ଶରତ ସାହିତ୍ୟ ଟ୍ରଷ୍ଟର ପ୍ରତିଷ୍ଠା ଉତ୍ସବ : ‘ସାହିତ୍ୟିକମାନେ ପରିବର୍ତ୍ତନର ବାହକ ସାଜନ୍ତୁ’

Advertisment
ଶରତ ସାହିତ୍ୟ ଟ୍ରଷ୍ଟର ପ୍ରତିଷ୍ଠା ଉତ୍ସବ : ‘ସାହିତ୍ୟିକମାନେ ପରିବର୍ତ୍ତନର ବାହକ ସାଜନ୍ତୁ’

କଟକ : ସାହିତ୍ୟିକମାନେ ସାଧାରଣ ଲୋକଙ୍କୁ ଘୃଣା ନ କରି ସମାଜ ସହ ସଂପୃକ୍ତ ହୁଅନ୍ତୁ। ରାଜନୀତିଠାରୁ ଦୂରେଇ ନ ଯାଇ ରାଜନୀତି ସହିତ ସାମିଲ ହୁଅନ୍ତୁ। କବିତା, ଗଳ୍ପ, ଉପନ୍ୟାସ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରି ସାମାଜିକ ପରିବର୍ତ୍ତନର ବାହକ ସାଜନ୍ତୁ ବୋଲି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ବାନ ‌ଦେଇଛନ୍ତି।

ଶ୍ରୀରାମଚନ୍ଦ୍ର ଭବନରେ ଅନୁ‌ଷ୍ଠିତ ଶରତ ସାହିତ୍ୟ ଟ୍ରଷ୍ଟର ପ୍ରତି‌‌ଷ୍ଠା ଉତ୍ସବ ଓ ପ୍ରତିଷ୍ଠାତା ଶରତ କୁମାରୀ ‌ଆଚାର୍ଯ୍ୟଙ୍କ ୭୫ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ନୂଆପିଢ଼ି ପୁସ୍ତକ ଓ ମୁଦ୍ରଣ ଶିଳ୍ପ ପ୍ରତି ବିମୁଖ ହେଉଥିବାରୁ ପୁସ୍ତକ ଏବେ ସଂକଟ ଦେଇ ଗତି କରୁଛି। ବହି ମରିପାରେ, କିନ୍ତୁ ଭାବ ‌କେବେ ମରିବ ନାହିଁ। ଏଥିପାଇଁ ସାହିତ୍ୟିକମାନେ ସଚେତନ ହେବା ସହିତ ସାମାଜକୁ ସଚେତନ କରାନ୍ତୁ। ଆଧୁନିକ କାରିଗରୀ ବିଦ୍ୟା ସହ ସନ୍ଧି କରି ସାହିତ୍ୟର ପ୍ରାଚାରପ୍ରସାର କ‌ଲେ ନୂତନପିଢ଼ିଙ୍କର ସାହିତ୍ୟ ପ୍ରତି ରୁଚି ସୃଷ୍ଟି ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଉତ୍ସବରେ ଶ୍ରୀ ପଟ୍ଟନାୟକ ଶ୍ରୀମତୀ ଆଚାର୍ଯ୍ୟଙ୍କୁ ଶୁଭେଚ୍ଛା ଦେବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।

ସମାରୋହକୁ ଉଦ୍‌ଘାଟନ କରି କବୟିତ୍ରୀ ମନୋରମା ମହାପାତ୍ର କହିଲେ, ଦୃଢ଼ ଇଚ୍ଛାଶକ୍ତି ଓ ଉଦ୍‌ଯୋଗ ବଳରେ ଜଣେ ବ୍ୟକ୍ତି ଅସମ୍ଭବକୁ ସମ୍ଭବ କରିପାରେ। ଶରତ କୁମାରୀ ଏହାର ଉଦାହରଣ ବୋଲି କବୟିତ୍ରୀ ଶ୍ରୀମତୀ ମହାପାତ୍ର ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ପ୍ରଫେସର ବୈଷ୍ଣବ ଚରଣ ସାମଲ ଶରତ କୁମାରୀଙ୍କ ସାରସ୍ବତ ସାଧନା ଓଡ଼ିଆ ସାହିତ୍ୟକୁ ବିକଶିତ କରିବାରେ ସହାୟକ ହୋଇଛି ବୋଲି କହିଥିଲେ। କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ତଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ସଭାରେ ସଭାପତିତ୍ବ କରିଥିଲେ। ଉତ୍ସବରେ ଡକ୍ଟର ବାସନ୍ତୀ ମହାନ୍ତିଙ୍କୁ ‘ଶରତ ସାରସ୍ବତ ସମ୍ମାନ’ , ଗୀତିକବି ବାବାଜୀ ଚରଣ ଜେନାଙ୍କୁ ‘କଣ୍ତୁରୀଚରଣ ସ୍ମୃତି ସମ୍ମାନ’, ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ‘ଶରତ ଯୁବ ପ୍ରତିଭା ସମ୍ମାନ’ ଓ ଡକ୍ଟର ମନୋରଂଜନ ବେହୁରାଙ୍କୁ ‘ବିଚକ୍ଷଣା ବିଶ୍ବାଳ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ମୁଖପତ୍ର ‘ଶରତପ୍ରଭା’, ‘ଶରତ କୁମାରୀଙ୍କ ପଦ୍ୟାଲୋଚନା’, ଆତ୍ମଜୀବନୀ ‘ଚିହ୍ନା ଚିହ୍ନା ଚେନାଏ ଚିତ୍ର’ , ନଳିନୀ ନାୟକଙ୍କ ‘ବିଶ୍ବାସେ ମିଳଇ ହରି’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଅଧ୍ୟାପକ କମଳ ମାହୁନ୍ତ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଯୁବ ସାହିତ୍ୟିକ ଡକ୍ଟର ଶିଶିର ବେହେରା ସ୍ବାଗତ ଭାଷଣ ଦେଇଥିଲେ। ବିଦ୍ୟୁତ୍ ମଞ୍ଜରୀ ପ୍ରଧାନ, ସୁଷମା ବାରିକ, ବିନୋଦିନୀ ମିଶ୍ର ଓ କୁନଲତା ତ୍ରିପାଠୀ ମାନପତ୍ର ପାଠ କରିଥିଲେ। ‘ଜନସୁଧା’ ସଂପାଦକ ଦିଲ୍ଲୀପ ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe