ଭୁବନେଶ୍ୱର: ସୁସ୍ଥ ଜୀବନ ପାଇଁ ଜଳ ଏବଂ ବାୟୁ ପରି ପ୍ରଦୂଷଣମୁକ୍ତ ମୃତ୍ତିକା ଅତ୍ୟନ୍ତ ଜରୁରୀ। କାରଣ ମୃତ୍ତିକା ହେଉଛି ଜୀବ ଏବଂ ଉଭିଦ ସମସ୍ତଙ୍କ ପାଇଁ ଖାଦ୍ୟ ଓ ପ୍ରାଣ। ତେଣୁ ‘ମୃତ୍ତିକା ବଞ୍ଚାଅ’ ବାର୍ତ୍ତା ନେଇ ଆଜି ଏଆଇପିଏଚ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଡମଣା ଛକରେ ଏକ ଜନ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ର ସହଭାଗିତାରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ସାଇକେଲ ରାଲି ଆୟୋଜିତ ହୋଇଥିଲା। ଏଆଇପିଏଚ୍ ବିଶ୍ବବିଦ୍ୟାଳୟର କୁଳପତି ଆଦିତ୍ୟ ପ୍ରସାଦ ଦାଶ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ‘ସେଭ୍ ସଏଲ୍’ ଥିମ୍ ସଙ୍ଗର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ।
ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକ, ଇଶା ଫାଉଣ୍ଡେସନ ଭୁବନେଶ୍ବର ଶାଖାର ସଦସ୍ୟମାନେ ରଘୁନାଥପୁର ପର୍ଯ୍ୟନ୍ତ ସାଇକେଲ ଚଲାଇ ପୁଣି ସେଠାରୁ ଡମଣା ଛକକୁ ଫେରିଥିଲେ। ଏହି ଅବସରରେଏଆଇପିଏଚ୍ ବିଶ୍ବବିଦ୍ୟାଳୟ ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଭାପତି ତଥା ଆମେରିକା ସ୍ଥିତ ଜର୍ଜ ଟାଉନ ବିଶ୍ବବିଦ୍ୟାଳୟର ପ୍ରଫେସର ଡା. ପିନାକୀ ପାଣିଗ୍ରାହୀ ଯୋଗଦେଇ କହିଲେ ଯେ, ତୃତୀୟ ବିଶ୍ବଯୁଦ୍ଧର ପ୍ରମୁଖ କାରଣ ହୋଇପାରେ ମାଟି ବା ମୃତ୍ତିକାର ଗୁଣବତ୍ତାକୁ ନେଇ ସୃଷ୍ଟି ହୋଇଥିବା ଆହ୍ୱାନ। କାରଣ ମାଟି ହେଉଛି ସମସ୍ତ ଜୀବ ଓ ଉଦ୍ଭିଦ ଜଗତର ଆଧାର। ତେଣୁ ଆଜି ଆମ ସମସ୍ତଙ୍କର ବିଶେଷ କରି ଯୁବପିଢ଼ିର ଦାୟିତ୍ବ ହେଉଛି ଏହି ମାଟିକୁ ବଞ୍ଚାଇବା। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳସଚିବ ସାରସ୍ବତ ମିଶ୍ର, ବିଭିନ୍ନ ବିଭାଗର ଡିନ୍ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ର ମ୍ୟାନେଜର ଅମିତାଭ ମହାନ୍ତି, ସାଇକେଲପ୍ରେମୀ ଅଜୟ ନନ୍ଦ, ଓଲିଉଡ ଅଭିନେତା ଋଷି, ଇଶା ଫାଉଣ୍ଡେସନ୍ର ସ୍ଥାନୀୟ ସଂଯୋଜକ ନିହିତ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।
Follow Us