ରାଜଧାନୀରେ ଆଜି ଖୋଲିବ ସ୍କୁଲ: ତଦାରଖ ପାଇଁ ଗଢ଼ା ହେଲା ସ୍କ୍ବାଡ୍‌, ୯ଟା ୩୦ରେ ପହଞ୍ଚିବେ ଶିକ୍ଷକଶିକ୍ଷୟିତ୍ରୀ

Advertisment

ସରକାରୀ ସ୍କୁଲ କ୍ୟାମ୍ପସରେ ଲାଗିବ ଫ୍ଲେକ୍ସ

ସରକାରୀ ସ୍କୁଲ କ୍ୟାମ୍ପସରେ ଲାଗିବ ଫ୍ଲେକ୍ସ

ରାଜଧାନୀରେ ଆଜି ଖୋଲିବ ସ୍କୁଲ: ତଦାରଖ ପାଇଁ ଗଢ଼ା ହେଲା ସ୍କ୍ବାଡ୍‌, ୯ଟା ୩୦ରେ ପହଞ୍ଚିବେ ଶିକ୍ଷକଶିକ୍ଷୟିତ୍ରୀ

ଚନ୍ଦ୍ରଶେଖରପୁର: ପ୍ରାୟ ୧୦ ମାସ ପରେ ରାଜଧାନୀରେ ଖୋଲିବ ସ୍କୁଲ। ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ। ତେବେ ସ୍କୁଲ ଖୋଲିବା ପୂର୍ବରୁ ଖୋର୍ଦ୍ଧା ଜିଲା ପ୍ରଶାସନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍କୁଲ କର୍ତୃପକ୍ଷଙ୍କ ପକ୍ଷରୁ ମିଳିତ ଭାବେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସରକାରୀ ବିଦ୍ୟାଳୟ ସମେତ ଘରୋଇ ସ୍କୁଲ କ୍ୟାମ୍ପସ୍‌କୁ ବିଶୋଧନ ସରିଛି। ଶୁକ୍ରବାର ସକାଳୁ ବି ପୁଣିଥରେ ବିଶୋଧନ ହେବ। ସ୍କୁଲ କ୍ୟାମ୍ପସ୍‌ରେ ଯେପରି କୋଭିଡ୍‌-୧୯ ନିୟମ ପାଳନ ହେବ, ତାହାର ତଦାରଖ ଲାଗି ୩ଟି ସ୍କ୍ବାଡ୍‌ ଗଠନ ହୋଇଛି। ଏହି ସ୍କ୍ବାଡ୍‌ରେ ସାମିଲ ହୋଇଥିବା ସଦସ୍ୟମାନେ ବିଭିନ୍ନ ସମୟରେ ସ୍କୁଲ ଗସ୍ତ କରି କ୍ୟାମ୍ପସ ସ୍ଥିତି ଅନୁଧ୍ୟାନ କରିବେ।

ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସନ୍ତୋଷ ରାଉତ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦେଶାବଳୀ ଅନୁଯାୟୀ, ସହରର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ। ଛାତ୍ରଛାତ୍ରୀ ସ୍କୁଲ ଆସିବା ପୂର୍ବରୁ ଅଭିଭାବକଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଆଣିବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ। ତେବେ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା କ୍ୟାମ୍ପସରେ ପହଞ୍ଚିବାକୁ କୁହାଯାଇଛି। ସେମାନେ ଅପରାହ୍‌ଣ ୪ଟା ୩୦ ପର୍ଯ୍ୟନ୍ତ କ୍ୟାମ୍ପସ୍‌ରେ ରହିବେ। କ୍ୟାମ୍ପସ୍‌ରେ ସାମାଜିକ ଦୂରତା ରକ୍ଷା କରାଯିବ। ଗୋଟିଏ କ୍ଲାସରୁମ୍‌ରେ ଅତି ବେଶିରେ ୨୫ଜଣ ପିଲା ରହିବେ। ତା’ଠାରୁ ଅଧିକ ପିଲାଙ୍କୁ ଅନୁମତି ନ ଦେବାକୁ ପ୍ରଧାନ ଶିକ୍ଷକମାନଙ୍କୁ କୁହାଯାଇଛି। ସେଥିପାଇଁ ପ୍ରତି ସ୍କୁଲ କ୍ୟାମ୍ପସରେ ଏକ ଫ୍ଲେକ୍ସ ଲଗାଯିବ। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ୬୦ଟି ସରକାରୀ ଉଚ୍ଚବିଦ୍ୟାଳୟ ଓ ଭୁବନେଶ୍ବର ବ୍ଲକରେ ୨୨ଟି ବିଦ୍ୟାଳୟ ରହିଛି। କରୋନାକୁ ଦୃଷ୍ଟିରେ ରଖି ପ୍ରତି ସ୍କୁଲରେ ଆଇସୋଲେସନ୍‌ ରୁମ୍‌ ଖୋଲା ଯାଇଛି। କ୍ୟାମ୍ପସ ତଦାରଖ ଲାଗି ବ୍ଲକ୍‌ସ୍ତରୀୟ ମନିଟରିଂ କମିଟି ଗଠନ ହୋଇଛି। ଯେଉଁଥିରେ ବିଇଓ, ଏବିଇଓ, ହାଇସ୍କୁଲ ପ୍ରଧାନଶିକ୍ଷକ, ପିଇଟି ପ୍ରମୁଖ ସମସ୍ୟ ରହିଛନ୍ତି। ଏହାବ୍ୟତୀତ କ୍ଲଷ୍ଟରସ୍ତରରେ ବି କମିଟି ଗଠନ ହୋଇଛି। ଭୁବନେଶ୍ବର ଓ ବିଏମ୍‌ସିରେ ମୋଟ ୨୬ଟି କ୍ଲଷ୍ଟର ରହିଛି। କ୍ଲଷ୍ଟରସ୍ତରରେ ଗଠନ ହୋଇଥିବା କମିଟିରେ ସିଆରସିସି, ବରିଷ୍ଠ ଶିକ୍ଷକ, ପ୍ରଧାନ ଶିକ୍ଷକମାନେ ସାମିଲ ହୋଇଛନ୍ତି। ସେମାନେ ସ୍କୁଲ ବୁଲି ତଦାରଖ କରିବେ। ମାସ୍କ ପିନ୍ଧିବା ଓ ସାନିଟାଇଜର ରଖିବା ବାଧ୍ୟତାମୂଳକ ହୋଇଛି।

ସାମାଜିକ ଦୂରତାକୁ ଗୁରୁତ୍ବ ଦେବୁ
ଦୀର୍ଘ ଦିନ ପରେ ସ୍କୁଲ ଖୋଲୁ ଥିବାରୁ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଯେଉଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆସିବେ, ସେମାନଙ୍କ ମଧ୍ୟରେ କୋଭିଡ୍‌ ପ୍ରତି ସଚେତନତା ଓ ସାମାଜିକ ଦୂରତା ରକ୍ଷା କରି ଶ୍ରେଣୀଗୃହରେ ଶିକ୍ଷାଦାନ କରିଯିବା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ପ୍ରତି‌ ଶ୍ରେଣୀରେ ୨୦/୨୫ ପିଲା ବସିବା ନେଇ ସୁବିଧା ହୋଇଛି। ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଉଦ୍ୟମକ୍ରମେ ସ୍କୁଲ୍‌ କ୍ୟାମ୍ପସକୁ ସଫାସୁତୁରା କରାଯାଇଛି। ସ୍କୁଲ ଆସିବା ପରେ ପିଲାଙ୍କ ମାନସିକ ମନୋବଳ ବଢ଼ାଇବାକୁ ଉଦ୍ୟମ କରାଯିବ। ଶିକ୍ଷକମାନେ କ୍ଲାସରୁମ୍‌ରେ ଏ ସମ୍ପର୍କରେ ପିଲାଙ୍କୁ ବୁଝାଇବେ। ଅଭିଭାବକଙ୍କ ସହ ଆଲୋଚନା କରାଯାଇ ଅସୁସ୍ଥ ପିଲାଙ୍କୁ ଅନ୍‌ଲାଇନ୍ ଶିକ୍ଷା ଦିଆଯିବ। ନିର୍ଦ୍ଧାରିତ ସମୟ ପୂର୍ବରୁ ୭୦% ପାଠପଢ଼ା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
-ସୁରେଶ ଚନ୍ଦ୍ର ମହାପାତ୍ର, ଶିକ୍ଷକ

ଶିକ୍ଷାଦାନ ପ୍ରଥମ ଦାୟିତ୍ବ
କୋଭିଡ୍‌-୧୯ ପରେ ସ୍କୁଲ୍ ଖୋଲିବାକୁ ଯାଉଛି। ଯାହାକୁ ନେଇ ପିଲାଙ୍କ ସୁରକ୍ଷା ଓ ସରକାରଙ୍କର ସମସ୍ତ ନିୟମ ମାନି ଶିକ୍ଷାଦାନ କରାଇବା ଆମମାନଙ୍କ ପ୍ରଥମ ଦାୟିତ୍ବ ହେବ। ବର୍ତମାନ ସ୍କୁଲ୍ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଛି। ପିଲାମାନେ ନିଜ ଘରୁ ପାଣି ଓ ଖାଦ୍ୟ ଆଣିବେ। ଆବଶ୍ୟକସ୍ଥଳେ ସ୍କୁଲ୍ ଆକ୍ବାଗାର୍ଡ ପାଣି ପିଇ ପାରିବେ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ସାନିଟାଇଜ୍‌ ପ୍ରତି ଧ୍ୟାନ ରଖିବେ। ଶ୍ରେଣୀକୁ ପ୍ରବେଶ ପୂର୍ବରୁ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ପିଲାଙ୍କ ମିଳାମିଶା ଉପରେ କଡ଼ା ନଜର ରଖିବା ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କୁହାଯାଇଛି। ପ୍ରଥମ ଦିନରେ ପାଠପଢ଼ା କମ୍‌ ହେବ, ବରଂ ଅନ୍‌ଲାଇନ୍‌ରେ ଯେଉଁ ଶିକ୍ଷା ଦିଆଯାଇଥିଲା ତାହା ଉପରେ ଆଲୋଚନା ହେବ। ପରବର୍ତୀ ସମୟରେ ବିଭିନ୍ନ ବିଷୟରେ ପାଠପଢ଼ା ହେବ।
-ସୁରେଶ ଚନ୍ଦ୍ର ବେହେରା, ସହ ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟାଜ୍ଞାନ ମନ୍ଦିର, ନୀଳାଦ୍ରିବିହାର

ପିଲାଙ୍କ ସ୍ବାସ୍ଥ୍ୟ ଆମ ପାଇଁ ଚ୍ୟାଲେଞ୍ଜ
ସ୍କୁଲ୍ ପରିବେଶକୁ ସମ୍ପୂର୍ଣ୍ଣ ଭାବେ ସଫା କରାଯାଇଛି। ଶ୍ରେଣୀଗୃହ ଓ ଘରକାନ୍ଥକୁ ବିଏମ୍‌ସି ପକ୍ଷରୁ ବିଶୋଧନ କରାଯାଇଛି। କ୍ୟାମ୍ପସ୍‌ ସାରା ବ୍ଲିଚିଂ ପକାଯାଇଛି। ପିଲାଙ୍କ ସ୍ବାସ୍ଥ୍ୟ ଯେପରି ସ୍କୁଲ୍ ପରିବେଶରେ ଭଲ ରହିବ, ସେନେଇ ଆମେ ଚାଲେଞ୍ଜ ସହ ଶିକ୍ଷାଦାନ କରିବୁ। ପିଲାଙ୍କୁ ଅଲଗା ଅଲଗା ଶ୍ରେଣୀରେ ବସାଇ ଶିକ୍ଷା ଦେବା ସହ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଅଳ୍ପ ସମୟ ମଧ୍ୟରେ ସମସ୍ତ ବିଷୟ ସମ୍ପର୍କରେ ପିଲାଙ୍କୁ ପଢ଼ାଇ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇବା ଆମ ପାଇଁ ବଡ଼ ଚାଲେଞ୍ଜ। ଛୁଟିରେ ପିଲାମାନେ ଅନ୍‌ଲାଇନ୍ ଶିକ୍ଷା ପାଉଥିଲେ। ମାତ୍ର ଶ୍ରେଣୀ ଶିକ୍ଷାରେ ଆହୁରି ଅଧିକ ଶିକ୍ଷା ପାଇପାରିବେ ବୋଲି ଆଶା କରାଯାଉଛି।
-ସୁରେନ୍ଦ୍ରନାଥ ଗାହାଣ, ପ୍ରଧାନ ଶିକ୍ଷକ
ଗଡ଼େଶ୍ବର ହାଇସ୍କୁଲ୍, ଗାଡ଼କଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe