ଜଳବନ୍ଦୀ ମୁକ୍ତ ହେବ ସତ୍ୟବିହାର : ପଡ଼ିଲା ଭିତ୍ତିପ୍ରସ୍ତର, ୩ମାସରେ ସରିବ କାମ, ୩ଟି ଡ୍ରେନ୍‌ ପାଇଁ ଖର୍ଚ୍ଚ ହେବ ୩ କୋଟି ଟଙ୍କା

ଜଳବନ୍ଦୀ ମୁକ୍ତ ହେବ ସତ୍ୟବିହାର : ପଡ଼ିଲା ଭିତ୍ତିପ୍ରସ୍ତର, ୩ମାସରେ ସରିବ କାମ, ୩ଟି ଡ୍ରେନ୍‌ ପାଇଁ ଖର୍ଚ୍ଚ ହେବ ୩ କୋଟି ଟଙ୍କା

ଚନ୍ଦ୍ରଶେଖରପୁର : ପ୍ରତିବର୍ଷ ଜଳବନ୍ଦୀ ସମସ୍ୟା ‌ଭୋଗୁଥିବା ସତ୍ୟବିହାରବାସୀଙ୍କ ଲାଗି ଖୁସି ଖବର। ଏଣିକି ସେମାନଙ୍କୁ ଆଉ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ୫ ନମ୍ବର ୱାର୍ଡ ଅଧୀନରେ ଆସୁଥିବା ଏହି ଅଞ୍ଚଳର ଜଳବନ୍ଦୀ ସମସ୍ୟାର ସମାଧାନ ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ସିନିୟର୍‌ ସିଟିଜେନ୍‌ କ୍ଲବଠାରୁ ଗଙ୍ଗୁଆ ନାଳ ପର୍ଯ୍ୟନ୍ତ ଡ୍ରେନ୍‌ ନିର୍ମାଣ କରାଯିବ। ଏଥିପାଇଁ ୧ କୋଟି ୪୪ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। ସେହିପରି ସେଣ୍ଟ ଜାଭିଅର ସ୍କୁଲଠାରୁ ଗଙ୍ଗୁଆ ନାଳ ପର୍ଯ୍ୟନ୍ତ ୬୨ଲକ୍ଷ ୮୮ ହଜାର ଟଙ୍କାରେ ଏକ ଡ୍ରେନ୍‌ ତିଆରି ହେବ। ପ୍ଲଟ୍‌ ନମ୍ବର ୧୨୫୬ରୁ ଗଙ୍ଗୁଆ ନାଳ ପର୍ଯ୍ୟନ୍ତ ୫୫ଲକ୍ଷ ୮୨ ହଜାର ଟଙ୍କା ବ୍ୟୟ ଅଟକଳରେ ଆଉ ଏକ ଡ୍ରେନ୍‌ ନିର୍ମାଣ କରାଯିବ। ଏହି ତିନୋଟି ଡ୍ରେନ୍‌ ହେବା ଦ୍ବାରା ସତ୍ୟନଗରରେ‌ ଜମି ରହୁଥିବା ବର୍ଷାଜଳ ସୁବିଧାରେ ନିଷ୍କାସନ ହୋଇପାରିବ।

ପ୍ରାୟ ୩ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଉକ୍ତ ୩ଟି ଡ୍ରେନ୍‌ ପାଇଁ ଉତ୍ତର ଭୁବନେଶ୍ବର ବିଧାୟକ ତଥା ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ କୁମାର ରାଉତ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ବିଧାୟକ ଶ୍ରୀ ରାଉତ କହିଛନ୍ତି ଯେ ଓଡ଼ିଶାର ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ବ ଦେଇ ଆସୁଛନ୍ତି। ସତ୍ୟନଗରରେ ଦୀର୍ଘ ଦିନ ହେଲା ଜଳ ନିଷ୍କାସନ ସମସ୍ୟା ରହୁଥିଲା। ଏନେଇ ସ୍ଥାନୀୟ ଲୋକେ ମୋ ଦୃଷ୍ଟିକୁ ଆଣିବା ପରେ ପଦକ୍ଷେପ ନିଆଯାଇଛି। ଏବେ ଭିତ୍ତିପ୍ରସ୍ତର ପଡ଼ିଥିବା ବେଳେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଫେବ୍ରୁଆରି ସୁଦ୍ଧା ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୧ ବର୍ଷା ଦିନ ପୂର୍ବରୁ ଲୋକ ଯେପରି ଜଳବନ୍ଦୀ ମୁକ୍ତ ହେବେ, ସେ ଦିଗରେ ପଦକ୍ଷେପ ନିଆଯାଉଛି। ଏହାଦ୍ବାରା ସତ୍ୟନଗରର ୧୦ ହଜାର ଲୋକ ଉପକୃତ ହେବେ।

ପୂର୍ବାହ୍ନରେ ଅନୁଷ୍ଠିତ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ବିଜେଡି ରାଜ୍ୟ ସମ୍ପାଦକ ସୁବାସ ପାତ୍ର, ଭୁବନେଶ୍ବର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁବାସ ସାହୁ, ପୂର୍ବତନ କର୍ପୋ‌ରେଟର୍‌ ନିର୍ମଳ ରାଉତ, ବରିଷ୍ଠ ନାଗରିକ ଅନ୍ତର୍ଯ୍ୟାମୀ କୁଅଁର, ଯୁବନେତା ଆଦିକନ୍ଦ ରାଉତ, ସଞ୍ଜୟ ବଳିୟାରସିଂ, ଅନୁ ଖୁଣ୍ଟିଆ, ଚିତ୍ତରଞ୍ଜନ ଦାସ, ରମେଶ କୁମାର ସାହୁ, ଅକ୍ଷୟ ସ୍ବାଇଁଙ୍କ ସମେତ ସତ୍ୟବିହାରର ବରିଷ୍ଠ ନାଗରିକମାନେ ସାମିଲ ହୋଇଥିଲେ। ବହୁ ଦିନ ଧରି ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିବାରୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଶ୍ରୀ ରାଉତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe