲା। ସିଲିକନ୍ ଛକ, ସୃଷ୍ଟି ଏକାଡେମି ଗଳି, ସିଟିଟିସି, କିମ୍‌ସ ହସ୍ପିଟାଲ୍ ସମ୍ମୁଖ ଓ କିଟ୍ ବିଶ୍ବବିଦ୍ୟାଳୟ ରାସ୍ତା କଡ଼ ଉଠାଦୋକାନୀଙ୍କୁ ହଟାଇ ଦିଆଯାଇଛି। ପ୍ରାୟ ୩ ପ୍ଲାଟୁନ୍ ପୁରୁଷ ଓ ମହିଳା ପୁଲିସ ଦଳ ସହ ବୁଲ୍‌ଡୋଜର୍‌ ସହାୟତାରେ ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଉଚ୍ଛେଦ।

କଲେଜ୍ ଛକରେ ପାନ ଦୋକାନ, ଜଳଖିଆ ଦୋକାନ, ହୋଟେଲ ଓ ଠେଲା ପକାଇ ନିଶା ବ୍ୟବସାୟ କରୁଥିବା ଦୋକାନୀଙ୍କୁ ପୁଲିସ୍ ଟାର୍ଗେଟ କରିଛି। ବିଭିନ୍ନ ସମୟରେ ଉକ୍ତ ଅଞ୍ଚଳରୁ ଅନେକ ପୁରୁଷ ଓ ମହିଳା ବ୍ୟବସାୟୀଙ୍କୁ ବ୍ରାଉନସୁଗାର ଓ ଗଞ୍ଜେଇ ବ୍ୟବସାୟ କରୁଥିବା ଅଭିଯୋ‌ଗରେ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ଅଭିଯୁକ୍ତ ଜେଲ୍‌ରୁ ମୁକୁଳି ପୁଣି ନିଜ କାରବାର କରୁଥିବା ଦେଖାଯାଇଛି। ଫଳରେ ନିଶା ବ୍ୟବସାୟକୁ ଶିକ୍ଷାନୁଷ୍ଠାନ ନିକଟରୁ ମୂଳପୋଛ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରିଛି ଇନ୍‌ଫୋସିଟି ଥାନା ପୁଲିସ। ଉକ୍ତ ସ୍ଥାନରୁ ନିଶା କାରବାର ନହଟିବା ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ ବୋଲି ଆଇଆଇସି ଶ୍ରୀ ମହାନ୍ତି କହିଛନ୍ତି। ଆଜି ଉଚ୍ଛେଦ ବେଳେ ସାମାନ୍ୟ ଉତ୍ତେଜନା ଦେଖାଯାଇଥିଲା। ସୂଚନାଯୋଗ୍ୟ, ‌ମଙ୍ଗଳବାର ‘ନିଶା କବଳରେ ଶିକ୍ଷା ହବ୍’ ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଯାହାର ପ୍ରଭାବ ଆଜି ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe