ବେଜବରୁଆ ଐତିହ୍ୟ କୋଠି ପୁନରୁଦ୍ଧାର, ଆସାମ ସରକାର ଦେଲେ ୫୦ଲକ୍ଷ

Advertisment

20

20

ବେଜବରୁଆ ଐତିହ୍ୟ କୋଠି ପୁନରୁଦ୍ଧାର, ଆସାମ ସରକାର ଦେଲେ ୫୦ଲକ୍ଷ

ଭୁବନେଶ୍ବର: ସାହିତ୍ୟରଥୀ ବେଜବରୁଆଙ୍କ ଐତିହ୍ୟ କୋଠିର ସୁରକ୍ଷା ଓ ପୁନରୁଦ୍ଧାରର ସମସ୍ତ ଖର୍ଚ ବହନ କରିବେ ଆସାମ ସରକାର। ସମ୍ବଲପୁର ସହର ଦେଇ ଯାଇଥିବା ମହାନଦୀ କୂଳରେ ଏକ ଘରେ ବେଜବରୁଆ ୧୯୧୭ରୁ ୧୯୩୨ ମସିହା ପର୍ଯ୍ୟନ୍ତ ରହିଥିଲେ। କାଳକ୍ରମେ ସେଇ କୋଠି ଭାଙ୍ଗିରୁଜି ଯାଇଥିବାରୁ ପୁନରୁଦ୍ଧାରର ଆବଶ୍ୟକତା ଥିଲା। ସ୍ମୃତିରକ୍ଷା ପାଇଁ ଏହି ପୀଠର ସଂରକ୍ଷଣ ଜରୁରି ହୋଇପଡ଼ିଥିବା ବେଳେ ଏଥିପାଇଁ ପ୍ରଥମ କିସ୍ତିରେ ଆସାମ ସରକାର ୫୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଆସାମ ସରକାରଙ୍କ ସଂସ୍କୃତି ସଚିବ ପ୍ରୀତମ ସାଇକିଆ ଏଇ ନିଷ୍ପତ୍ତି ସଂକ୍ରାନ୍ତରେ ଓଡ଼ିଶା ସଂସ୍କୃତି ବିଭାଗକୁ ଅବଗତ କରିଛନ୍ତି। ପ୍ରଥମ କିସ୍ତି ବାବଦକୁ ଏହି ଅର୍ଥ ଯୋଗାଇ ଦିଆଯାଇଥିବା ବେଳେ ଅବଶିଷ୍ଟ ଅର୍ଥ ମଧ୍ୟ ଆସାମ ସରକାର ବହନ କରିବା ନେଇ ଶ୍ରୀ ସାଇକିଆ ସୂଚନା ଦେଇଛନ୍ତି।

ଦିନେ ସମ୍ବଲପୁର ଜିଲ୍ଲା ପ୍ରଶାସନ ବେଜବରୁଆଙ୍କ ଘର ଭାଙ୍ଗି ସେଇ ବାଟ ଦେଇ ରାସ୍ତା ନିର୍ମାଣ ପାଇଁ ଯୋଜନା କରିଥିଲା। ଏହା ଜାଣିବା ପରେ ବେଜବରୁଆ ସ୍ମୃତି ରକ୍ଷା ସମିତି ଓ ଅନ୍ୟ ସାଂସ୍କୃତିକ ସଂଗଠନ ଏହାର ପ୍ରତିବାଦ କରିଥିଲେ। ସ୍ମୃତିରକ୍ଷା ସମିତିର ସଦସ୍ୟମାନଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସି ଭେଟିବା ପରେ ଏହାର ସଂରକ୍ଷଣ ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ। ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଐତିହ୍ୟ କୋଠିର ସଂରକ୍ଷଣ ପାଇଁ ଇନ୍‌ଟାକ୍‌କୁ ଦାୟିତ୍ବ ଦେଇଥିଲେ। ଏଥିପାଇଁ ଇନ୍‌ଟାକ୍‌ ସମ୍ମତି ପ୍ରକାଶ କରିବା ସହ ଚୂଡ଼ାନ୍ତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିସାରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଆସାମ ସରକାରଙ୍କ ଏକ ପ୍ରତିନିଧିଦଳ ଚଳିତ ମାସ ୧ ତାରିଖରେ ଏ ବିଷୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ଏହି ପ୍ରତିନିଧିଦଳ ପ୍ରଶଂସା ମଧ୍ୟ କରିଥିଲେ। ଗୌହାଟୀର ଏସ୍‌ଏଲ୍‌ବିଏସ୍‌ଆର୍‌ଏସ୍‌ର ସଭାପତି ପି.କେ ଚୌଧୁରୀ ଇନ୍‌ଟାକ୍‌ ସହାୟତାରେ ଓଡ଼ିଶା ସରକାରଙ୍କ ଦ୍ବାରା କରାଯାଇଥିବା ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe