ବାରଙ୍ଗ: ନନ୍ଦନକାନନ ପ୍ରଣୀ ଉଦ୍ୟାନର ଅଣ୍ଡିରା ହିମାଳୟ ଭାଲୁ ‘ଶମ୍ଭୁ’(୩୦) ଓ ଦେଶୀ ଅଣ୍ଡିରା ଭାଲୁ ବାଙ୍କୀ(୧୪)ଅସୁସ୍ଥ। ଏନେଇ ନନ୍ଦନକାନନ କର୍ତୃପକ୍ଷ ଓ ଚିକିତ୍ସକ ଏବେ ଚିନ୍ତାରେ। ବାଙ୍କୀର ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ଭାଲୁ ଦୁଇଟି ପ୍ରାୟ ୨ ମାସ ହେଲା ଖାଦ୍ୟ ଗ୍ରହଣ କରୁ ନାହାନ୍ତି। ଖାଦ୍ୟ ପ୍ରତି ସେମାନଙ୍କର ଆଗ୍ରହ ରହୁ ନଥିବା ଦେଖାଯାଇଛି। ଉଭୟ କେବଳ ଆଖୁ ରସ ଓ ପାଣି ପିଇ ରହୁଛନ୍ତି। ରୋଗ ପ୍ରତିରୋଧକ ଓ ପାକ କ୍ରିୟା ଠିକ୍ ରଖିବା ଲାଗି ଦିଆଯାଉଥିବା ଲିଭର ଟନିକ୍ ମଧ୍ୟ କାମ କରୁ ନାହିଁ। ଦିନକୁ ଦିନ ସେମାନେ ଦୁର୍ବଳ ହେବା ସହିତ ଓଜନ ମଧ୍ୟ ହ୍ରାସ ପାଉଛି। ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ବୈଷୟିକ କମିଟିର ସହାୟତା ଲୋଡ଼ାଯାଇଛି। ଓୟୁଏଟିର ବିଶେଷଜ୍ଞ ଚିକିତ୍ସକ ଭାଲୁ ଦୁଇଟିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ପରାମର୍ଶ ଦେବା ପରେ ମେଡିସିନ୍ ଦିଆଯିବ। ଦେଶୀ ଭାଲୁ ବାଙ୍କୀକୁ କ୍ୱାରେନ୍ଟାଇନ୍ ମଧ୍ୟରେ ରଖି ଚିକିତ୍ସା କରାଯାଉଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ ଆଜି ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ୱାରେନ୍ଟାଇନ୍କୁ ସ୍ଥାନାନ୍ତର କରାଯାଇଛି। ୨୦୦୬ରେ ବାଙ୍କୀ ଅଞ୍ଚଳରୁ ଉଦ୍ଧାର ହୋଇଥିବାରୁ ତାର ନାଁ ବାଙ୍କୀ ରଖାଯାଇଛି। ଏବେ ନନ୍ଦନକାନନରେ ମୋଟ ୧୫ଟି ଦେଶୀ ଭାଲୁ ଅଛନ୍ତି। ସେହିପରି ୧୬ ‘ଖ’ଖୁଆଡ଼ ମଧ୍ୟରେ ରହୁଛି ‘ଶମ୍ଭୁ’। ୧୯୮୮ରେ ନନ୍ଦନକାନନର ମାଈ କଳା ହିମାଳୟ ଭାଲୁ ବୁଲୁ ଓ ଅଣ୍ଡିରା ନାଲୁଙ୍କ ମିଳନରୁ ତାର ଜନ୍ମ। ଏବେ ନନ୍ଦନକାନନରେ ମୋଟ ୫ଟି କଳା ହିମାଳୟ ଭାଲୁ ଅଛନ୍ତି।
ଶମ୍ଭୁ ଖାଉନି, ବାଙ୍କୀ ଆଇସିୟୁରେ
Advertisment
Follow Us