ସାଇବର ସୁନ୍ଦରୀ ଫାଶରେ ବରିଷ୍ଠ ନାଗରିକ

Advertisment

ବ୍ଲାକ୍‌ମେଲ୍ କରି ନେଇଗଲା ୨୫ ଲକ୍ଷ

ବ୍ଲାକ୍‌ମେଲ୍ କରି ନେଇଗଲା ୨୫ ଲକ୍ଷ

ସାଇବର ସୁନ୍ଦରୀ ଫାଶରେ ବରିଷ୍ଠ ନାଗରିକ

ଭୁବନେଶ୍ବର: ସେକ୍ସଟର୍ସନ ଜାଲରେ ଫସି ୨୫ ଲକ୍ଷ ଟଙ୍କା ହରାଇଛନ୍ତି ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ। ସାଇବର ସୁନ୍ଦରୀର ମାୟାଜାଲରେ ଛନ୍ଦି ହୋଇ ଶେଷରେ ବ୍ଲାକ୍‌ମେଲ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଲେ ଟେଲିକମ୍ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ରୁ ଅବସର ନେଇଥିବା ଅଧିକାରୀ। ଚଳିତ ସପ୍ତାହରେ ଜଟଣୀ ଅଞ୍ଚଳର ଜଣେ ଆଇଟି ପ୍ରଫେସନାଲ୍‌ ମାଟ୍ରିମୋନି ଜରିଆରେ ବାହା ହେବାକୁ ଯାଇ ସାଇବର ସୁନ୍ଦରୀକୁ ୨୪ ଲକ୍ଷ ଟଙ୍କା ଗଣି କାନ୍ଦୁଥିବା ବେଳେ ଆଜି ଜଣେ ବରିଷ୍ଠ ନାଗରିକ ଅନୁରୂପ ଫାଶରେ ପଡ଼ି ୨୫ ଲକ୍ଷ ଟଙ୍କା ହରାଇବା ଚର୍ଚ୍ଚାର ବିଷୟ ହୋଇଛି।
ସହିଦନଗର ଅଞ୍ଚଳରେ ରହୁଥିବା ଏହି ବରିଷ୍ଠ ନାଗରରିକ ନିକଟରେ ବିଏସ୍‌ଏନ୍‌ଏଲ୍‌ରୁ ଅବସର ନେଇଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ କିଛିଦିନ ତଳେ ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା। ମେସେଜ୍ କରିଥିବା ବ୍ୟକ୍ତି ଜଣେ ଯୁବତୀ ଥିଲେ ଓ ସେ ଭୁବନେଶ୍ବରରେ ରହୁଛନ୍ତି ବୋଲି କହିଥିଲେ। ଡିପିରୁ ଯୁବତୀଙ୍କ ସୁନ୍ଦର ମୁହଁ ଦେଖି ଭଳି ଯାଇଥିଲେ ବରିଷ୍ଠ ନାଗରିକ। ମାତ୍ର ଡିପିରେ ଥିବା ସୁନ୍ଦରୀ ଯେ ଜଣେ ସାଇବର ଠକ ବୋଲି ସେ ବୁଝିପାରିନଥିଲେ। ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିବା ପରେ ଯୁବତୀ ତାଙ୍କୁ ଭିଡିଓ କଲ୍ କରି ଅଶ୍ଳୀଳ ବାର୍ତ୍ତା ପଠାଇଲେ।

ଏମିତିରେ ସାଇବର ଠକ ପର୍ଣ୍ଣ ଭିଡିଓ ଚଲାଇ ସେଥିରେ ବରିଷ୍ଠ ନାଗରିକଙ୍କ ମୁହଁ ରେକର୍ଡିଂ କରିନେଇଥିଲେ। ଏହା ପରେ ସାଇବର ଠକ ଆରମ୍ଭ କଲା ଅସଲ ଖେଳ। ଉକ୍ତ ଅଶ୍ଳୀଳ ଭିଡିଓ ରେକର୍ଡିଂ ସବୁକୁ ବରିଷ୍ଠ ନାଗରିକଙ୍କ ହ୍ବାଟସ୍‌ଆପ୍‌ରେ ପଠାଇ ବ୍ଲାକ୍‌ମେଲ୍‌ କଲା ଓ ୨୫ ହଜାର ଟଙ୍କା ଦାବି କଲା। ଲୋକ ଲଜ୍ଜା ଭୟରେ ସେ ୨୫ ହଜାର ଗଣିବାକୁ ରାଜି ହେଲେ ଓ ଯୁବତୀ ଦେଇଥିବା ଲିଙ୍କ୍‌ରେ ସେ ଟଙ୍କା ପଠାଇଲେ। ମାତ୍ର ୨୫ ହଜାର ଟଙ୍କା ବଦଳରେ ତାଙ୍କ ଆକାଉଣ୍ଟରୁ ୨୫ ଲକ୍ଷ ଟଙ୍କା ଉଡ଼ିଗଲା। ଜୀବନଯାକର ଅର୍ଜିତ ଧନ ଏମିତି ଉଡ଼ିଯିବା ପରେ ସେ ବିକଳ ହୋଇ ସାଇବର ପୁଲିସର ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe