ଭୁବନେଶ୍ବର: ବାତ୍ୟା ହେଲେ ସତ୍ୟନଗର ଶ୍ମଶାନରେ ଶବଦାହ ହୋଇପାରିବନି ବୋଲି ବିଏମ୍ସି ଆକଳନ କରିଥିଲା। କିନ୍ତୁ ବାତ୍ୟାର ପ୍ରଭାବ ଭୁବନେଶ୍ବରରେ ଦେଖିବାକୁ ମିଳିନଥିଲା। କେବଳ ଝିପିଝିପି ବର୍ଷା ଲାଗି ରହିଥିଲେ ହେଁ ବିଏମ୍ସି କର୍ତ୍ତୃପକ୍ଷ ଦୁଇ ଦିନରେ ୮୦ରୁ ଅଧିକ ଶବଦାହ କରିଛନ୍ତି। କିନ୍ତୁ ମେ ୨୫ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଥିବା ପଟିଆ ମଶାଣି କାର୍ଯ୍ୟକ୍ଷମ ହୋଇପାରିନି। ବିଏମ୍ସି କମିସନର ସଞ୍ଜୟ ସିଂହ ଗତ ୧୫ତାରିଖରେ ପଟିଆ ଶ୍ମଶାନ ବୁଲି ଦେଖିଥିଲେ। ଇଞ୍ଜିନିୟରିଂ ଟିମ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଯେମିତି ହେଉ ୨୫ତାରିଖ ଭିତରେ କାମ ଶେଷ କରିବ। ହେଲେ ଧାର୍ଯ୍ୟ ସମୟ ଭିତରେ କାମ ସରିଲାନି। ଏନେଇ ବିଏମ୍ସିର ଇଞ୍ଜିନିୟରିଂ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ୨୫ତାରିଖ ସୁଦ୍ଧା ପଟିଆ ଶ୍ମଶାନ କାର୍ଯକ୍ଷମ କରିଥାନ୍ତୁ। କିନ୍ତୁ ବାତ୍ୟା ‘ୟାସ୍’ ସବୁ ଯୋଜନା ଶେଷ ସମୟରେ ବିଗାଡ଼ିଦେଲା। ବାତ୍ୟା ମୁକାବିଲାରେ ଯନ୍ତ୍ରୀମାନେ ରହିବାରୁ କାର୍ଯ୍ୟ ତଦାରଖ ବିଳମ୍ବ ହେଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଆମେ ଏଠାରେ ଡିଜି ସେଟ୍ ଲଗାଇବାକୁ ଯୋଜନା କରିବାରୁ କାମ ଟିକେ ବିଳମ୍ବ ହୋଇଗଲା। ଶ୍ମଶାନରେ ଗ୍ୟାସ୍ ଚୁଲା ଲାଗିବାକୁ ଥିଲେ ଏହାର ବ୍ଲୋୟର ବିଦ୍ୟୁତରେ ଚାଲିବ। ଏହାର ବ୍ୟାକ୍ଅପ୍ ବ୍ୟବସ୍ଥା ନରଖିଲେ ଅଧା ଶବଦାହରେ ଲାଇନ୍ କଟିଗଲେ ଅସୁବିଧା ହେବ। ତେଣୁ ଆମେ ଡିଜି ସେଟ୍ ଲଗାଇଛୁ। ଚୁଲା ଚଲାଇବା ସହ ପୂରା ଶ୍ମଶାନର ଆଲୋକୀକରଣ ପାଇଁ ୩୫କେଭିଏର ଡିଜି ସେଟ୍ ଲଗାଇଛୁ। ଏହା ଦିନେ ଦୁଇ ଦିନରେ ସରିବ। ତେଣୁ ଦୁଇରୁ ତିନି ଦିନ ଭିତରେ ଶ୍ମଶାନ କାର୍ଯ୍ୟକ୍ଷମ ହୋଇଯିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।
ଅପରପକ୍ଷେ ଭରତପୁର ଶ୍ମଶାନରେ ଅଣକୋଭିଡ୍ ଲୋକଙ୍କ ଶବଦାହ ଚାଲିଥିବାବେଳେ କୋଭିଡ୍ ଆକ୍ରାନ୍ତ ଶବଦାହ ଟିକେ ଧିମା ଅଛି। ଶବଦାହ କରୁଥିବା ଲୋକଙ୍କ ପାଇଁ କୋଭିଡ୍ ଗାଇଡଲାଇନ୍ ମାନି ସବୁ କାମ କରିବାକୁ ଟିକେ ସମୟ ଲାଗିବ। ତେଣୁ ଏବେ ସେଠାରେ ଦିନକୁ ଦୁଇରୁ ତିନିଟି କୋଭିଡ୍ ଆକ୍ରାନ୍ତଙ୍କ ଶବଦାହ ହେଉଛି। ଖୁବ୍ ଶୀଘ୍ର ଏହାକୁ ବଢ଼ାଯିବ। ଏଠାକୁ ଖଣ୍ଡଗିରି ଅଞ୍ଚଳର ଥିବା କୋଭିଡ୍ ହସ୍ପିଟାଲରୁ କିଛି ଶବ ଯିବ। ଏଠାରେ କିନ୍ତୁ ଏବେ ଅଧିକ ଶବଦାହ ହେବନି।
ଅପରପକ୍ଷେ ସତ୍ୟନଗର ଶ୍ମଶାନରେ ମଙ୍ଗଳବାର ଓ ବୁଧବାର ପ୍ରାୟ ୮୦ରୁ ଅଧିକ ଶବଦାହ ହୋଇଥିବା ଜାଣିବାକୁ ମିଳିଛି। ମଙ୍ଗଳବାର ୪୨ଜଣଙ୍କର ଶବଦାହ ହୋଇଥିବାବେଳେ ବୁଧବାର ସଂଧ୍ୟା ସୁଦ୍ଧା ୪୦ରୁ ଅଧିକ ଶବଦାହ ହୋଇଛି। ବର୍ଷା ଯୋଗୁଁ କିଛି ଜୁଇ ଜଳିବାରେ ଅସୁବିଧା ହେବାରୁ କର୍ମଚାରୀ ସେଥିରେ ଡିଜେଲ୍ ପକାଇ ଜଳାଇଥିଲେ। କିନ୍ତୁ ବର୍ଷା ଯୋଗୁଁ ଆଜି ହସ୍ପିଟାଲରୁ ସବୁ ମୃତକଙ୍କ ଶବ ଆସିପାରିନି। କିଛି ଗୁରୁବାର ଆସିବ ବୋଲି ବିଏମ୍ସି ପକ୍ଷରୁ ମୃତକଙ୍କ ସମ୍ପର୍କୀୟଙ୍କୁ କୁହାଯାଇଛି।
Follow Us