‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷ‌ରୋପଣ

Advertisment
‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷ‌ରୋପଣ

ଚନ୍ଦ୍ରଶେଖରପୁର: ବୃକ୍ଷ ବିନା ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ। ଏ ଉକ୍ତିର ଗୁରୁତ୍ବ ବୁଝି ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗର ମହିଳାମାନେ ଉଜୁଡ଼ା ଗ୍ରାମ୍ୟ ଜଙ୍ଗଲରେ ପୁଣିଥରେ ସବୁଜିମା ଫେରାଇ ଆଣିବାକୁ ଶପଥ ନେଇଛନ୍ତି। ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଏକାଧିକ ସ୍ବୟଂସହାୟକ ଗୋଷ୍ଠୀର ମହିଳାଙ୍କ ସମେତ କଳିଙ୍ଗ ସିନେ ଆର୍ଟସ୍‌ ଫାଉଣ୍ଡେସନ୍‌ ସଦସ୍ୟମାନଙ୍କ ସହଯୋଗରେ ଦାରୁଠେଙ୍ଗ ନିକଟ ଜୁଝଗଡ଼ ଭୀମ ମନ୍ଦିର ପାହାଡ଼ ପାଦଦେଶରେ ବ୍ୟାପକ ଚାରାରୋପଣ କରାଯାଇଛି। ଜୀବଜନ୍ତୁଙ୍କ କବଳରୁ ଗଛକୁ ସୁରକ୍ଷା ଦେବା ଲାଗି ଗଛ ଚାରିପାଖରେ ବାଉଁଶ ବାଡ଼ ମଧ୍ୟ ଦେଇଛନ୍ତି। ସେମାନଙ୍କ କହିବା କଥା ହେଲା, କିଛି ବର୍ଷ ହେଲା ସହରର ସବୁଜିମା ଉଜୁଡ଼ିବାରେ ଲାଗିଛି।

ବାତ୍ୟା ସମୟରେ ଉପୁଡ଼ିଥିବା ଗଛର ଏଯାବତ୍‌ ଭରଣା ହୋଇପାରିନାହିଁ। ଏବେ ବିକାଶମୂଳକ କାର୍ଯ୍ୟ ଲାଗି ଯେଉଁଭଳି ଗଛ କଟା ଚାଲିଛି, ସେଥିରେ ରୋକ୍‌ ନ ଲାଗିଲେ ଭବିଷ୍ୟତରେ ବିପଦ ସୃଷ୍ଟି ହେବ। ତେଣୁ ସମସ୍ତେ ମିଳିମିଶି ବ୍ୟାପକ ବୃକ୍ଷରୋପଣ କଲେ ଆସନ୍ନ ବିପତ୍ତିରୁ ରକ୍ଷା ପାଇ ହେବ। ପରିଣତ ବୟସରେ ପହଞ୍ଚିଥିଲେ ମଧ୍ୟ ଭବିଷ୍ୟତ ପିଢ଼ିଙ୍କ ପାଇଁ ହାତରେ କୋଦାଳ, ଶାବଳ ଧରି ବୃକ୍ଷରୋପଣ କରିବାକୁ ଆଗେଇ ଆସିଥିବା ଦୁଇ ମହିଳା ଧୀର ଦେଇ ଓ ରତନି କାଣ୍ଡି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। କାର୍ଯ୍ୟକ୍ରମରେ ଦାରୁଠେଙ୍ଗ ସହ କିସ୍‌ ଅଞ୍ଚଳ, ପଥରଗାଡ଼ିଆ, ଅଳସୁଆ, ସମାଜସେବୀ, ଛୋଟ ପିଲାମାନେ ସାମିଲ ହୋଇ ନିମ୍ବ, ଜାମୁ, ଅର୍ଜୁନ, ବଉଳ, ଓସ୍ତ ଆଦି ଚାରାରୋପଣ କରିଛନ୍ତି। ଓମ୍‌ ସାଇ ରାମ୍‌ ଏସ୍‌ଏଚ୍‌ଜି, ଭଗବତ ଗୋସାଇଁ ଏସ୍‌ଏଚ୍‌ଜି, ଅନ୍ନପୂର୍ଣ୍ଣା ଏସ୍‌ଏଚ୍‌ଜି, ଧନଲକ୍ଷ୍ମୀ ଏସ୍‌ଏଚ୍‌ଜିର ମହିଳା, କଳିଙ୍ଗ ସିନେ ଆର୍ଟସ୍‌ ଫାଉଣ୍ଡେସନ୍‌ର ବିନୋଦ ଭୋଇ, ସସ୍ମିତା କାଣ୍ଡି, ଝୁନୁ ଭୋଇ, ରମ୍ଭା କାଣ୍ଡି, ପାର୍ବତୀ ବେହେରା ପ୍ରମୁଖ ସାମିଲ ହୋଇଥିଲେ। ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ କେଶବ ପାଣି, ବିଦ୍ୟାଧର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe