ଭୁବନେଶ୍ବର: ‘ସାଂସ୍କୃତିକୀ’ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଆୟୋଜିତ ‘ବିଶ୍ୱ ଓଡ଼ିଶୀ ଉତ୍ସବ’ର ଆଜି ଥିଲା ୨ୟ ଦିନ। ଦେଶୀ ବିଦେଶୀ ସମସ୍ତ ନୃତ୍ୟଶିଳ୍ପୀଙ୍କ ପାଦର ନୂପୁର ଓ ଛାନ୍ଦ ଏବଂ ହାତର ମୁଦ୍ରା ଓଡ଼ିଶୀ ନୃତ୍ୟ ହିଁ ପରିବେଷଣ କରୁଥିଲେ। ସନ୍ଧ୍ୟାରେ ପ୍ରଥମେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଯଶୋମତୀ ମିଶ୍ର ଏକକ ନୃତ୍ୟ ‘ଭଗବତୀ ସ୍ତୋତ୍ରମ୍’ ଓ ରାୱା ଏକାଡେମିର ସାଗରିକା ମିଶ୍ର ‘ଅଷ୍ଟପଦୀ’ ରାସ ପରିବେଷଣ କରିଥିଲେ। ଏହାପରେ ସଂଘମିତ୍ରା ମୁଦୁଲି ଏକକ ନୃତ୍ୟାଭିନୟରେ ‘ଚାହିଁଛି ମାତ୍ର’ ପରିବେଷଣ କରିଥିଲେ। ସନ୍ଧ୍ୟାରେ ୪ଟି ଦଳଗତ ଓ ୫ଟି ଏକକ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା।
ସେହିପରି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ପ୍ରଥମେ ମେହେର ଚାହଲ ‘ସ୍ଥାୟୀ ନୃତ୍ୟ’ ପରିବେଷଣ କରିଥିଲେ। ପରେ ନିର୍ଜରା ନୀଳିମା ତ୍ରିପାଠୀ ଗୁରୁ ନମିତା ରାୟଙ୍କ ନୃତ୍ୟ ନିର୍ଦ୍ଦେଶନାରେ ‘ଦୁର୍ଗା ସ୍ତୋତ୍ର’ ପରିବେଷଣ କରିଥିଲେ। ସେହିପରି ୭ ବର୍ଷର କୁନି ନୃତ୍ୟଶିଳ୍ପୀ ନଭ୍ୟା ନମସ୍ୟା କର ‘କେଡ଼େ ଛନ୍ଦ ଜାଣେ’ ନୃତ୍ୟାଭିନୟ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରେ ପରେ ଶିବାଙ୍ଗୀ ସାହୁ ‘ଦେଖ ଗୋ ରାଧା ମାଧବ ଚାଲି’, ଲକ୍ଷିତା ପ୍ରଧାନ ‘ସଙ୍ଗିନୀରେ ଚାହାଁନା’, ଅନିସ୍କା ୱତନେ ‘ପଦ ବନ୍ଦେଗଣନାଥ’ ଓ କୁନି ନୃତ୍ୟଶିଳ୍ପୀ ସମ୍ଭାବୀ ଶତପଥୀ ‘ପଲ୍ଲବୀ- ଆରବୀ’ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୮ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିବା ବେଳେ ୭ଟି ଏକକ ଓ ୨ଟି ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା। ଆଜିର ମୁଖ୍ୟ ଆକର୍ଷଣ ଥିଲେ ପମ୍ପି ପାଲଙ୍କ ‘ଅର୍ଦ୍ଧନାରୀଶ୍ୱର’ ନୃତ୍ୟ। ସନ୍ଧ୍ୟାରେ ଅନୁଷ୍ଠାନର ସଂଯୋଜକ କେଦାର ମିଶ୍ର, ଅଧ୍ୟକ୍ଷ ଗୁରୁ ରାମହରି ଦାଶ ଓ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ୟାମହରି ଚକ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅରୁସ୍ମିତା ଆଚାର୍ଯ୍ୟ ଓ ଅଞ୍ଜଳି ମଞ୍ଚ ସଂଯୋଜନା କରିଥିଲେ। ଶେଷରେ ସମସ୍ତ ନୃତ୍ୟଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Follow Us