Photograph: (https://www.ibtimes.co.in/)
ଭୁବନେଶ୍ବର: ବିହାରରୁ ଓଡ଼ିଶା ଯାଏଁ ଚେର ଲମ୍ବିଥିବା ଅନ୍ତଃରାଜ୍ୟ ବନ୍ଧୁକ ମାଫିଆ ଗ୍ୟାଙ୍ଗ୍ର ମାଷ୍ଟରମାଣ୍ଡ ଦିବ୍ୟାଂଶୁ କୁମାର ଓ ସହଯୋଗୀ ଚନ୍ଦନ କୁମାରକୁ ୫ଦିନିଆ ରିମାଣ୍ଡରେ ଆଣିବ କମିସନରେଟ୍ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍(ଏସ୍ସିୟୁ)। ଏଥିପାଇଁ ଆଜି ଏସ୍ସିୟୁ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଏହି ୨ ମାଫିଆଙ୍କୁ ରିମାଣ୍ଡରେ ଆଣିବା ପୂର୍ବରୁ ଏସ୍ସିୟୁ ଟିମ୍ ସେମାନଙ୍କ ମୋବାଇଲ ସିଡିଆର୍ ରିପୋର୍ଟ ଓ ବ୍ୟାଙ୍କ ତଥ୍ୟ ସଂଗ୍ରହ କରିଛି। ଏଥିରୁ ସେମାନଙ୍କ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ବ୍ୟାଙ୍କ ତଥ୍ୟ ଯାଞ୍ଚ ବେଳେ କେତେକ ଆର୍ଥିକ କାରବାରକୁ ନେଇ ପୁଲିସ ସନ୍ଦେହ କରିଛି। ସେମିତି ଦିବ୍ୟାଂଶୁ ବିହାରରେ ରହୁଥିବା ସମୟରେ ଓଡ଼ିଶାରୁ ତାକୁ ଅନେକ କଲ୍ ଯାଇଥିଲା। ସେହି ସବୁ ନମ୍ବରକୁ ନେଇ ପୁଲିସ ସନ୍ଦେହ କରିଛି। ଉଭୟ ବ୍ୟାଙ୍କ ଓ ସିଡିଆର୍ ତଥ୍ୟକୁ ନେଇ ପୁଲିସ ଏକ ତାଲିକା ପ୍ରସ୍ତୁତ କରିଛି। ଉଭୟ ରିମାଣ୍ଡରେ ଆସିବା ପରେ ସମସ୍ତ ଦିଗକୁ ନେଇ ମାରାଥନ୍ ଜେରା କରିବ ବୋଲି ଜଣାପଡ଼ିଛି। ଏହାଛଡ଼ା ବିହାର ପୁଲିସ ସହ ଯୋଗାଯୋଗ କରାଯାଇ ଏମାନଙ୍କ ଅପରାଧିକ ଇତିହାସ ଯାଞ୍ଚ ବେଳେ ସେମାନଙ୍କର କିଛି କୁଖ୍ୟାତ ଅପରାଧୀ, ମାଫିଆଙ୍କ ସହ ଲିଙ୍କ୍ ଥିବା କଥା ମଧ୍ୟ ପୁଲିସ ଜାଣିବାକୁ ପାଇଛି। ରିମାଣ୍ଡ ସମୟରେ ସେ ଦିଗରେ ମଧ୍ୟ ପୁଲିସ ପଚରାଉଚରା କରିବ। ଜେରା ପରେ ରୢାକେଟ୍ର ଅନେକ ଗୁମର ଖୋଲିବ। ଅଧିକ ବନ୍ଧୁକ ଜବତ ସହ ଗିରଫଦାରୀ ସଂଖ୍ୟା ମଧ୍ୟ ବଢ଼ିପାରେ ବୋଲି କୁହାଯାଇଛି।
ପ୍ରକାଶ ଥାଉ କି, ଗତ ୫ ବର୍ଷ ହେବ ଏହି ଗ୍ୟାଙ୍ଗ ବନ୍ଧୁକ କାରବାର ଚଳାଇଥିଲା। ରାଜଧାନୀ ସମେତ ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ବ୍ରହ୍ମପୁରରେ ଏହି ଗ୍ୟାଙ୍ଗ୍ ପତିଆରା ଥିଲା। ଗ୍ୟାଙ୍ଗ୍ ସମ୍ପର୍କରେ ସୂଚନା ପାଇବା ପରେ ସ୍ପେସାଲ୍ କ୍ରାଇମ୍ ୟୁନିଟ୍(ଏସ୍ସିୟୁ) ଏମାନଙ୍କୁ ଗିରଫ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଦିବ୍ୟାଂଶୁର ନମ୍ବରକୁ କଲ୍ କରି ପୁଲିସ ଗ୍ରାହକ ସାଜିଥିଲା। ଆଉ ଏକ କାର୍ବାଇନ୍ କିଣିବା ପାଇଁ ଡିଲ୍ କରିଥିଲା। ଗତ ୧୪ ତାରିଖ ରାତିରେ ଦିବ୍ୟାଂଶୁ ଓ ଚନ୍ଦନ କାର୍ବାଇନ୍ ସହ ୫ଟି ବନ୍ଧୁକ, ୯ଗୁଳି ଓ ୨ଟି ମ୍ୟାଗ୍ଜିନ୍ ଧରି ଭୁବନେଶ୍ବରରେ ପହଞ୍ଚିଥିବା ପରେ ଏସ୍ସିୟୁର ୨ଟି ଟିମ୍ ଚଢ଼ଉ କରି ଉଭୟଙ୍କୁ କାବୁ କରିବା ସହ ବନ୍ଧୁକ, ଗୁଳି ଓ ମ୍ୟାଗ୍ଜିନ୍କୁ ଜବତ କରିଥିଲେ।
Follow Us