ଭୁବନେଶ୍ବର: ଆଜି ଭୁବନେଶ୍ୱର ରେଳଷ୍ଟେସନ ପରିସରସ୍ଥ ରେଳଧାରଣାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍(ଏସ୍ବିଆଇ) ଆଞ୍ଚଳିକ ପ୍ରବନ୍ଧକଙ୍କ ମୃତଦେହ ଜବତ କରାଯାଇଛି। ସେ ହେଲେ କେନ୍ଦ୍ରାପଡ଼ା ରାଜକନିକା ବଜ୍ରରାଜପୁରର ମହେଶ ରଞ୍ଜନ ନାୟକ। ସେ ନୂଆପଲ୍ଳୀ ବେହେରା ସାହିରେ ରହୁଥିଲେ। ଗତକାଲିଠାରୁ ସେ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ନୂଆପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ରେଳବାଇ ଥାନା ପୁଲିସ ରେଳଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏ ନେଇ ରେଳବାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହା ଏକ ପାରିବାରିକ କଳହଜନିତ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଧିକ ତଦନ୍ତ ଚାଲିଛି ବୋଲି ରେଳବାଇ ଥାନା ପୁଲିସ କହିଛି। ମୃତ ମହେଶ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଏରିଆ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଗତ ୨ ବର୍ଷ ତଳେ ସେ ବିବାହ କରିଥିଲେ।
ବିବାହ ପରେ ପତ୍ନୀଙ୍କ ସହ ନୂଆପଲ୍ଲୀ ବେହେରା ସାହିରେ ରହୁଥିଲେ। ଗତ କିଛି ଦିନ ହେବ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା। ପତ୍ନୀଙ୍କ କହିବା ମୁତାବକ, ଅନେକ ସମୟରେ ମହେଶ ରାଗରେ ଘରକୁ ଫେରୁନଥିଲେ। ଗତକାଲି ନ ଫେରିବାରୁ ସେ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ।
Follow Us