ବାଲିପାଟଣାରେ ସ୍କୁଲ ରୂପାନ୍ତର ଯୋଜନା: ଚକାଚକ୍‌ ହେଲା ୨୧ରୁ ୨, ଜରାଜୀର୍ଣ୍ଣ ଅବସ୍ଥାରେ ବଳକା ବିଦ୍ୟାଳୟ

Advertisment

ଶିକ୍ଷକ ଅଭାବ ସାଙ୍ଗକୁ ଅସଜଡ଼ା ଭିତ୍ତିଭୂମି

ଶିକ୍ଷକ ଅଭାବ ସାଙ୍ଗକୁ ଅସଜଡ଼ା ଭିତ୍ତିଭୂମି

ବାଲିପାଟଣାରେ ସ୍କୁଲ ରୂପାନ୍ତର ଯୋଜନା: ଚକାଚକ୍‌ ହେଲା ୨୧ରୁ ୨, ଜରାଜୀର୍ଣ୍ଣ ଅବସ୍ଥାରେ ବଳକା ବିଦ୍ୟାଳୟ

ବାଲିପାଟଣା: ୫-ଟି ଯୋଜନାର ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମ ଅନୁସାରେ ବାଲିପାଟଣା ବ୍ଲକ୍‌ର ମାତ୍ର ୨ ବିଦ୍ୟାଳୟ ସ୍ମାର୍ଟ ହୋଇପାରିଛି। ଏହି ଦୁଇ ବିଦ୍ୟାଳୟ ହେଉଛି ବନମାଳୀପୁର ହାଇସ୍କୁଲ ଓ କୁଶଭଦ୍ରା ହାଇସ୍କୁଲ। ନାମୀଦାମୀ ଘରୋଇ ବିଦ୍ୟାଳୟ ଭଳି ଏହି ଦୁଇ ବିଦ୍ୟାଳୟରେ ଅତ୍ୟାଧୁନିକ ସୁବିଧାସୁଯୋଗ ଖଞ୍ଜି ଚକାଚକ୍‌ କରାଯାଇଛି। ବିଦ୍ୟାଳୟର ଆଲୁମିନିଙ୍କ ଆର୍ଥିକ ସହଯୋଗ ଓ ସରକାରଙ୍କ ଅନୁଦାନ ଦ୍ବାରା ଏହି ଦୁଇ ବିଦ୍ୟାଳୟର ରୂପରଙ୍ଗ ବଦଳିଯାଇଛି ଓ ଏହା ଛାତ୍ରଛାତ୍ରୀଙ୍କ ଭିତରେ ନୂତନ ଉନ୍ମାଦନା ଭରି ଦେବ ବୋଲି ବିଶ୍ବାସ କରାଯାଉଛି। ତେବେ ଏହି ବ୍ଲକ୍‌ର ଅନ୍ୟ ସବୁ ବିଦ୍ୟାଳୟର ଜରାଜୀର୍ଣ୍ଣ ଚିତ୍ର ଜଳଜଳ ହୋଇ ଦେଖାଯାଉଛି। ଅସ୍ବାସ୍ଥ୍ୟକର ପରିବେଶ, ଭଙ୍ଗା‌ଦଦରା ଶ୍ରେଣୀଗୃହରେ ପିଲାମାନେ ବସି ପଢ଼ୁଛନ୍ତି। ବଡ଼ ସମସ୍ୟା ହେଉଛି ଶିକ୍ଷକ ଓ ଶ୍ରେଣୀଗୃହ ଅଭାବ। ଫଳରେ ବହୁ ବିଦ୍ୟାଳୟରେ ଏକାଧିକ ଶ୍ରେଣୀର ପିଲାମାନଙ୍କୁ ଏକାଠି ବସାଇ ଶିକ୍ଷକମାନେ ପଢ଼ାଉଥିବା ଦେଖିବାକୁ ମିଳୁଛି। ତେଣୁ ବ୍ଲକ୍‌ର ଅନ୍ୟ ସବୁ ବିଦ୍ୟାଳୟର ପିଲାମାନେ କ’ଣ ସରକାରଙ୍କ ସାବତ ପୁଅ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ବ୍ଲକ୍‌ରେ ସରକାରୀ ଓ ଅନୁଦାନପ୍ରାପ୍ତ ୨୧ ଉଚ୍ଚ ବିଦ୍ୟାଳୟ, ୩୨ ଉଚ୍ଚ ପ୍ରାଥମିକ ଓ ୬୪ ପ୍ରାଥମିକ ବିଦ୍ୟାଳୟ ଅଛି। ସମସ୍ତ ବିଦ୍ୟାଳୟର ମୋଟ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ। ମୋ’ ସ୍କୁଲ ଅଭିଯାନ ତଥା ୫-ଟି କାର୍ଯ୍ୟକ୍ରମରେ ବନମାଳୀପୁର ସରକାରୀ ବିଦ୍ୟାଳୟ ଓ କୁଶଭଦ୍ରା ସରକାରୀ ହାଇସ୍କୁଲକୁ ସାମିଲ୍‌ କରାଯାଇଛି। ବନମାଳୀପୁର ହାଇସ୍କୁଲ୍‌ରେ ୬୪୬ ଓ କୁଶଭଦ୍ରା ହାଇସ୍କୁଲ୍‌ରେ ୫୮୫ ଛାତ୍ରଛାତ୍ରୀ ପଢ଼ୁଛନ୍ତି। କୁଶଭଦ୍ରା ହାଇସ୍କୁଲ୍‌କୁ ୩୫ ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ଏହି ଅର୍ଥରେ ସ୍ମାର୍ଟ କ୍ଲାସ୍‌ ରୁମ୍‌, ଆଧୁନିକ ପାଠଗାର, ଅତ୍ୟାଧୁନିକ ବିଜ୍ଞାନାଗାର, ଇ- ପାଠାଗାର, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଆଧୁନିକ ଶୌଚାଳୟ, ସୁନ୍ଦର ପାର୍କ ପ୍ରଭୃତି ନିର୍ମାଣ କରାଯାଇଛି। ଏଥିସହିତ ବିଦ୍ୟାଳୟ ପରିସରରେ ଖୋଲା ମଞ୍ଚ, ୱାଟର ଫଲ୍‌ ଓ ଅନ୍ୟାନ୍ୟ ସୁନ୍ଦର କାରୁକାର୍ଯ୍ୟ ତିଆରି କରାଯାଇଛି। ସେହିଭଳି ପରିସରରେ ଗାଣିତିକ ଉଦ୍ୟାନ, ସୁଦୃଶ୍ୟ ଫାଟକ ନିର୍ମାଣ ଓ ପାଚେରିର ସୌନ୍ଦର୍ଯ୍ୟୀକରଣ ପାଇଁ ବିଭିନ୍ନ ଚିତ୍ରକଳା ଅଙ୍କନ କରାଯାଇଛି। ବିଦ୍ୟାଳୟର ଆଲୁମିନି ସଭାପତି ଭାଗିରଥୀ ପାତ୍ର ୧୦ ଲକ୍ଷ ୧୨ ହଜାର ଟଙ୍କା ଜମା କରିଥିବା ବେଳେ ଅନ୍ୟମାନେ ବି ବେଶ୍ ଭଲ ଆର୍ଥିକ ସହଯୋଗ କରିଥିଲେ। ଶ୍ରୀ ପାତ୍ରଙ୍କ ଏହି ଅବଦାନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ତାଙ୍କୁ ସମ୍ମାନିତ କରିଥିଲେ ଓ ବିଦ୍ୟାଳୟକୁ ସ୍ମାର୍ଟ କରିବା ପାଇଁ ସରକାର ୩୫ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି। ସେହିପରି ବନମାଳୀପୁର ହାଇସ୍କୁଲର ରୂପାନ୍ତର କାର୍ଯ୍ୟ ଜୋର୍‌ଦାର୍‌ ଚାଲୁରହିଛି ଓ ଏଥିପାଇଁ ମଧ୍ୟ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।

ସ୍ଥାନୀୟ ଲୋକଙ୍କ କହିବା କଥା ସରକାରଙ୍କ ଏହି କାର୍ଯ୍ୟକ୍ରମ ପ୍ରଶଂସନୀୟ। ମାତ୍ର ଏହା ଦ୍ବାରା ଦୁଇ ବିଦ୍ୟାଳୟର ପାଖାପାଖି ଏକ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ବ୍ଲକ୍‌ର ବାକି ୯ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଭଳି ସୁବିଧାରୁ ବଞ୍ଚିତ। ଅନ୍ୟ ସବୁ ବିଦ୍ୟାଳୟକୁ ବି ସରକାର ସମାନ ନଜରରେ ଦେଖିବା କଥା। ଅଧିକ କିଛି ନକଲେ ବି ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ କରିବା ସହ ଶିକ୍ଷକ ନିଯୁକ୍ତି ଦେବା କଥା। ମାତ୍ର ତାହା ହେଉନାହିଁ। ବହୁ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ସାମୁଦ୍ରିକ ବାତ୍ୟା ଫନି ପରଠାରୁ ବହୁ ବିଦ୍ୟାଳୟର ଭିତ୍ତିଭୂମି ବିଗିଡ଼ି ଯାଇଥିଲେ ବି ମରାମତି ହୋଇପାରିନାହିଁ। ଉଦାହରଣ ଭାବେ ବାଗଲପୁର ବିପିନବିହାରୀ ସରକାରୀ ହାଇସ୍କୁଲକୁ ନିଆଯାଇପାରେ। ଏଠାରେ କରୋନା ଟିକାକେନ୍ଦ୍ର ହୋଇଥିଲା। ୨୦ ଦିନ ହେଲା ଟିକାକରଣ ବନ୍ଦ ହେଲାଣି। ଅଥଚ ଶ୍ରେଣୀଗୃହ ଓ ବିଦ୍ୟାଳୟ ପରିସରରେ ପଲିଥିନ୍‌, କାଗଜ, ପାଣି ବୋତଲ ଭଳି ଆବର୍ଜନା ସେମିତି ପଡ଼ିରହିଛି।

ବିଦ୍ୟାଳୟ ସାନିଟାଇଜ୍‌ କରାଯାଇନାହିଁ। ଏଣେ ବିଦ୍ୟାଳୟ ଖୋଲିଲାଣି। ୬ଷ୍ଠ ଶ୍ରେଣୀରେ ୫୨ ଓ ୭ମ ଶ୍ରେଣୀରେ ୩୮ ପିଲାଙ୍କ ପାଇଁ ବସିବା ସମସ୍ୟା ଦେଖାଦେଇଛି। ଭାତ ହାଣ୍ଡିରୁ ଗୋଟିଏ ଦାନା ପରଖିବା ନ୍ୟାୟରେ ଏମିତି ବହୁ ଉଦାହରଣ ରହିଛି। କେତେକ ବିଦ୍ୟାଳୟରେ ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା ଚାଲିଛି। ନୂତନ ଶିକ୍ଷକ ନିଯୁକ୍ତି ହେଉନଥିବାରୁ ଶିକ୍ଷକ ମରୁଡ଼ି ସ୍ଥିତି ମଧ୍ୟ ଅଛି। ତେଣୁ କେବଳ ଦୁଇଟି ବିଦ୍ୟାଳୟକୁ ଚକାଚକ୍‌ କରିଦେଲେ କାଣିଚାଏ ଫାଇଦା ହେବ ସିନା‌ ବ୍ଲକ୍‌ ବଳକା ହଜାର ହଜାର ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ହୋଇପାରିବ ନାହିଁ। ସେମାନେ ସାବତ ପୁଅ ଭଳି ନ୍ୟାୟ ଓ ହକ୍‌ରୁ ବଞ୍ଚିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe