ଶାନ୍ତିପଲ୍ଲୀ ବସ୍ତିକୁ ନେଇ ଅଶାନ୍ତି

ଶାନ୍ତି ନଗର ଆବାସ ଯୋଜନାକୁ ବିରୋଧ

ଶାନ୍ତିପଲ୍ଲୀ ବସ୍ତିକୁ ନେଇ ଅଶାନ୍ତି

ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି: ମେୟର

ଭୁବନେଶ୍ୱର: ସହିଦନଗରରେ ଥିବା ଶାନ୍ତିପଲ୍ଲୀ ବସ୍ତିକୁ ସ୍ମାର୍ଟ ସିଟି ଯୋଜନାରେ ଶାନ୍ତି ନଗରରେ ପରିଣତ କରିବାକୁ ଥିବାବେଳେ ଏହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ବସ୍ତିରେ ସମସ୍ତଙ୍କୁ ପକ୍କା ଘର ସହ ବାଣିଜ୍ୟିକ ଅଞ୍ଚଳ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ବସ୍ତିରେ ଗୃହପ୍ରକଳ୍ପ ନିର୍ମାଣକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ୫୦୦ରୁ ଅଧିକ ବାସିନ୍ଦା ଆଜି ଶକ୍ତି ପ୍ରଦର୍ଶନ କକରିଛନ୍ତି। ଏପଟେ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରି କେତେଜଣ ବ୍ୟକ୍ତି ପ୍ରକଳ୍ପ ସମ୍ପର୍କରେ ସବିଶେଷ ତଥ୍ୟ ନ ଜାଣି ଲୋକଙ୍କୁ ବିଭ୍ରାନ୍ତ କରୁଥିବା କହିଛନ୍ତି।

ପୂର୍ବାହ୍ନରେ ଶାନ୍ତିପଲ୍ଲୀ ବସ୍ତି ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଏହି ବସ୍ତିରେ ୧୨୧୮ ପରିବାରର ପ୍ରାୟ ୬ ହଜାର ଲୋକ ବସବାସ କରୁଛନ୍ତି। ୪୫ ବର୍ଷ ଧରି ରହିଆସୁଥିବା ବେଳେ ଏପର୍ଯ୍ୟନ୍ତ ଜମିର ପଟ୍ଟା ଦିଆଯାଉ ନାହିଁ। ଯେଉଁଥିପାଇଁ ସମସ୍ୟା ଉପୁଜୁଛି। ଏଦିଗରେ ପଦକ୍ଷେପ ନିଆଯାଇ ପରିବାର ପିଛା ୪୦୦ରୁ ୪୫୦ ବର୍ଗଫୁଟ୍‌ ଜାଗାର ପଟ୍ଟା ପ୍ରଦାନ କରାଯାଉ। ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ଲାଗି ୨ ଲକ୍ଷ ୨୦ ହଜାର ଟଙ୍କା ମିଳିପାରିବ। ଯଦି ଏଦିଗରେ ପଦକ୍ଷେପ ନିଆ ନ ଯାଏ ତେବେ ୨୦୧୯ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବସ୍ତିବାସିନ୍ଦାମାନେ ଧମକ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବସ୍ତି କମିଟି ସଭାପତି କ୍ଷେତ୍ରବାସୀ ବେହେରା, ସମ୍ପାଦକ ପ୍ର୍ରକାଶ ନାୟକ, ଉପସଭାପତି ଅର୍ଜୁନ ପ୍ର୍ରଧାନ, ସହ ସମ୍ପାଦକ ପବିିତ୍ର ସ୍ୱାଇଁ, ଭୁବନେଶ୍ୱର ବସ୍ତି ଉନ୍ନୟନ ପରିଷଦର ରଞ୍ଜୁଲତା ମହାପାତ୍ର, ପ୍ରଦୀପ କୁମାର ପ୍ରଧାନ, ସଞ୍ଜୁକ୍ତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ଅପରାହ୍ନରେ ବିଏମ୍‌ସି ଏବଂ ବିଡିଏ ପକ୍ଷରୁ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ମେୟର ଅନନ୍ତ ନାରାୟଣ ଜେନା କହିଲେ, ଶାନ୍ତିପଲ୍ଲୀ ବସ୍ତି ଲୋକଙ୍କୁ ଉଭୟ ଜମି ଏବଂ ଘରର ମାଲିକାନା ମିଳିବ। ଏହି ପ୍ରକଳ୍ପ ରାଜ୍ୟର ଏକ ଦୃଷ୍ଟାନ୍ତ ମୂଳକ ପ୍ରକଳ୍ପ ହେବ। ଏଥିରେ ବସ୍ତିବାସିନ୍ଦାଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବନି। ବସ୍ତିବାସିନ୍ଦାଙ୍କୁ ସେମାନଙ୍କ ଅଞ୍ଚଳରେ ହିଁ ଥଇଥାନ କରାଯିବ। ଏଥିପାଇଁ ହୋଇଥିବା ଜନଶୁଣାଣି କାର୍ଯ୍ୟକ୍ରମରେ ବସ୍ତିବାସିନ୍ଦା ରାଜି ହୋଇଥିଲେ। ଲୋକଙ୍କୁ ସ୍ଥାନାନ୍ତର ହେବା ପାଇଁ ଟ୍ରାନ୍‌ଜିଟ୍‌ ଘର ଅଥବା ଭଡ଼ା ସୂତ୍ରରେ ଘର ପ୍ରଦାନ ପାଇଁ ଏଥିରେ ବ୍ୟବସ୍ଥା ରହିଛି। କେତେଜଣ ବାସିନ୍ଦା ପ୍ରକଳ୍ପ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଜାଣିନାହାନ୍ତି। ଆଉ କେତେକ ନ୍ୟସ୍ତ ସ୍ୱାର୍ଥ୍ୟ ବ୍ୟକ୍ତି ସେମାନଙ୍କୁ ବିଭ୍ରାନ୍ତ କରୁଥିବା ନଜରକୁ ଆସିଛି ବୋଲି ସେ କହିଥିଲେ।

ରାଜ୍ୟ ସରକାରଙ୍କ ବସ୍ତି ବିକାଶ ଯୋଜନା ଦ୍ୱାରା ବସ୍ତିବାସିନ୍ଦାଙ୍କ ପକ୍କା ଘରରେ ସମସ୍ତ ସୁବିଧା ସୁଯୋଗ ରହିବ। ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯିବା ପୂର୍ବରୁ ସେମାନଙ୍କୁ ପ୍ରୋଭିଜନାଲ୍‌ ଆଲଟ୍‌ମେଣ୍ଟ ଲେଟର୍‌ ପ୍ରଦାନ କରାଯିବ। ସପ୍ତାହ ମଧ୍ୟରେ ବିଡିଏର ଅଧିକାରୀମାନେ ସଂପୃକ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ଉପସ୍ଥିତିରେ ସମସ୍ତ ମାପଚୁପ କାର୍ଯ୍ୟ କରିବେ। ସମସ୍ତ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ସୁହାଇବା ଭଳି ହେବ। ସେମାନଙ୍କ ମତାମତ ନେଇ କାର୍ଯ୍ୟ କରାଯିବ। ବସ୍ତିବାସିନ୍ଦା ଏଥିରେ ସହଯୋଗ କରିବାକୁ ବିଏମ୍‌ସି ମେୟର ଶ୍ରୀ ଜେନା ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe