ଏସ୍‌ସିବିରେ ଲିଭର ପ୍ରତିରୋପଣ ୟୁନିଟ୍‌ କୋମାରେ, ଖତ ଖାଉଛି ୧୨କୋଟିର ଯନ୍ତ୍ରାଂଶ

Advertisment
ଏସ୍‌ସିବିରେ ୟୁରୋଲୋଜି କର୍ମଶାଳା: ୨୦ ଜଣଙ୍କ ଲାଇଭ୍ ଅସ୍ତ୍ରୋପଚାର

indianadmissionsguru.com

ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ପାଇଁ ସରକାର ଏସ୍‌ସିବିକୁ ନିର୍ଦ୍ଦେଶ ଦେଇଥିଲେ, ଲିଭର ପାଇଁ ଏସ୍‌ସିବି ସମେତ ୪ଟି ହସ୍ପିଟାଲକୁ ମିଳିଛି ଅନୁମତି
କଟକ: କଟକ ଏସ୍‌ସିବି ‌ମେଡିକାଲ କଲେଜ ଓ ହସ୍ପିଟାଲରେ ସରକାରୀ ବ୍ୟବସ୍ଥାରେ ପୂର୍ବଭାରତର ପ୍ରଥମ ଲିଭର ପ୍ରତିରୋପଣ ୟୁନିଟ୍‌ ହେବାପାଇଁ ସବୁ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ୨୦୧୨ରୁ ଲିଭର ପ୍ରତିରୋପଣ ୟୁନିଟ୍‌ ପାଇଁ ୧୨କୋଟି ଟଙ୍କାର ଯନ୍ତ୍ରାଂଶ ଆସି ଖତ ଖାଉଛି। କିନ୍ତୁ କାର୍ଯ୍ୟକ୍ଷମ ହୋଇପାରୁନି ୟୁନିଟ୍‌। ବାରମ୍ବାର ଏହି ୟୁନିଟ୍‌ କାର୍ଯ୍ୟକ୍ଷମ ପାଇଁ ସରକାରୀସ୍ତରରେ ବସୁଛି ଘନ ଘନ ବୈଠକ, ମାତ୍ର ଫଳ ଶୂନ୍‌। ଯାହା ଫଳରେ ଗତକାଲି ହୋଇଥିବା କାଡାଭରିକ୍‌ ପ୍ରତିରୋପଣରେ ବ୍ରେନ୍‌ ଡେଡ୍‌ ସୁଚିତ୍ରା ଦାଶଙ୍କ ଲିଭର ଓ ହାର୍ଟ ପ୍ରତିରୋପଣ କ’ଣ ପାଇଁ ସମ୍ଭବ ହୋଇପାରିଲାନି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଯୋଜନା ଥିଲା, ଏସ୍‌ସିବି ମେଡିକାଲରେ ହେବ ପୂର୍ବଭାରତର ପ୍ରଥମ ଲିଭର ପ୍ରତିରୋପଣ ୟୁନିଟ୍। ଏଥିପାଇଁ କେନ୍ଦ୍ରୀୟ ଟିମ୍‌ ପହଞ୍ଚି ଭିତ୍ତିଭୂମିର ଯାଞ୍ଚ କରିଥିଲେ। ତା’ ସହିତ ଏହି ୟୁନିଟ୍‌ ପାଇଁ ସ୍ବତନ୍ତ୍ର ଭାବେ ଡାକ୍ତର, ନିଶ୍ଚେତକଙ୍କୁ ତାଲିମ ଦିଆଯାଇଥିଲା। ଟ୍ରମା କେୟାର ୪ର୍ଥ ମହଲାରେ ଆଇସିୟୁ, ଓଟି, ବେଡ୍‌ ସବୁ ତିନିବର୍ଷ ହେବ ପ୍ରସ୍ତୁତ ହୋଇଥିଲା। ୨୦୧୪-୧୫ରେ ଏଥିପାଇଁ ୧୨କୋଟି ଟଙ୍କାର ବିଭିନ୍ନ ଉପକରଣ କିଣା ହୋଇଥିଲା। ଏବେ ଯନ୍ତ୍ରାଂଶ ବିଭିନ୍ନ ସ୍ଥାନରେ ପଡ଼ି ଖତ ଖାଇବାକୁ ବସିଲାଣି। କେଉଁଠି ଯନ୍ତ୍ରାଂଶ ପଡିଛି, ସେ ହିସାବ ମଧ୍ୟ କାହା ପାଖରେ ନାହଁ। ଏହି ବିଭାଗର ବିଶେଷଜ୍ଞ ପ୍ରଫେସର ଡାକ୍ତର ମିହିର ମହାପାତ୍ର ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ହେଲା ଅବସର ଗ୍ରହଣ କଲେଣି। ଶ୍ରୀ ମହାପାତ୍ରଙ୍କ ଅବସର ପରେ ଏହି ପ୍ରତିରୋପଣ କେନ୍ଦ୍ର କାର୍ଯ୍ୟକାରିତା ସଂପୂର୍ଣ୍ଣ ଅନିଶ୍ଚିତ ହୋଇପଡିଛି। ରାଜ୍ୟରେ ଲିଭର ପ୍ରତିରୋପଣ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ରୋଗୀମାନେ ବାଧ୍ୟହୋଇ ରାଜ୍ୟ ବାହାରକୁ ଯାଉଛନ୍ତି। ସେହି କାରଣରୁ ଏସ୍‌ସିବିରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ କେନ୍ଦ୍ର ଆରମ୍ଭ କରାଯିବା ପାଇଁ ୨୦୧୨-୧୩ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ୮ ବର୍ଷ ପରେ ବି ଯୋଜନା କାର୍ଯ୍ୟକାରୀ ନହୋଇ କେବଳ ଅର୍ଥଶ୍ରାଦ୍ଧ ହୋଇଛି।

ଲିଭର୍‌ ପ୍ରତିରୋପଣ ୟୁନିଟ୍‌ କିପରି କାର୍ଯ୍ୟକ୍ଷମ ହେବ ଓ ଆଗକୁ ଯିବ ସେ ସଂକ୍ରାନ୍ତରେ ଗତ ଜୁଲାଇ ୧୯ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଲିଭର ପ୍ରତିରୋପଣ ୟୁନିଟ୍‌ ସହ ଏସ୍‌ସିବିରେ ଅଧା ଥିବା ଅନେକ ପ୍ରକଳ୍ପର ଭାଗ୍ୟ ନିର୍ଦ୍ଧାରଣ ଓ ମାନସମନ୍ଥନ ଏହି କରାଯିବା ପାଇଁ ଯୋଜନା କରାଯାଇଥିଲା। ଡିସେମ୍ବର ସୁଦ୍ଧା ଏହି ୟୁନିଟ୍‌ କାର୍ଯ୍ୟକ୍ଷମ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ, ବୈଠକ ପରେ ସାମାନ୍ୟ ବି ଆଗକୁ ଗଲାନି କାମ। ଏବେ କିନ୍ତୁ ସେହି ପୁରୁଣା ପ୍ରକଳ୍ପ ଛାଡି ଏସ୍‌ସିବିକୁ ଏମ୍‌ସ୍‌ ପ୍ଲସ୍‌ ମେଡିକାଲରେ ଗଢି ତୋଳିବା ଯୋଜନାରେ ରାଜ୍ୟ ସରକାର ବ୍ୟସ୍ତ। ଏବେ ଏହି ୧୨କୋଟିର ଟଙ୍କା ପାଣିରେ ପଡ଼ିବ‌ା ଭଳି ସ୍ଥିତି ହୋଇଛି। ଏପରିକି ଯନ୍ତ୍ରାଂଶର ଅବସ୍ଥା ଏବେ କେମିତି ଅଛି ତାହା କାହାରିକୁ ଜଣା ନଥିବା ବେଳେ ଇତିମଧ୍ୟରେ ଯନ୍ତ୍ରାଂଶର ଅତ୍ୟାଧୁନିକ ଭର୍ସନ ବି ବାହାରି ସାରିଲାଣି। ଫଳରେ ଏହି ପୁରୁଣା ଯନ୍ତ୍ରାଂଶ କେତେଦୂର ବ୍ୟବହାର ଉପଯୋଗୀ ହୋଇପାରିବ, ତାହାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe