କଟକଣାକୁ ଫୁ’ : ଥାନା କଡ଼ରେ ବେଧଡ଼କ ବାଣ ବିକ୍ରି

Advertisment
କଟକଣାକୁ ଫୁ’ : ଥାନା କଡ଼ରେ ବେଧଡ଼କ ବାଣ ବିକ୍ରି

ଭୁବନେଶ୍ୱର : ରାସ୍ତାକଡ଼ରେ ପୁଣି ଥାନା ଦୁଆର ମୁହଁରେ ମେଲିଛି ବାଣ ପସରା। ରସୁଣ ବାଣଠାରୁ ଆରମ୍ଭ କରି ଘଡ଼ି ବାଣ ପର୍ଯ୍ୟନ୍ତ ସବୁ ମିଳୁଛି। ଖେଳଣା ବନ୍ଧୁକ ଓ ଟିକିଲି ବାଣ ବି ଅଛି। ଖୋଦ୍‌ କ୍ୟାପିଟାଲ ଥାନାଠାରୁ ମାତ୍ର ୨୦ ମିଟର ଦୂରରେ ବେଧଡ଼କ ଚାଲିଛି ଏହି ବାଣ ବେପାର। କମିସନରେଟ୍‌ ପୁଲିସର କଟକଣାକୁ ଫୁ’ କରି ଥାନା ଦୁଆର ମୁହଁରେ ବାଣ ବିକ୍ରି ଚାଲିଥିଲେ ବି ପୁଲିସ ଆଖି ବୁଜି ଦେଇଛି।

ପୁଲିସକୁ ଖାତିର ନ କରି କିଭଳି ଜଣେ ମହିଳା ବାଣ ବେପାର କରିବାକୁ ସାହସ କରିଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। କ୍ୟାପିଟାଲ ଥାନା ପୁଲିସ କାହିଁକି ନିରବ ରହିଛି? ସରକାରୀ ନିର୍ଦ୍ଦେଶ ଓ କମିସନରେଟ୍‌ ପୁଲିସ କଟକଣା ସତ୍ତ୍ବେ ମହିଳା ଜଣକ ଏମିତି ସାହସ କଲେ କେମିତି? ରାଜଧାନୀର ପ୍ରମୁଖ ଏକ ଥାନା କଡ଼ରେ ଯଦି ଏଭଳି ଅବସ୍ଥା, ତେବେ ଗଳିକନ୍ଦିରେ କଣ ହେଉଥିବ ବୋଲି ପ୍ରଶ୍ନ ଉଠିଛି। ଦୀପାବଳିରେ ବାଣ ନିଷେଧ ହେବ ବୋଲି ସରକାର କଟକଣା ଜାରି କଲା ପରେ କମିସନରେଟ୍‌ ପୁଲିସ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିଲା। କୌଣସି ଲୋକ ବାଣ ବିକ୍ରି କରିପାରିବେ ନାହିଁ। ଏମିତିକି କେହି ବାଣ ଫୁଟାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଘୋଷଣା କରିଥିଲା। ତେଣୁ କମିସନରେଟ୍‌ ପୁଲିସ ପକ୍ଷରୁ ରାଜଧାନୀ ଓ ଜଟଣୀର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ସ୍ବତନ୍ତ୍ର ପୁଲିସ ଟିମ୍‌ ଏନ୍‌ଫୋର୍ସମେଣ୍ଟ ପାଇଁ ସହର ସାରା ଘୂରି ବୁଲୁଛି। ହେଲେ ଆଜି ସକାଳୁ ରାସ୍ତା କଡ଼ରେ ଥାନା ନିକଟରେ ଏଭଳି ବେପାର ଦେଖିବାକୁ ମିଳିଥିଲା। ଜଣେ ମହିଳା ଜଣେ ଶିଶୁକୁ ଧରି ବେପାର କରୁଥିଲେ। ଏହାକୁ ନେଇ କିଛି ଲୋକ ପୁଲିସ କମିସନରଙ୍କୁ ଟ୍ବିଟ୍‌ ଜରିଆରେ ଅଭିଯୋଗ କରିଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା କ୍ୟାପିଟାଲ ଥାନା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ସନ୍ଧ୍ୟାରେ ସେଠାରେ ଲୋକମାନେ ପ୍ରବଳ ଭିଡ଼ ଭିତରେ ବାଣ କିଣୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe