ଭୁବନେଶ୍ବର : ରାଜଧାନୀରେ ଆବଶ୍ୟକତା ମୁତାବକ ବାଲି ମିଳୁନାହିଁ। ଦିନକୁ ୬ଶହରୁ ୮ଶହ ଟ୍ରିପ୍ ବାଲି ଆବଶ୍ୟକ ଥିବାବେଳେ ଏବେ ମାତ୍ର ଦେଢ଼ ଶହ ଟ୍ରିପ୍ ବାଲି ମିଳୁଛି। ଆଉ ଏଭଳି ବାଲି ସଂକଟର ଫାଇଦା ନେଇ ଘାଟମାଲିକ ଟ୍ରିପ୍ ପିଛା ମନଇଛା ଦରରେ ବାଲି ବିକୁଛନ୍ତି। ଯେଉଁଠି ପୂର୍ବରୁ ଗୋଟିଏ ଟ୍ରିପ୍ ବାଲିର ମୂଲ୍ୟ ୩ ହଜାର ଟଙ୍କା ଥିଲା, ଏବେ ତାହା ୬ହଜାରରେ ପହଞ୍ଚିଲାଣି। ଖାଲି ଏତିକି ନୁହେଁ; କେହି କେହି ବାହାରୁ ଚୋରାରେ ବାଲି ଆଣି ଆକଶଛୁଆଁ ଦରରେ ବିକୁଛନ୍ତି।
ପ୍ରତିଦିନ ରାଜଧାନୀରେ ନୂଆନୂଆ କୋଠା ସାଙ୍ଗକୁ ସରକାରୀ, ବେସରକାରୀ ନିର୍ମାଣ କାମ ବି ଚାଲିଛି। ବାଲି ଅଭାବ ଯୋଗୁଁ ସାଧାରଣ ଲୋଙ୍କଠାରୁ ଆରମ୍ଭ କରି ଠିକାଦାର ପର୍ଯ୍ୟନ୍ତ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଉ କାନନାକ ମୋଡ଼ି ବାଲି ମାଫିଆ ଓ ଘାଟମାଲିଙ୍କଠାରୁ ଚଢ଼ାଦରରେ ବାଲି କିଣୁଛନ୍ତି। ବାଲି ସଂକଟର ମୁଖ୍ୟ କାରଣ ହେଲା, ରାଜଧାନୀର ଭୁବନେଶ୍ବର ତହସିଲ ଓ ବାଲିଅନ୍ତା ତହସିଲ ଅଧୀନରେ ଥିବା ୧୦ଟି ବାଲିଘାଟ ମଧ୍ୟରୁ ଏବେ କେବଳ ଗୋଟିଏ ଚାଲୁ ରହିଛି। ବାକି ୯ଟି ଘାଟ ବନ୍ଦ ରହିଛି। ଭୁବନେଶ୍ବର ତହସିଲ ଅଧୀନରେ ପାଣ୍ଡରା ଓ କେଶୁରା ଦୁଇଟି ଘାଟ ଥିଲା। ରାଜଧାନୀ ବିଭିନ୍ନ ନିର୍ମାଣ କାମକୁ ବାଲିର ଆବଶ୍ୟକତା ଦେଖି ଏଠାରେ ଆଉ ୩ଟି, କଲ୍ୟାଣପୁରରେ ୨ଟି ଓ ଗଣ୍ଡରପୁରରେ ଗୋଟିଏ ନୂଆ ଘାଟ କରାଗଲା। ମାତ୍ର ଗତ ଫେବ୍ରୁଆରିରୁ ପାଣ୍ଡରା ଓ ଜୁନ୍ରୁ କେଶୁରା ଘାଟର ଲିଜ୍ ସରିଯିବାରୁ ବନ୍ଦ ରହିଛି। ସେମିତି ନୂଆ ୩ଟି ଘାଟକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁମତି ନମିଳିବାରୁ ଖୋଲି ପାରିନାହିଁ।
ସେହିପରି ବାଲିଅନ୍ତା ଅଧୀନରେ ଥିବା ୫ଟି ଘାଟରୁ ପ୍ରତାପରୁଦ୍ରପୁର, ଝିଇଁଟି ଶାସନ, କାକରୁଦ୍ରପୁର, ମହୁଖଣ୍ଡା ଘାଟ ୪ଟି ବନ୍ଦ ଥିବା ବେଳେ କେବଳ ଟଙ୍କପାଣି ରୋଡ୍ ଘାଟକୁ ଅନୁମତି ଦିଆଯାଇଛି। ଏଥିମଧ୍ୟରୁ ୩ଟି ଘାଟ ଖୋଲିବା ପାଇଁ ଅନୁମତି ଥିଲେ ବି ବର୍ଷା ଯୋଗୁଁ ବନ୍ଦ ରହିଛି। ରାଜଧାନୀ ପାଇଁ ପ୍ରତିଦିନ ୬ଶହରୁ ୮ଶହ ଟ୍ରିପ୍ ବାଲି ଆବଶ୍ୟକ ଥିବା ବେଳେ ଟଙ୍କପାଣି ଘାଟରୁ ଅତି ବେଶିରେ ୧୫୦ ଶହ ଟ୍ରିପ୍ ବାଲି ମିଳୁଛି। ଆହୁରି ସାଢ଼େ ୪ଶହରୁ ସାଢ଼େ ୬ଶହ ଟ୍ରିପ୍ ବାଲି ନିଅଣ୍ଟ ପଡ଼ୁଛି। ରାଜଧାନୀରେ ନିର୍ମାଣ କାର୍ଯ୍ୟ ପାଇଁ ବାଲି ମିଳୁନଥିବାରୁ କଟକ ଉପରେ ନିର୍ଭର କରିବାକୁ ପଡ଼ୁଛି। ଫଳରେ ଘର କରିବା ଲାଗି ସାଧାରଣ ଲୋକ ଏବଂ ଅନ୍ୟ କୌଣସି ନିର୍ମାଣ କାମ ପାଇଁ ଠିକାଦାର ବାଲି ପାଇଁ ନାକେଦମ୍ ହେଉଛନ୍ତି। ଏବେ ସମସ୍ତଙ୍କୁ ଚଢ଼ାଦରରେ ବାଲି କିଣିବାକୁ ପଡ଼ୁଛି। ଯାହାକୁ ନେଇ ଏବେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏ ସମସ୍ୟାର ନିରାକରଣ କରା ନଗଲେ ରାଜଧାନୀରେ ନିର୍ମାଣ କାର୍ଯ୍ୟ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।
Follow Us