ବସିଲା ରୁକୁଣା ରଥଯାତ୍ରା ସମନ୍ବୟ ବୈଠକ: ଅଭିମାନରେ ଆସିଲେନି ସେବାୟତ

Advertisment

ସେବାୟତଙ୍କ କ୍ଷୋଭ

ସେବାୟତଙ୍କ କ୍ଷୋଭ

ରୁକୁଣା ରଥକାଠ ଚିରଟ ଅନୁକୂଳ: ଜବରଦଖଲରୁ ମୁକୁଳିପାରିଲାନି ଶ୍ରୀପଞ୍ଚମୀ ପଡ଼ିଆ

ପୁରୁଣା ଭୁବନେଶ୍ୱର: ଏପ୍ରିଲ୍‌ ୨୯ ତାରିଖ ଶନିବାର ପଡ଼ୁଛି ପବିତ୍ର ଅଶୋକାଷ୍ଟମୀ। ଏହି ତିଥିରେ ବିଧି ଅନୁଯାୟୀ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ତେଣୁ ରୁକୁଣା ରଥଯାତ୍ରା ପାଇଁ ଆଜି ସ୍ୱତନ୍ତ୍ର ସର୍କିଟ୍‍ ହାଉସ୍‍ଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି। ମାତ୍ର ଏଥିରେ ସେବାୟତମାନେ ଯୋଗ ଦେଇନାହାନ୍ତି। ସେବାୟତମାନଙ୍କ ଦୀର୍ଘ ଦିନ ଦାବି ପ୍ରତି ସରକାର ଉଦାସୀନ ରହିବା ଅଭିଯୋଗ କରି ସେବାୟତମାନେ ଏହି ବୈଠକକୁ ଆସିନଥିବା ଜଣାପଡ଼ିଛି। ତେବେ ରଥଯାତ୍ରାରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତିରେ ସେମାନେ ସେମାନଙ୍କ ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାଇଦେଇଛନ୍ତି। ତେଣୁ ସେମାନେ ଅଭିମାନରେ ବୈଠକକୁ ବର୍ଜନ କରିଥିଲେ ବି ଜାଗର ଭଳି ରଥଯାତ୍ରା ବିଳମ୍ବିତ ହେବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବୈଠକରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ବିଏମ୍‌ସି ଅତିରିକ୍ତ କମିସନର, ଅତିରିକ୍ତ ଡିସିପି, ଲିଙ୍ଗରାଜ ଥାନା ଅଧିକାରୀ, ଟ୍ରାଫିକ୍‌ ପୁଲିସ ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ପୂର୍ତ୍ତବିଭାଗ ଏବଂ ୱାଟ୍‌କୋର ଅଧିକାରୀମାନେ ଉପସ୍ଥିତ ଥିଲେ। ଅପରାହ୍ନ ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ପହଣ୍ଡି ନୀତି ସଂପନ୍ନ ହେବ ଏବଂ ମହାପ୍ରଭୁ ରଥାରୁଢ଼ ହେବେ। ରଥରେ ନୀତିକାନ୍ତି ସରିବା ପରେ ସାଢ଼େ ୩ଟାରୁ ରଥଟଣା ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି। ରଥଯାତ୍ରା ବେଳେ ରାମେଶ୍ୱର ପାଟଣା ଛକ, ଇଲେକ୍ଟ୍ରି ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ୍‍ କରାଯିବ। ସେହିପରି ୱାଟ୍‌କୋ ପକ୍ଷରୁ ଅସ୍ଥାୟୀ ଟ୍ୟାପ୍‍ ଜରିଆରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଯୋଗାଇ ଦିଆଯିବ। ରଥଖଳା ନିକଟରେ, ବଢ଼େଇବାଙ୍କ ଛକରେ, ରାମେଶ୍ୱର ମନ୍ଦିର ନିକଟରେ ଓ ରଥ ପଛ ପଟେ ପାଣି ଟାଙ୍କି ରହିବ। ରଥ ଉପରେ ଭିଡ଼ କମାଇବାକୁ ବିଚାର କରାଯାଇଛି। ଭିଡ଼ ଯୋଗୁଁ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିପାରୁନଥିବାରୁ ଏଥର କିଛି ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ପୁଲିସ ଓ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧିମାନେ ଏଥିପାଇଁ ନଜର ରଖିବେ ବୋଲି ନିଷ୍ପତ୍ତି ହୋଇଛି। ଏଥର ରଥ ପାଖରେ ଅଧିକ ଲାଇଟ୍‌ ଲାଗିବ। ରଥଯାତ୍ରାଠାରୁ ବାହୁଡ଼ା ପର୍ଯ୍ୟନ୍ତ ରଥ ଅବସ୍ଥାନ କରିବା ସ୍ଥାନରେ ପୂର୍ବାପେକ୍ଷା ଅଧିକ ଆଲୋକ ବ୍ୟବସ୍ଥା କରାଯିବ। ନେତ୍ର ଉତ୍ସବ ଦିନ କେଦାରଗୌରୀ ନିକଟ ମରିଚି କୁଣ୍ଡ ପାଖରେ ଅସ୍ଥାୟୀ ଗାଧୁଆ ଘର ତିଆରି କରାଯିବ। ମାଉସୀ ମା’ ମନ୍ଦିରଠାରେ ଆଲୋକ ବ୍ୟବସ୍ଥା ଓ ଛାମୁଣ୍ଡିଆ କରାଯିବ। ଡ୍ରେନ୍‍ ଉପରେ କୌଣସି ସ୍ଥାନରେ ମୁକୁଳା ଅଂଶ ଥିଲେ ସେଠାରେ ସ୍ଲାବ୍‍ ପକାଯିବ ଏବଂ ଆବଶ୍ୟକସ୍ଥଳେ ବ୍ୟାରିକେଡ୍‌ କରାଯିବ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି। ସେହିଭଳି ଯାତ୍ରାକୁ ଲକ୍ଷ୍ୟ ରଖି ପୁରୁଣା ଭୁବନେଶ୍ବରକୁ ଅଧିକ ମୋ’ ବସ୍‌ ଚଳାଚଳ କରିବ। ବିଏମ୍‍ସି ହସ୍ପିଟାଲ୍‌ର ଏକ ଡାକ୍ତରୀ ଟିମ୍‌ ରଥ ପାଖାପାଖି ରହିବ।

ରଥ ପଛରେ ଓ ଆଗରେ ଦମକଳବାହିନୀ ଓ ଆମ୍ବୁଲାନ୍‍ସ ରହିବ। ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାରେ ଲେନ୍‌ ଚିହ୍ନଟ ପାଇଁ ଧଳା ଲାଇନ୍‌ ଟଣାଯିବ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରଥ ଖଳା ପାଖରେ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯିବ। ଭକ୍ତି ସଂଗୀତ ପରିବେଷଣ ସହ ୭/୮ଜଣ ପଣ୍ଡିତ ପ୍ରବଚନ ଦେବେ ବୋଲି ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ପଠାଣି ରାଉତ ଓ ଗୌରଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ରଥଯାତ୍ରାଠାରୁ ସ୍ୱର୍ଣ୍ଣାଦ୍ରି ବିଜେ ପର୍ଯ୍ୟନ୍ତ ରଥ ଦାଣ୍ଡରେ ଆମିଷ ଦୋକାନ ବନ୍ଦ ରହିବ। ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଥିବା ପାଷ୍ଟଫୁଡ଼୍‍ ଓ ଆମିଷ ହୋଟେଲ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ସେବାୟତଙ୍କ କ୍ଷୋଭ
ଜମି ବନ୍ଦୋବସ୍ତକୁ ନେଇ ସେବାୟତମାନଙ୍କ ଦାବି ପୂରଣ ହୋଇପାରିନାହିଁ। ମନ୍ଦିର ଗର୍ଭଗୃହ ପ୍ରବେଶ ସମସ୍ୟା ଭଳି ସେବାୟତମାନଙ୍କ ବହୁ ସମସ୍ୟା ଅସମାହିତ ହୋଇରହିଛି। ପ୍ରଶାସନ ତଥା ସରକାର ମିଛ ପ୍ରତିଶ୍ରୁତି ଦେଇଚାଲିଛନ୍ତି। ତେଣୁ ଅଭିମାନରେ ଆଜି ସେବାୟତମାନେ ସମନ୍ବୟ ବୈଠକରେ ଯୋଗଦେଲେ ନାହିଁ। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ କହିବା କଥା ସେବାୟତମାନଙ୍କ କୌଣସି ସମସ୍ୟା ସମାଧାନ ହେଲା ନାହିଁ କି ଠାକୁରଙ୍କ ପରମ୍ପରା ରକ୍ଷା ହୋଇପାରିଲା ନାହିଁ। ଆମ ଠାକୁର, ଆମେ ସେବା କରିବୁ। ଅଫିସରଙ୍କ ବୈଠକରେ କାହିଁକି ଯୋଗଦେବୁ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ସେହିଭଳି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ଓ ବଡ଼ୁ ନିଯୋଗ ସମ୍ପାଦକ କମଳା ବଟୁଙ୍କ ପ୍ରତିକ୍ରିୟା ବି ଅନୁରୂପ ଥିଲା। ସେମାନେ ନିଜର କାର୍ଯ୍ୟ ବ୍ୟସ୍ତତା ଦର୍ଶାଇଥିଲେ। ଉକ୍ତ ବୈଠକରେ ସେବାୟତଙ୍କ କ’ଣ କାମ ବୋଲି ସେମାନେ ପ୍ରଶ୍ନ କରିଥିଲେ। ତେଣୁ ସେମାନଙ୍କ ମନର କ୍ଷୋଭ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ତେବେ ରଥଯାତ୍ରାରେ ସେବାୟତଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ବେଳେ ସେମାନେ ବୈଠକରେ ଯୋଗ ଦେଇନଥିବାରୁ ମନ୍ତ୍ରୀ ଶ୍ରୀ ପଣ୍ଡା ଅସନ୍ତୋଷ ପ୍ରକାଶ କରିଥିଲେ। ସେବାୟତଙ୍କ ସହ ସମନ୍ବୟ ରକ୍ଷା କରି ସବୁ କାର୍ଯ୍ୟ କରିବାକୁ ସେ ମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe