‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ପଳାସୁଣି ବିଜୁପଟ୍ଟନାୟକ ଖେଳ ପଡ଼ିଆ‌ରେ ବୃକ୍ଷରୋପଣ

‘ସୁସ୍ଥ ସମାଜ ଗଠନରେ ପରିବେଶର ଭୂମିକା ଗୁରୁତ୍ବପୂର୍ଣ୍ଣ’

‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ପଳାସୁଣି ବିଜୁପଟ୍ଟନାୟକ ଖେଳ ପଡ଼ିଆ‌ରେ ବୃକ୍ଷରୋପଣ

ଭୁବନେଶ୍ବର: ଭାଷା ବିନା ସାହିତ୍ୟର ସତ୍ତା ନାହିଁ। ତେଣୁ ଭାଷାକୁ ବଞ୍ଚାଇବାକୁ ହେଲେ, ତା’ର ପ୍ରଚାରପ୍ରସାର କରିବାକୁ ହେବ। ଠିକ୍‌ ସେମିତି, ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସବୁଜ ସୁନ୍ଦର କରିବାକୁ ପଡ଼ିବ। ସେହି ପରିବେଶର ସୁରକ୍ଷା ପାଇଁ ‘ସମ୍ବାଦ ସାହିତ୍ୟଘର’ ଏକ ସଂକଳ୍ପ ନେଇ ସାରା ଓଡ଼ିଶାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଆସୁଛି। ‘ସମ୍ବାଦ’ ମହାନଗର ଟିମ୍‌ ସହଯୋଗରେ ଆଜି ପଳାସୁଣିସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅନୁଷ୍ଠାନର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଯୋଗଦେଇ ଏହା କହିଛନ୍ତି।

କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଶ୍ରୀମତୀ ଲେଙ୍କା କହିଥିଲେ ଯେ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଗତ ୨୦୧୯ ମସିହାରେ ସାରା ଓଡ଼ିଶାର ୩୧୪ବ୍ଲକରେ ୩୦ ହଜାର ଗଛ ଲଗାଯାଇଥିଲା। ଗତବର୍ଷ କରୋନା କାଳରେ ମଧ୍ୟ ୧୮ହଜାର ଗଛ ଲଗାଯାଇଥିଲା। ସେହିପରି ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହ ବନ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୨୦ ହଜାର ଗଛ ଲଗା ଗଲାଣି। ଆଗକୁ ମଧ୍ୟ ଏହି ମହତ୍‌ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀମତୀ ଲେଙ୍କା କହିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ଯୋଗଦେଇ କହିଥିଲେ ଯେ ‘ସମ୍ବାଦ’ କେବଳ ସତେଜ ଖବର ପରିବେଷଣ କରୁଥିବା ରାଜ୍ୟର ସର୍ବାଧିକ ପଠିତ ଖବରକାଗଜ ନୁହେଁ, ବରଂ ଏହାର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କ ଉଦ୍ୟମ‌ରେ ଏହା ଏକ ସାମାଜିକ, ସାଂସ୍କୃତିକ ଗଣଆନ୍ଦୋଳନରେ ପରିଣତ ହୋଇପାରିଛି। ସମ୍ବାଦ ପକ୍ଷରୁ ଅନୁଷ୍ଠିତ ଭାଷାଜ୍ଞାନ ପ୍ରତିଯୋଗିତା ଓ ରକ୍ତଦାନ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଅତ୍ୟନ୍ତ ଲୋକପ୍ରିୟ ହୋଇସାରିଛି। ଆଉ ଏକ ପଦକ୍ଷେପ ସ୍ବରୂପ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ ପରି ଏକ ମହତ୍‌ କାର୍ଯ୍ୟର ପରିକଳ୍ପନା କରାଯାଇଛି। ଚଳିତବର୍ଷ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ୩୬୦ ‘ସମ୍ବାଦ ସାହିତ୍ୟଘର’ ଶାଖା ପକ୍ଷରୁ ମୋଟ ୬୦ ହଜାର ଗଛ ଲଗାଯିବା ପାଇଁ ସଂକଳ୍ପ ନିଆଯାଇଛି। ପରିବେଶବିତ୍‌ ତଥା ସମ୍ବାଦପ୍ରେମୀଙ୍କ ସହଯୋଗରେ ଏହି ଟା‌େର୍ଗଟ୍‌କୁ ଆମେ ନିଶ୍ଚିତ ରୂପେ ହାସଲ କରିପାରିବା ବୋଲି ଶ୍ରୀ ଦାସ ଆଶାବ୍ୟକ୍ତ କରିଥିଲେ।

publive-image

ସମାଜସେବୀ ତଥା ପଳାସୁଣି ଗ୍ରାମ୍ୟ କମିଟି ଉପସଭାପତି ରମେଶ ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଗଛ ବଞ୍ଚିଲେ, ଆମେ ବଞ୍ଚିବା। ଗଛ ବିନା ଜୀବଜଗତର ସ୍ଥିତି ଅସମ୍ଭବ। ଗଛ ଆମକୁ ଫୁଲ, ଫଳ ସହ ଅମ୍ଳଜାନ ମଧ୍ୟ ଯୋଗାଇଥାଏ। ତେଣୁ ସମସ୍ତେ ଗଛ ଲଗାଇବା ସହ ବଡ଼ ହେବା ପର୍ଯ୍ୟନ୍ତ ତା’ର ଯତ୍ନ ନେବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ ‘ସମ୍ବାଦ ସାହିତ୍ୟଘର’ର ଏହି ଅଭିନବ ଉଦ୍ୟମକୁ ପ୍ରଶଂସା କରିଥିଲେ। ‌ସେହିପରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ଥାନୀୟ ୨୦ଟି ସ୍ବୟଂ ସହାୟକ ଗୋ‌ଷ୍ଠୀର ପ୍ରତିନିଧି ଓ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ସଞ୍ଜୟ ରଥ, ମାନସୀ ଶତପଥୀ, ଆଇନଜୀବୀ ଭକ୍ତବନ୍ଧୁ ଦାସ, ଡ. ସନ୍ତୋଷ ତ୍ରିପାଠୀ, ବିଭୂତି ଭୂଷଣ ମିଶ୍ର, ଶରତ କର, ପଣ୍ଡିତ କେଦାରେଶ୍ୱର ମିଶ୍ର, ସଦାଶିବ ଜେନା, ପୂର୍ବତନ କର୍ପୋରେଟର୍‌ ପ୍ରତାପ ରାଉତ, କାଶୀନାଥ ସାହୁ, ନିମାଇଁ ପଣ୍ଡା, ସୌଦାମିନୀ ସାହୁ, ମନୋରଞ୍ଜନ ମିଶ୍ର, ଅଶୋକ ସ୍ୱାଇଁ, ନିହାର ରଞ୍ଜନ ବିଶ୍ୱାଳ, କୁଞ୍ଜ ବିହାରୀ ନାୟକ, ବିଶ୍ବରଂଜନ ବେହେରା, ରଶ୍ମିରଂଜନ ରାଉତ, ପରିବେଶବିତ୍‌ ସୁଶାନ୍ତ ସାହୁ, ବିଷ୍ଣୁପ୍ରିୟା ସ୍ବାଇଁ, ପ୍ରଭାସିନୀ ସାହୁ, ଅନ୍ନପୂର୍ଣ୍ଣା ସାହୁ, ପୂଜାରାଣୀ ଜେନା, କଳ୍ପନା ଜେନା, ଭାବିନୀ ନାୟକ, ଗାୟତ୍ରୀ ବାଡ଼ତିଆ, ତ୍ରିନାଥ ଗୌଡ଼, କୁନିଲତା ଦାସ, ପୁଷ୍ପଲତା ସାହୁ, ଜ୍ୟୋତ୍ସ୍ନାରାଣୀ ମିଶ୍ର, କୁମାରୀ ରାୟ, ଶୁଭାଶିଷ ସାହୁ, ଅଞ୍ଜନ ସାହୁ, ପ୍ରସନ୍ନ ସାହୁ, ସୁକାନ୍ତ କମାର ସାହୁ, ସନ୍ତୋଷ ସାହୁ, ନରଣ ଲେଙ୍କା ଓ ସ୍ଥାନୀୟ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଅଭିକ୍ଷା ଫାଉଣ୍ଡେସନ୍‌ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ‘ସମ୍ବାଦ’ ଉପମହାପ୍ରବନ୍ଧକ (ବାର୍ତ୍ତା) ଗୌତମବୁଦ୍ଧ ଦାସ ପ୍ରାରମ୍ଭିକ ବିବରଣୀ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ‘ସମ୍ବାଦ’ର ସ୍ଥାନୀୟ ସାମ୍ବାଦିକ ଦେବାଶିଷ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe