ବାଲିଅନ୍ତା : ରଙ୍ଗବଜାର ଛକ ନିକଟ ଏକ ଆପାର୍ଟମେଣ୍ଟରେ ମହିଳା ସୀମା ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ସୀମାଙ୍କ ଶାଶୂଘର ଲୋକଙ୍କୁ ଗିରଫ ଦାବିରେ ଗୁରୁବାର ଦିନ ଷଢ଼େଇକଳା ଅଞ୍ଚଳର ସାମାଜିକ ସଂଗଠନ ଓ ମହିଳା ସଂଗଠନ ସହ ତାଙ୍କ ପରିବାରଲୋକ ବାଲିଅନ୍ତା ଥାନା ଘେରାଉ କରିଥିଲେ। ଏହି ଘଟଣାର ସଠିକ୍ ତଦନ୍ତ ନ କରି ଘଟଣାକୁ ଚପାଇ ଦେବା ପାଇଁ ପୁଲିସ୍ ଉଦ୍ୟମ କରିଥିବା ସେମାନେ ଅଭିଯୋଗ କରିଥିଲେ।
୪୦ରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀ ଥାନା ଆଗରେ ବସି ରହି ପାଟିତୁଣ୍ଡ କରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଜୋନ୍-୪ ଏସିପି ଶୁଭନାରାୟଣ ମୁଦୁଲି ଓ ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ସୀମାଙ୍କ ବାପା ଥାନାରେ ଏକ ହତ୍ୟା ଅଭିଯୋଗ କରିଥିଲେ। ସ୍ବାମୀ ଓ ଶାଶୂଘର ଲୋକ ସୀମାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ଲାଗି ଫ୍ୟାନ୍ରେ ଝୁଲାଇ ଦେଇଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ଅପରପକ୍ଷେ ଏହି ଅଭିଯୋଗ ହେବା ପରେ ଗିରଫଦାରୀ ଭୟରେ ସୀମାଙ୍କ ସ୍ବାମୀ ଆକାଶ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।
ସୂଚନାନୁସାରେ, ସୀମା ଗତ ୨୦୦୨ ମସିହାରେ ଅନୁଗୁଳ ଜିଲ୍ଲାର ଆକାଶଙ୍କୁ ବିବାହ କରିଥିଲେ। ସେମାନଙ୍କର ୮ବର୍ଷର ପୁଅଟିଏ ଅଛି। ଗତ ୨ ତାରିଖ ଭୋର୍ରେ ସୀମାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତାଙ୍କ ଶବକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା।
Follow Us