ନିରାଡ଼ମ୍ବରରେ ହେବ ସରକଣା ପ୍ରସିଦ୍ଧ ଫୋଡ଼ାପାଟୁଆ ଯାତ୍ରା, ୭ ଦିନ ପରିବର୍ତ୍ତେ ୫ଦିନିଆ ବ୍ରତ ରଖିଲେ କାଳିସୀ ଓ ବଡ଼ପାଟୁଆ

Advertisment
ନିରାଡ଼ମ୍ବରରେ ହେବ ସରକଣା ପ୍ରସିଦ୍ଧ ଫୋଡ଼ାପାଟୁଆ ଯାତ୍ରା, ୭ ଦିନ ପରିବର୍ତ୍ତେ ୫ଦିନିଆ ବ୍ରତ ରଖିଲେ କାଳିସୀ ଓ ବଡ଼ପାଟୁଆ

ବାଲିଅନ୍ତା: ଆସନ୍ତା ୧୩ ତାରିଖ ମହାବିଷୁବ ସଂକ୍ରାନ୍ତିରେ ବାଲିଅନ୍ତା ବ୍ଲକ ଅଧୀନ ସରକଣା ଗ୍ରାମର ପ୍ରସିଦ୍ଧ ଫୋଡ଼ାପାଟୁଆ ଯାତ୍ରା ଅନୁଷ୍ଠିତ ହେବ। ଲକ୍‌ଡାଉନ ଯୋଗୁଁ ଏବର୍ଷ ନିରାଡ଼ମ୍ବର ଭାବେ ଏହି ପର୍ବ ପାଳନ ହେବ ବୋଲି ଫୋଡ଼ାପାଟୁଆ ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି। ଏନେଇ କମିଟି ସଭାପତି ରବି ନାରାୟଣ ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟତମ ପ୍ରମୁଖ କର୍ମକର୍ତ୍ତା ମୁରଲି ଭୋଇ, ଗଗନ ଭୋଇ ଓ ଝୁଲ ଭୋଇ ବୈଠକରେ ଉପସ୍ଥିତି ଥିଲେ।

କରୋନା କଟକଣା ଜାରି ରହିଥିଲେ ହେଁ ପରମ୍ପରା ଅନୁଯାୟୀ କେବଳ ମା’ ମଙ୍ଗଳାଙ୍କ ପୂଜାନୀତି ସଂପନ୍ନ ହେବ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଖାଇଖୁଣ୍ଟ ପୋତାଯିବ ନାହିଁ କି କାଳିସୀ ଓ ବଡ଼ପାଟୁଆ ବି ଚରଖି ବୁଲିବେ ନାହିଁ ବୋଲି ଜଣାପଡ଼ିଛି। ଫୋଡ଼ାପାଟୁଆ ଯାତ୍ରାର ଶୁଭାରମ୍ଭ ଅବସରରେ ଆଜି ସୀମିତ ସେବାୟତଙ୍କ ଗହଣରେ ମା’ ଙ୍କର ପାଣିତୋଳା ବିଧି ସଂପନ୍ନ ହୋଇଥିଲା। କାଳିସୀ ଗଙ୍ଗାଧର ଭୋଇ ଓ ବଡ଼ପାଟୁଆ ଭରତ ଭୋଇଙ୍କ ସମେତ ଆଉ ଦୁଇଜଣ ସେବାୟତ ଠାକୁରାଣୀଙ୍କୁ ନେଇ ସରକଣା ଐତିହ୍ୟସଂପନ୍ନ ଦେୱାନପୋଖରୀକୁ ପାଣି ତୋଳିବାକୁ ଯାଇଥିଲେ। ସେଠାରେ ମାର୍ଜନା ବିଧି ଅନୁଷ୍ଠିତ ହୋଇଥିଲା। ମା’ଙ୍କୁ ସୁବାସିତ ଜଳରେ ସ୍ନାନ କରାଇ ପାଟବସ୍ତ୍ର ପିନ୍ଧା ଯାଇଥିଲା। ଏହାପରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇ ଭୋଗ ଲାଗି କରାଯାଇଥିଲା। ତା’ପରେ ମା’ଙ୍କୁ ତାଙ୍କ ବିଜେସ୍ଥଳୀ ରଣପୁର ଗ୍ରାମ ମଙ୍ଗଳା ମନ୍ଦିରକୁ ଆଣି ସ୍ଥାପନ କରାଯାଇଥିଲା। କେବଳ କାଳିଶୀ ଗଙ୍ଗାଧର ଓ ବଡ଼ପାଟୁଆ ମା’ଙ୍କ ପୀଠରେ ଆଜିଠାରୁ ୫ ଦିନ ଧରି ହବିଷାନ୍ନ ଖାଇ ବ୍ରତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe