ଆଜିଠୁ ଖୋଲିବ ସ୍କୁଲ : ୪୮ ଦିନ ପରେ ବି ସୁଧୁରିନି ସ୍ଥିତି, ପାଳି କରି ପଢ଼ାଯିବ

Advertisment
ଆଜିଠୁ ଖୋଲିବ ସ୍କୁଲ : ୪୮ ଦିନ ପରେ ବି ସୁଧୁରିନି ସ୍ଥିତି, ପାଳି କରି ପଢ଼ାଯିବ

ଭୁବନେଶ୍ବର : ବାତ୍ୟା ‘ଫନି’କୁ ୫୦ ଦିନ ବିତିବାକୁ ବସିଲାଣି। ତଥାପି ଭୁବନେଶ୍ବରରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକର ସ୍ଥିତିରେ ସୁଧାର ଆସିନି। କ୍ୟାମ୍ପସ୍‌ରୁ ଅଳିଆ ଉଠାଯିବା ସହ ପରିସ୍କାର ପରିଚ୍ଛନ୍ନ କରାଯାଇଥିଲେ ମଧ୍ୟ ଏବେ ବି ସବୁ ବିଦ୍ୟ‌ାଳୟର କୋଠା ମରାମତି ହୋଇପାରିନି। କେଉଁଠି ଘର ଉପରୁ ଆଜବେଷ୍ଟସ୍‌ ଛପର ଉଡ଼ିଯାଇଛି ତ ଆଉ କେଉଁଠି ବାତ୍ୟାରେ ପ୍ରଭାବିତ ବାରଣ୍ଡାରେ ଏପର୍ଯ୍ୟନ୍ତ ଆଜବେଷ୍ଟସ୍‌ ପଡ଼ିପାରି ନାହିଁ। ‌ପିଲାମା‌ନେ ଯେଉଁଠି ବସି ମଧ୍ୟାହ୍ନଭୋଜନ ଖାଇଥାନ୍ତି ସେଠାକାର ଅବସ୍ଥା ବି ବିପର୍ଯ୍ୟସ୍ତ। ପରିସ୍ଥିତିରେ ସୁଧାର ଆସି ନଥିବା ବେଳେ ଶୁକ୍ରବାରଠାରୁ ସ୍କୁଲ ଖୋଲୁଛି। ଏପଟେ ମୌସୁମୀ ବର୍ଷା ବି ଚିନ୍ତା ବଢ଼ାଇ ଦେଇଛି। କେମିତି ପଢ଼ିବେ ପିଲା? କିଭଳି ହେବ ପାଠପଢ଼ା? ତାହାକୁ ନେଇ ଆଶା ଆଶଙ୍କା ବଢ଼ିବାରେ ଲାଗିଛି।

ସେପଟେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜୋରଦାର ଉଦ୍ୟମ ହେଉଛି। ଯେକୌଣସି ପ୍ରକାରେ ସ୍କୁଲ ଖୋଲି ପାଠପଢ଼ା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଧିକ ସମୟ ଡ୍ୟୁଟି କରିବାକୁ ବି ପରାମର୍ଶ ଦିଆଯାଇଛି। ଶୁକ୍ରବାର ସ୍କୁଲ ଖୋଲିବା ନେଇ ମଧ୍ୟାହ୍ନରେ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଘୋଷଣା କରିବା ପରେ କ୍ଲଷ୍ଟର୍‌ ରି‌ସୋର୍ସ ସେଣ୍ଟର୍‌ କୋର୍ଡିନେଟର(ସିଆରସିସି)ଙ୍କ ମାଧ୍ୟମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ସୂଚନା ପଠାଯାଇଛି। ପ୍ରଥମ ଦିନ ହୋଇଥିବାରୁ ସକାଳ ୯ଟା ୩୦ ସୁଦ୍ଧା ବିଦ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି।

publive-image

ବିଇଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଥିବା ଏକାମ୍ର ବିହାର ‌ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ ଜନତା ନଗର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଅସୁବିଧା ଥିଲା। ସେଠାରେ ମରାମତି କରାଯାଇଛି। ଏକାମ୍ରକାନନ ବିଦ୍ୟାଳୟରେ ପଢ଼ିବା ଲାଗି ଅସୁବିଧା ନାହିଁ। ଜନତା ନଗର ପ୍ରକଳ୍ପ ବିଦ୍ୟାଳୟରେ ମରାମତି ହୋଇଥିଲେ ବି ଦୁଇଟି ସିଫ୍ଟରେ ପାଠପଢ଼ା ଚାଲିବ। ସେଠାରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି। ତେଣୁ ପାଠପଢ଼ାରେ ଅସୁବିଧା ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଛି। ଭୁବନେଶ୍ବର ବ୍ଲକ ଅଞ୍ଚଳରେ ଥିବା ଫୁଲନଖରାସ୍ଥିତ ଲାଲ ବାହାଦୁର ନୋଡାଲ ହାଇସ୍କୁଲ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୫ଟି ଶ୍ରେଣୀଗୃହ ଭାଙ୍ଗିଯାଇଛି। ବାକି ଦୁଇଟି ଶ୍ରେଣୀଗୃହ ଭଲ ରହିଛି। ତେଣୁ ସେଠାରେ ପାଳି(ସିଫ୍ଟ)ରେ ପାଠପଢ଼ା ହେବ। ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୧ଟା ଯାଏ ପ୍ରଥମ ସିଫ୍ଟ କ୍ଲାସ ହେବ। ଅନ୍ୟଟି ୧୧ଟା ୩୦ରୁ ଅପରାହ୍‌ଣ ୪ଟା ୩୦ ଯାଏ ଚାଲିବ। ଡୁମୁଡୁମାସ୍ଥିତ ରଘୁନାଥ ନଗର ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ପାର୍ଶ୍ବ ଭାଙ୍ଗିଯାଇଛି। ଆଉ ଗୋଟିଏ ପାର୍ଶ୍ବ ଭଲ ରହିଛି। ତେଣୁ ସେଠାରେ ବି ପାଳି କରି ପାଠପଢ଼ା କରାଯିବ। ପ୍ରଶାନ୍ତି ବିହାର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ବି ସମାନ ସ୍ଥିତି ରହିଛି। ତେଣୁ ସେଠାରେ ଦୁଇଟି ସିଫ୍ଟରେ ପାଠ ପଢ଼ାଯିବ। କେଉଁ କ୍ଲାସ କେତେବେଳେ ହେବ ସେନେଇ ବିଦ୍ୟାଳୟ କର୍ତୃପକ୍ଷ ନିଷ୍ପତ୍ତି ନେବେ।

ବିଇଓ ସସ୍ମିତା ମାଳି କହିଛନ୍ତି ଯେ ସ୍କୁଲ ଖୋଲିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ୧୯ ତାରିଖରେ ସ୍କୁଲ ଖୋଲିବାର ଥିଲା। ଏହାପୂର୍ବରୁ ଗତ ୧୭ ଓ ୧୮ ତାରିଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହି ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଶୁକ୍ରବାର ସ୍କୁଲ ଖୋଲିବାକୁ ଥିବାରୁ ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି)ର ସଦସ୍ୟମାନେ ଉପସ୍ଥିତ ରହିବାକୁ କୁହାଯାଇଛି। ସମସ୍ତ ସ୍କୁଲ କର୍ତୃପକ୍ଷ ଅପରାହ୍‌ଣରେ ଉପସ୍ଥାନ ତାଲିକା ପଠାଇବାକୁ କୁହାଯାଇଛି। ସ୍କୁଲରେ ଠିକ୍‌ ଭାବେ ପଢ଼ା ହେଲା କି ନାହିଁ ତାହ‌ାର ତଦାରଖ କରାଯିବ। କେନ୍ଦ୍ରୀୟ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ହୋଇଥିବାରୁ କୌଣସି ଅସୁବିଧା ହେବ ନାହିଁ। ରାଜ୍ୟ ସରକାରଙ୍କଠାରୁ ଆସନ୍ତାକାଲି ସ୍କୁଲ ଖୋଲିବା ନେଇ ନୋଟିସ୍‌ ପାଇବା ପରେ ସମସ୍ତ ବିଦ୍ୟାଳୟ ସମେତ ସେଣ୍ଟ୍ରାଲ କିଚେନ୍‌ ଦାୟିତ୍ବରେ ଥିବା ସଂସ୍ଥାକୁ ମଧ୍ୟାହ୍ନଭୋଜନ ସମ୍ପର୍କରେ ଅବଗତ କରାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe