ସମ୍ବାଦ ପ୍ରଭାବ: ଅଧିକାରୀଙ୍କ ଚେତା ପଶିଲା, କଟକଣା ନ ମାନିଲେ ଇଟାଭାଟି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Advertisment
ସମ୍ବାଦ ପ୍ରଭାବ: ଅଧିକାରୀଙ୍କ ଚେତା ପଶିଲା, କଟକଣା ନ ମାନିଲେ ଇଟାଭାଟି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

IndiaMART Business Directory

ବାଲିଅନ୍ତା: ଲକ୍‌-ଡାଉନ୍‌ ସତ୍ତ୍ବେ ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ଅନେକ ଇଟାଭାଟି ଚାଲିଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ଶ୍ରମ ବିଭାଗ, ତହସିଲ ପ୍ରଶାସନ, ବ୍ଲକ୍‌ ପ୍ରଶାସନ ଓ ଥାନା ଅଧିକାରୀଙ୍କ ଚେତା ପଶିଛି। ଆଇନ ଉଲ୍ଲଂଙ୍ଘନ କରି ଇଟାଭାଟି ଚଳାଇଲେ, ସଂପୃକ୍ତ ଭାଟି ମାଲିକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂପୃକ୍ତ ଅଧିକାରୀମାନେ କହିଛନ୍ତି। ଏନେଇ ଆଜି ପୂର୍ବାହ୍ନରେ ଦାୟିତ୍ବରେ ଥିବା ଅଧିକାରୀମାନେ କେତେକ ଇଟାଭାଟିରେ ଅତର୍କିତ ଚଢ଼ଉ କରି କାମ ବନ୍ଦ କରିଥିଲେ। ତେବେ ଏସବୁ ସତ୍ତ୍ବେ ଥାନାଠାରୁ ମାତ୍ର ୨୦୦ ମିଟର ଦୂର ପଥରକୋଟଠାରେ ଗୋଟିଏ ଚିମିନି ଭାଟି ମାଲିକ କାର୍ଯ୍ୟ ଜାରି ରଖିଥିବା ନେଇ ସୂଚନା ମିଳିଛି।

ଜିଲ୍ଲା ଶ୍ରମ ଅଧିକାରୀ ଅମ୍ବିକା ପ୍ରସାଦ ମିଶ୍ରଙ୍କ ସୂଚନାନୁଯାୟୀ, ଏ ସଂପର୍କରେ ଖବର ପାଇବା ପରେ ସେ ଆଜି ପୂର୍ବାହ୍ନରେ ଏହାର ତଦନ୍ତ କରି ଟାଇଗର, ଶିବା, ଅଗ୍ନି, ମେଘା, ଅମ୍ବିକା, ଇନ୍ଦ୍ର, ବିପିଡି, କେବିଆର୍‌ବି ଆଦି ଭାଟିରେ ଚଢ଼ଉ କରି କାମ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାଲିପାଟଣା ବ୍ଲକରେ ଥିବା ଆଉ ୩ଟି ଇଟାଭାଟି ବନ୍ଦ କରିବା ପାଇଁ ମାଲିକମାନଙ୍କୁ ଚିଠି କରାଯାଇଥିବା ସେ କହିଛନ୍ତି। ବିଡିଓ ଆଦିକନ୍ଦ ବେହେରାଙ୍କ ସୂଚନାନୁଯାୟୀ, ବାଳକାଟି ଅଞ୍ଚଳରେ ଥିବା ଇଟାଭାଟି କାମ ବନ୍ଦ କରିବା ନେଇ ସେ ବାଳକାଟି ଫାଣ୍ଡି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି। ମନା କରିବା ସତ୍ତ୍ବେ ଯଦି କାର୍ଯ୍ୟ ଚାଲେ, ତା’ ହେଲେ ଭାଟି ମାଲିକମାନଙ୍କୁ ଗିରଫ କରାଯିବ ବୋଲି ତହସିଲ ପ୍ରଶାସନ ତରଫରୁ ତାଗିଦ୍‌ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କରୋନା ସଂକ୍ରମଣ ‌ନହେବା ଲାଗି ଭାଟି ମାଲିକମାନେ ଶ୍ରମିକମାନଙ୍କୁ ସଚେତନ କରାଇବା ସହ ଖାଇବା ପିଇବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରିବେ ବୋଲି ଶ୍ରମ ଅଧିକାରୀ ଶ୍ରୀ ମିଶ୍ର ସ୍ପଷ୍ଟ କରିଛନ୍ତି। ଏଥିପ୍ରତି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe