ଟିକା ନେବାକୁ ବରିଷ୍ଠ ନାଗରିକ ଆସୁନାହାନ୍ତି, ଗୋଟିଏ ଗାଡ଼ିରେ ଏକାଧିକ ଆସିବାକୁ ଅମଙ୍ଗ

Advertisment
ଟିକା ନେବାକୁ ବରିଷ୍ଠ ନାଗରିକ ଆସୁନାହାନ୍ତି, ଗୋଟିଏ ଗାଡ଼ିରେ ଏକାଧିକ ଆସିବାକୁ ଅମଙ୍ଗ

ଭୁବନେଶ୍ବର: ରାଜଧାନୀର ଯେଉଁ ବରିଷ୍ଠ ନାଗରିକମାନେ ବୟସାଧିକ କାରଣରୁ ହେଉ କି ଏକାକୀ ରହୁଥିବା ଯୋଗୁଁ ଟିକାର ପ୍ରଥମ ଡୋଜ୍‌ କି ଦ୍ବିତୀୟ ଡୋଜ୍ ନେଇପାରିନାହାନ୍ତି, ସେମାନଙ୍କ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୯୨୯ରେ ବୁକିଂ କରୁଥିବା ବରିଷ୍ଠ ନାଗରିକମାନଙ୍କୁ ଗାଡ଼ିରେ ଘରୁ ଟିକାଦାନ କେନ୍ଦ୍ରକୁ ଆଣି ଟିକା ଦେବା ବ୍ୟବସ୍ଥା କରାଯାଇଛି। ଟିକା ନେବାର ଅଧଘଣ୍ଟା ପରେ ପୁଣି ଘରେ ଛାଡ଼ିଦେବାର ବ୍ୟବସ୍ଥା କରାଯାଇଛି। ହେଲେ ଏହା ଅଧିକ ସଫଳ ହେଉନି। ଦୁଇ ଦିନରେ ମାତ୍ର ୩୦ଜଣ ଲୋକ ଆସିଥିବା ଜାଣିବାକୁ ମିଳିଛି।

ବରିଷ୍ଠ ନାଗରିକମାନେ ଟିକାଦାନ କେନ୍ଦ୍ରକୁ ନ ଆସିବା ନେଇ କହିଛନ୍ତି ଯେ ବିଏମ୍‌ସି ଗାଡ଼ି‌ରେ ଦୁଇ ତିନିଜଣଙ୍କୁ ଏକାଠି କରି ଟିକାଦାନ କେନ୍ଦ୍ରକୁ ନେଉଛନ୍ତି। ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପୁ ଥିବାରୁ ଅପରିଚିତ ଲୋକଙ୍କ ସହ ଗାଡ଼ି ଭିତରେ ବସିକି ଯିବା ସୁରକ୍ଷିତ ଲାଗୁନି। ଏପରିକି ଟିକା ନେବାକୁ ଗଲା ବେଳକୁ ବୁଲି ବୁଲିକି, ପୁଣି ଫେରିଲା ବେଳକୁ ବୁଲି ଆସିବାକୁ ପଡ଼ୁଛି। କିଏ ଯଦି କରୋନା ସଂକ୍ରମିତ ହୋଇଥିବେ, ତେବେ ସଂକ୍ରମଣର ଭୟ ରହୁଛି। ତେଣୁ ବୁକିଂ କରିବାକୁ ଡର ଲାଗୁଛି। ଆଉ କିଛି ଲୋକ ବୁକିଂ କରିଥିଲେ ବି ଗାଡ଼ିରେ ଅନ୍ୟ ଲୋକଙ୍କୁ ଦେଖି ଆସିବାକୁ ମନା କରିଦେଇଥିବା ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାରେ ଓ ଭୁବନେଶ୍ବରରେ ଏକାଦିନେ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ହେଲେ ଗଞ୍ଜାମରେ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଟିକା ଦେବା ବ୍ୟବସ୍ଥା କରାଯାଇଥିବା ବେଳେ ଭୁବନେଶ୍ବରରେ ବରିଷ୍ଠ ନାଗରିକଙ୍କୁ ଟିକାଦାନ କେନ୍ଦ୍ରକୁ ଆଣି ଟିକା ଦେବାର ବ୍ୟବସ୍ଥା ହେଲା। ଫଳରେ ଗଞ୍ଜାମରେ ଦୁଇଦିନରେ ଅଧିକ ଲୋକ ଟିକା ନେଇଥିବା ବେଳେ ଭୁବନେଶ୍ବରରେ ଏହା ସଫଳ ହେଲାନି। ବରିଷ୍ଠ ନାଗରିକମାନେ କହିଛନ୍ତି ଯେ ବିଏମ୍‌ସି ଯଦି ଟିକା ଦେବାକୁ ବ୍ୟବସ୍ଥା କରୁଛି, ତେବେ ଘରେ ଆସି ଟିକା ଦେଲେ ଭଲ ହୁଅନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe