ଭୁବନେଶ୍ୱର: ସରଗଶଶୀର ବାର୍ଷିକ ଉତ୍ସବ ଓ ସାରସ୍ୱତ ମହାମିଳନ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ତଥା ଶିଶୁ ସାହିତ୍ୟିକ ଦିଗରାଜ ବ୍ରହ୍ମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ତଥା ଆୟକର କମିସନର୍ ଶରତ କୁମାର ଦାସ ଓ ଢେଙ୍କାନାଳର ବିଧାୟକ ସରୋଜ କୁମାର ସାମଲ, ମଧୁମାଳତୀର ମୁଖ୍ୟ ସଂପାଦକ ସୀତାରାମ ମିଶ୍ର, ସୁଚେତା ମିଶ୍ର, ମୁଖ୍ୟବକ୍ତା ଭାବେ ଶିଶୁ ସାହିତ୍ୟିକ ପ୍ରଫେସର ନରେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶିଶୁ ସାହିତ୍ୟର ପ୍ରଚାରପ୍ରସାର ତଥା ପାଠକମାନେ କିପରି ଏହାକୁ ଅଧିକରୁ ଅଧିକ ଭଲ ପାଇବେ, ସେ ସଂପର୍କରେ ଆଲୋଚନା କରାଯାଇଥିଲା। ସରଗଶଶୀର ମୁଖ୍ୟ ସଂପାଦକ ଦେବରାଜ ସାମନ୍ତରାୟ ଶିଶୁ ସାହିତ୍ୟ କିପରି ପିଲାଙ୍କ ମନଲାଖି ଓ ସରସ ସୁନ୍ଦର ହେବ, ସେ ବିଷୟରେ ମତ ରଖିଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଶାନ୍ତ କୁମାର ଦାସଙ୍କ ‘କବିତା କଣ୍ଢେଇ’, ଅରୁଣ ଚନ୍ଦ୍ର ମହାନ୍ତିଙ୍କ ‘ଗୀତ ଝରଣା’ କବିତା ପୁସ୍ତକ ଓ ଅଜୟ କୁମାର ସେଠୀଙ୍କ ଶିଶୁ ନାଟକ ପୁସ୍ତକ ‘ତୁମ ପରି ଛୋଟ ପିଲାଟିଏ’, ‘ଝିଅ ନୁହେଁ ସେ ହୀରାଟିଏ’ ଉନ୍ମୋଚିତ ହୋଇଥିଲା। ଉତ୍ସବକୁ ପରିଚାଳନା କରିଥିଲେ ସରଗଶଶୀ ସଂପାଦକ ପ୍ରଶାନ୍ତ କୁମାର ଦାଶ ଓ ସହଯୋଗ କରିଥିଲେ ସରଗତାରାର ସଂପାଦକ ଅକ୍ଷୟ କୁମାର ସାହୁ। ଆଜିର ଏହି ମହାମିଳନରେ ଚିତ୍ତରଞ୍ଜନ ପଟ୍ଟନାୟକଙ୍କୁ ସରଗଶଶୀ ଶିଶୁ ସାହିତ୍ୟ ସମ୍ମାନ, ସଚ୍ଚିଦାନନ୍ଦ କରଙ୍କୁ ବିଜୟା ଶିଶୁ ସାହିତ୍ୟ ସମ୍ମାନ, କୈଳାସ ଚନ୍ଦ୍ର ସ୍ୱାଇଁଙ୍କୁ ସୋମନାଥ ତ୍ରିପାଠୀ ସ୍ମୃତି ଶିଶୁ ସାହିତ୍ୟ ସମ୍ମାନ, ଇଂ ଅରୁଣ ପଣ୍ଡାଙ୍କୁ ରବୀନ୍ଦ୍ର ବିଶ୍ୱାଳ ସ୍ମୃତି ଶିଶୁ-ସାହିତ୍ୟ ସମ୍ମାନ, ଗୋଲାପ ନନ୍ଦଙ୍କୁ ସରଗଶଶୀ ସାରସ୍ୱତ ସମ୍ମାନ, ବିଜୟଲକ୍ଷ୍ମୀ ସାହୁଙ୍କୁ ସରଗଶଶୀ ସାରସ୍ୱତ ସମ୍ମାନ ଓ ସସ୍ମିତା ସ୍ୱାଇଁଙ୍କୁ ସରଗଶଶୀ ଶିଶୁ ସାହିତ୍ୟ ସୌରଭ ସମ୍ମାନ ପ୍ରଦାନ କରାଯାଇଥିଲା। ସଭାରେ ହାସ୍ୟକବି ସଂପଦ ରଥ, ଗୋଲକ ବିହାରୀ ନାୟକ, ଯୋଗେନ୍ଦ୍ର ନାୟକ, ଜୟଶ୍ରୀ ପଟ୍ଟନାୟକ, ଚମକ ଚାନ୍ଦିନୀ ଦାଶଙ୍କ ସଂଯୋଜନାରେ ରାଜ୍ୟର ଶତାଧିକ କବି ସେମାନଙ୍କ ନିଜ ହାତଲେଖା କବିତା ପାଠ କରିଥିଲେ। ସଭାର ପ୍ରଥମ ଅଧିବେଶନକୁ ସଂଯୋଜନା କରିଥିଲେ ଲେଖିକା ଚମକ ଚାନ୍ଦିନୀ ଦାଶ ଓ ସ୍ୱାଗତ ଭାଷଣ ଦେଇଥିଲେ ହେମନ୍ତ କୁମାର ଛୋଟରାୟ। ସଭାର ଦ୍ୱିତୀୟ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ସାହିତ୍ୟିକ ପ୍ରଶାନ୍ତ ବିଶ୍ୱାଳ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us