ଏସ୍‌ଡିଏ ସହ କର୍ପୋରେଟରଙ୍କ ଅପଡ଼, କେମିତି ସଫଳ ହେବ ଭୂମି ଅଧିକାର ପ୍ରଦାନ?

Advertisment

ଜାଗା ମିସନ୍‌ ସର୍ଭେ ପାଇଁ କ୍ଷେତ୍ରକର୍ମୀଙ୍କୁ ପ୍ରଶିକ୍ଷଣ

ଜାଗା ମିସନ୍‌ ସର୍ଭେ ପାଇଁ କ୍ଷେତ୍ରକର୍ମୀଙ୍କୁ ପ୍ରଶିକ୍ଷଣ

ଏସ୍‌ଡିଏ ସହ କର୍ପୋରେଟରଙ୍କ ଅପଡ଼, କେମିତି ସଫଳ ହେବ ଭୂମି ଅଧିକାର ପ୍ରଦାନ?

Odisha Bytes

ଭୁବନେଶ୍ବର: ଓଡ଼ିଶା ସରକାରଙ୍କର ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଜାଗା ମିସନ୍ ଅଧୀନରେ ହିତାଧିକାରୀମାନଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଜାଗା ମିସନ୍‌ ସଫଳ କରିବାକୁ ବିଏମ୍‌ସି ଉଦ୍ୟମ ଆରମ୍ଭ କରିଛି। ଆଜି ଏଥିରେ ଭାଗୀଦାର ହେବାକୁ ଥିବା କ୍ଷେତ୍ରକର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। କମିସନର ବିଜୟ ଅମୃତା କୁଲାଙ୍ଗେ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ୱାର୍ଡ଼ ଅଫିସର, କମ୍ୟୁନିଟି ଅର୍ଗାନାଇଜର୍‌, ଜୋନାଲ୍‌ କମ୍ୟୁନିଟି ଅର୍ଗାନାଇଜର୍‌, ଅମିନ, ଜାଗା କୋର୍ଡିନେଟର୍‌ମାନେ ଭାଗ ନେଇଛନ୍ତି। ‘ଉଷା’ ସର୍ଭେ କରିବା ପୂର୍ବରୁ ପ୍ରତ୍ୟେକ ବସ୍ତିରେ ଡ୍ରୋନ୍‌ ସର୍ଭେ କରାଯିବ। ଏହି ଡ୍ରୋନ୍‌ ବ୍ୟକ୍ତିଗତ ଘରଗୁଡ଼ିକର ନକ୍ସା ଚିତ୍ର ଉତ୍ତୋଳନ କରିବ।

ଏହା ପରେ ଉଷା ସର୍ଭେ କରାଯିବ। ଏହି ସର୍ଭେରେ ବସ୍ତିର ‘ସ୍ଳମ୍‌ ଡୁଏଲର୍ସ ଆସୋସିଏସନ୍’ (ଏସ୍‌ଡିଏ)ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସମ୍ପୃକ୍ତ ୱାର୍ଡ ଅଫିସର, କମ୍ୟୁନିଟି ଅର୍ଗାନାଇଜର୍‌, ଅମିନ, ଜାଗା କୋଅର୍ଡିନେଟରମାନେ ସାମିଲ ହେବେ। ସ୍ଥାନୀୟ କର୍ପୋରେଟରମାନେ ମଧ୍ୟ ଏଥିପାଇଁ ସହଯୋଗ କରିବେ ବୋଲି କୁହାଯାଇଛି। ତେବେ ବଡ଼ କଥା ହେଉଛି ଏସ୍‌ଡିଏ ଓ କେତେକ କର୍ପୋରେଟରଙ୍କ ମଧ୍ୟରେ ଶୀତଳଯୁଦ୍ଧ ଚାଲିଛି। ଯେତେବେଳେ ଏହି ଏସ୍‌ଡିଏ ସବୁ ଗଠନ ହୋଇଥିଲା ସେତେବେଳେ କର୍ପୋରେସନ ନଥିଲା ବା ନିର୍ବାଚିତ ଲୋକପ୍ରତିନିଧି ନଥିଲେ। ଏଣୁ ଏହି ଏସ୍‌ଡିଏରେ କର୍ପୋରେଟରମାନଙ୍କୁ ରଖାଯାଇନି କିମ୍ବା ଭବିଷ୍ୟତରେ ଏହି ଜନପ୍ରତିନିଧିଙ୍କୁ ସାମିଲ କଲା ଭଳି ବ୍ୟବସ୍ଥା ମଧ୍ୟ ନାହିଁ।

ଏବେ କର୍ପୋରେଟରମାନଙ୍କୁ ଏସ୍‌ଡିଏରେ ସାମିଲ କରିବାକୁ ସେମାନେ ଚାହୁନାହାନ୍ତି। ଫଳରେ ଦ୍ବନ୍ଦ୍ବ ଲାଗି ରହିଛି। କେତେକ ଜାଗାରେ ଏହାର ସମାଧାନ ପାଇଁ ବରି‌ଷ୍ଠ ନେତା ମଧ୍ୟ ହସ୍ତକ୍ଷେପ କରିଛନ୍ତି। ହେଲେ କିଛି ଫାଇଦା ହୋଇନାହିଁ। ଏଣୁ ଏହି ଜାଗା ମିସନ୍‌ ସର୍ଭେ ସମୟରେ କାହାକୁ ତାଲିକାଭୁକ୍ତ କରିବା ଓ କାହାକୁ ତାଲିକାରୁ କାଟିବା ନେଇ ବିବାଦ ହେବା ଆଶଙ୍କା ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ବିଏମ୍‌ସିର ୩ଟି ଜୋନ୍‌ରେ ଥିବା ୪୩୬ଟି ବସ୍ତି ଜାଗା ମିସନ୍‌ରେ ସାମିଲ ହୋଇଛି। ପ୍ରତ୍ୟେକ ବସ୍ତିରେ ଗୋଟିଏ ଲେଖାଏ ଏସ୍‌ଡିଏ ରହିଛି। ଦକ୍ଷିଣ-ପୂର୍ବଜୋନ୍‌ରେ ୧୩୯ଟି, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୧୪୨ ଓ ଉତ୍ତର ଜୋନ୍‌ରେ ୧୫୫ ଟି ଏସ୍‌ଡିଏ ରହିଛି। ୪୩୬ ବସ୍ତିରୁ ୧ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ଜାଗା ମିସନ୍ ଅଧୀନରେ ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ହିତାଧିକାରୀ ପରିବାରଙ୍କୁ ୩୦ରୁ ସର୍ବାଧିକ ୪୫ ବର୍ଗମିଟର ଭୂମି ଅଧିକାର ପ୍ରମାଣପତ୍ର ଦିଆଯିବ। ଏହି ପ୍ରମାଣପତ୍ର ପାଇବା ପରେ ହିତାଧିକାରୀ ଆବାସ ଯୋଜନାରେ ଘର କରିବାର ଯୋଗ୍ୟତା ମଧ୍ୟ ହାସଲ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe