ଭୁବନେଶ୍ବର: ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍ଡବ୍ଲ୍ୟୁସି) ପକ୍ଷରୁ ହୋଟେଲ ଟ୍ରାଇଡେଣ୍ଟଠାରେ ‘ଉଦ୍ୟୋଗରେ ସୃଜନଶୀଳତା ଓ ଉଦ୍ଭାବନ’ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା କହିଲେ, ହସ୍ତଶିଳ୍ପ ଓ ବୟନ ସାମଗ୍ରୀକୁ ଉଦ୍ୟୋଗୀମାନେ ପୋତ୍ସାହିତ କରିବା ଆବଶ୍ୟକ। ରାଜ୍ୟ ସରକାର ହସ୍ତଶିଳ୍ପ ସାମଗ୍ରୀକୁ ପୋତ୍ସାହିତ କରିବା ପାଇଁ ସବୁବେଳେ ଉଦ୍ୟୋଗୀମାନଙ୍କୁ ସୁଯୋଗ ଦେଇ ଆସୁଛନ୍ତି। ସମ୍ମାନିତ ଅତିଥି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର କହିଲେ, ଆଗାମୀ ଦିନରେ ହସ୍ତଶିଳ୍ପ ସାମଗ୍ରୀ ବହୁ ମାତ୍ରାରେ ଲୋକାଦୃତ ହେବ। ଅନ୍ୟତମ ଅତିଥି ଏସ୍ଜେ ଡେଭେଲପର୍ସ ଆଣ୍ଡ ହାଉସିଂ ପ୍ରାଇଭେଟ୍ ଲିମିଟେଡ୍ ନିର୍ଦ୍ଦେଶକ ମାତୃଦତ୍ତ ମିଶ୍ର ଓଡ଼ିଶାରେ ମହିଳା ଉଦ୍ୟୋଗୀକୁ ପ୍ରୋତ୍ସାହିତ କରୁଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।
ସ୍ବତନ୍ତ୍ର ଅତିଥି ଗହଣା ଡିଜାଇନର୍ ଫରାହ ଖାନ୍ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ। କାର୍ଯ୍ୟକ୍ରମରେ ରାସ୍ର ପ୍ରତିଷ୍ଠାତା ରଶ୍ମି ମହାପାତ୍ର, ଆଇଏନ୍ଡବ୍ଲ୍ୟୁସି କୋର୍ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଆଇଏନ୍ଡବ୍ଲ୍ୟୁସି ଉଦ୍ୟୋକ୍ତା ସୁକୀର୍ତ୍ତି ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପଉଦ୍ୟୋକ୍ତା ତନୟା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଆୟୋଜିତ ଏକ ଅଧିବେଶନରେ ରାସ୍ର ପ୍ରତିଷ୍ଠାତା ଶ୍ରୀମତୀ ମହାପାତ୍ରଙ୍କ ସଂଯୋଜନାରେ ଫରାହ ଖାନ୍ଙ୍କୁ ନେଇ ଏକ ସ୍ବତନ୍ତ୍ର ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଓଟିଡିସି ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଗୋନାସିକା ଫୁଡ୍ସ ପ୍ରତିଷ୍ଠାତା ସୁଚେତା ମହାନ୍ତି, ଅଭିନେତ୍ରୀ ପ୍ରକୃତି ମିଶ୍ର, ଓପରୀ କିଚେନ୍ ପ୍ରତିଷ୍ଠାତା ବିନିତା ସୁବୁଦ୍ଧି, ଆଇସିସି ଓଡ଼ିଶା ରାଜ୍ୟ ପରିଷଦ ଅଧ୍ୟକ୍ଷ ଜେବି ପାଣି, ସହଅଧ୍ୟକ୍ଷା ଏମ୍କେ ଗୁପ୍ତା, ଆଇସିସି ଓଡ଼ିଶା କାଉନସିଲ୍ ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ପାଲ୍ ପ୍ରମୁଖ ଉପସ୍ଥିତ ଥିଲେ।
Follow Us