Kalinga TV
ଭୁବନେଶ୍ବର: ବହୁ ବାଦ ବିବାଦ ଓ ପ୍ରତିବାଦ ପରେ ଆସନ୍ତାକାଲି ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଯିବ। ମାତ୍ର ଏହି ପୁରସ୍କାର ଗ୍ରହଣ କରିବେ ନାହିଁ ବରିଷ୍ଠ ମହିଳା ଚିତ୍ରଶିଳ୍ପୀ ଶୈଳବାଳା ନାୟକ। ଏକା ସମୟରେ ୨୦୧୫ ମସିହା ଲାଗି ଶ୍ରୀମତୀ ନାୟକ ଓ ତାଙ୍କ ସ୍ବାମୀ ବିଶିଷ୍ଟ ଚିତ୍ରଶିଳ୍ପୀ ଚନ୍ଦ୍ରମଣି ବିଶ୍ବାଳ ଏକାଡେମି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଲଳିତ କଳା ପ୍ରତି ଜୀବନବ୍ୟାପୀ ଅବଦାନ ପାଇଁ ଏହି ପୁରସ୍କାର ଦେବାକୁ ଘୋଷଣା ହୋଇଥିଲା। ମାତ୍ର ଗତ ୬ ତାରିଖରେ ହୋଇଥିବା ବୈଠକରେ ଚନ୍ଦ୍ରମଣି ବିଶ୍ବାଳଙ୍କୁ ପୁରସ୍କାର ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହେଲା। ଶିଳ୍ପୀ ଚନ୍ଦ୍ରମଣିଙ୍କ ନାମରେ ଭିଜିଲାନ୍ସ ମାମଲା ଥିବାରୁ ଏବଂ ତାହା ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ବିଡ଼ମ୍ବନା ଏହି ଯେ ଯେତେବେଳେ ଏହି ପୁରସ୍କାର ଚୟନ କରାଗଲା, ସେତେବେଳେ ମଧ୍ୟ ତାଙ୍କ ନାମରେ ଭିଜିଲାନ୍ସ ମାମଲା ଥିଲା। ୨୦୧୦ ମସିହାରେ ମାମଲା ହୋଇଥିଲେ ହେଁ ୨୦୧୫ରେ ଏକାଡେମି ପୁରସ୍କାର ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା। ତେଣୁ ପୁରସ୍କାର ପାଇଁ ମନୋନୀତ କରି ପୁରସ୍କାର ନଦେବା ପଛରେ କାହାର ହୀନ ଚକ୍ରାନ୍ତ ରହିଛି ବୋଲି ଶ୍ରୀମତୀ ନାୟକ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କଳାକୁ ସାମଗ୍ରିକ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଉଛି ଏବଂ ସେଇ ଆଧାରରେ ମୋ ସ୍ବାମୀଙ୍କୁ ଚୟନ କରାଯାଇ ପୁରସ୍କାର ନଦେବା ଅପମାନ ସଦୃଶ।
ସୂଚନା ମୁତାବକ, ୨୦୧୪ ପାଇଁ ୫ଜଣଙ୍କୁ ଚୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଆରପାରିରେ। ଚୟନ ହୋଇଥିବା ଶିଳ୍ପୀମାନେ ହେଲେ, ସ୍ବର୍ଗତ ଶରତ କୁମାର ରଥ, ସ୍ବର୍ଗତ ହରୀଶ ସିହ୍ନାବାବୁ, ସ୍ବର୍ଗତ ପ୍ରମୋଦ ମହାନ୍ତି, ସ୍ବର୍ଗତ ଦେବରାଜ ସାହୁ ଏବଂ ମହେନ୍ଦ୍ର ପ୍ରସାଦ ପାତ୍ର। ୨୦୧୫ ନିମନ୍ତେ ଚୟନ ହୋଇଥିବା ୫ ଜଣଙ୍କ ମଧ୍ୟରୁ ଜଣେ ଆରପାରିରେ। ସେଇ ବର୍ଷ ପାଇଁ ଚୟନ ହୋଇଥିବା ଶିଳ୍ପୀମାନେ ହେଲେ, ସ୍ବର୍ଗତ ଚିତ୍ରା ପଟ୍ଟନାୟକ, ଚନ୍ଦ୍ରମଣି ବିଶ୍ବାଳ, କୈଳାସ ମେହେର, ରାମହରି ଜେନା ଓ ଶୈଳବାଳା ନାୟକ। ତେଣୁ ୨ ବର୍ଷ ପାଇଁ ଚୟନ ହୋଇଥିବା ୧୦ଜଣଙ୍କ ମଧ୍ୟରୁ ୫ ଜଣ ଆଉ ଇହଧାମରେ ନାହାନ୍ତି। ଶିଳ୍ପୀ ଶୈଳବାଳା ନାୟକ କହିଛନ୍ତି, ମୋ ସ୍ବାମୀ ପୁରସ୍କାର ପାଇଁ ଆବେଦନ କରିନଥିଲେ। ଯଦି ଭିଜିଲାନ୍ସ କେସ୍ ଥିବା ଶିଳ୍ପୀଙ୍କୁ ପୁରସ୍କାର ଦିଆଯିବ ନାହିଁ ବୋଲି ନିୟମ ରହିଛି, ତେବେ ତାଙ୍କୁ ୨୦୧୫ରେ ଚୟନ କାହିଁକି କରାଗଲା? ଯଦି ଚୟନ କରାଯାଇଛି, ପୁଣି ପୁରସ୍କାର ଦେବା ପୂର୍ବରୁ ତାଙ୍କୁ ଏହି ତାଲିକାରୁ ବାଦ୍ ଦେଇ ଅପମାନ କରିବାର ମାନେ କ’ଣ? ତେଣୁ ଏସବୁ କ୍ଷେତ୍ରକୁ ଦୃଷ୍ଟିରେ ରଖି ମୋ ସ୍ବାମୀଙ୍କୁ ଅପମାନ ଦୃଷ୍ଟିରୁ ମୁଁ ଏ ସମ୍ମାନ ଗ୍ରହଣ କରିବି ନାହିଁ ବୋଲି ସେ କହିଛନ୍ତି।
Follow Us