ଭୁବନେଶ୍ୱର: ରାଜଧାନୀର ସଫେଇ ବ୍ୟବସ୍ଥା ବଦଳିବ। ଦୁଇ ତିନିଟି ସଂସ୍ଥାକୁ ପୂରା ରାଜଧାନୀର ସଫେଇ ବ୍ୟବସ୍ଥା ଦିଆଯିବନି। ବିଏମ୍ସିର ସମସ୍ତ ଓ୍ଵାର୍ଡରେ ଯେପରି ପରିମଳ ବ୍ୟବସ୍ଥାରେ ଉନ୍ନତି ଆସିବ ସେଥିପାଇଁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬କୁ କଡ଼ାକଡ଼ି ଲାଗୁ କରାଯିବ। ବିଏମ୍ସିର ସଫେଇ ନିୟମରେ ଆବଶ୍ୟକୀୟ ସଂଶୋଧନ ଅଣାଯିବ ବୋଲି ବିଏମ୍ସି କମିସନର କ୍ରିଷନ କୁମାର ଆଜି କହିଛନ୍ତି। ନୂଆ ବ୍ୟବସ୍ଥାରେ ପ୍ରତି ଓ୍ଵାର୍ଡ ପାଇଁ ସଫେଇ ସଂସ୍ଥା ନିୟୋଜିତ ହେବେ। ଏଥିରେ ପ୍ରତି ଓ୍ଵାର୍ଡରେ କେବଳ ୩୦ରୁ ୪୦ଜଣ ସଫେଇ କର୍ମଚାରୀ ନିୟୋଜିତ କରିବା ପାଇଁ ପୃଥକ ପୃଥକ ଟେଣ୍ଡର୍ ହେବ। ସେମାନେ ପ୍ରତ୍ୟେକ ଘରୁ ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ ଭାବେ ସଂଗ୍ରହ କରି ଡଷ୍ଟବିନ୍ରେ ପକାଇବେ। ଡଷ୍ଟବିନ୍ରୁ ଆବର୍ଜନା ସଂଗ୍ରହ କରି ଅସ୍ଥାୟୀ ଡମ୍ପିଂୟାର୍ଡକୁ ଆଣିବା ପାଇଁ ପ୍ରତି ଓ୍ଵାର୍ଡ ପିଛା ପରିବହନ ସଂସ୍ଥା ନିୟୋଜିତ ହେବେ। ଏହାଦ୍ୱାରା ସଫେଇ ସଂସ୍ଥା ଓ ସଫେଇ କର୍ମଚାରୀଙ୍କ ମନମାନି ଉପରେ ରୋକ୍ ଲାଗିବ। ଏହାସହ ବିଏମ୍ସି ଯେତିକି ଅର୍ଥ ପରିମଳ ବ୍ୟବସ୍ଥାରେ ଖର୍ଚ୍ଚ କରୁଛି ତାହାଠାରୁ କମ୍ କରିବ। ଯଦି କେହି କୌଣସି କାରଣରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରନ୍ତି ତେବେ ପୂରା ରାଜଧାନୀରେ ପରିମଳ ବ୍ୟବସ୍ଥା ଠପ୍ ହେବନି ବୋଲି କୁହାଯାଇଛି। ଏହାବାଦ୍ ଆଗାମୀ ଦିନରେ କୌଣସି ବଡ଼ ଅନୁଷ୍ଠାନ, ଆପାର୍ଟମେଣ୍ଟ, ହୋଟେଲ ଆଦିରୁ ଜୈବ ଆବର୍ଜନା ସଂଗ୍ରହ କରାଯିବନି। ସେମାନେ ତାହାକୁ ନିଜ କ୍ୟାମ୍ପସ୍ରେ କମ୍ପୋଷ୍ଟରେ ପରିଣତ କରିବେ। କେବଳ ଗୋଟିକିଆ ଘରୁ ଜୈବ ଆବର୍ଜନା ସଂଗ୍ରହ କରି କମ୍ପୋଷ୍ଟ ପ୍ଲାଣ୍ଟକୁ ନିଆଯିବ। ଅଜୈବ ଆବର୍ଜନାଗୁଡ଼ିକୁ ସଂଗ୍ରହ କରି ଏହାର ବିଶୋଧନ କରାଯିବ।
ପୃଥକ ପୃଥକ ଆବର୍ଜନା ସଂଗ୍ରହ ନକଲେ ବିଏମ୍ସି ଅଳିଆ ନେବନି
ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କ ମଜୁରି ବୃଦ୍ଧି କରୁଥିବାବେଳେ ସଫେଇ ସଂସ୍ଥାଗୁଡ଼ିକର ଏସ୍କାଲେସନ୍ ଫି’ (ଅଳିଆ ଉଠା ଫି’) ଗତ ସାଢ଼େ ତିନି ବର୍ଷ ହେଲା ବଢ଼ାଇ ନଥିବାରୁ ଯେକୌଣସି ମୁହୂର୍ତ୍ତରେ ବି ସଫେଇ ସଂସ୍ଥା ପରିମଳ ବ୍ୟବସ୍ଥା ଠପ୍ କରିଦେବାର ଆଶଙ୍କା ଥିବା ନେଇ ଆଜି ବିଏମ୍ସି କାଉନସିଲ୍ ବୈଠକରେ ଆଲୋଚନା ହୋଇଥିଲା। ଏହାର ତୁରନ୍ତ ସମାଧାନ କରିବା ସହ କିପରି ସାଧାରଣ ଲୋକ ହଇରାଣ ନହେବେ ସେନେଇ ପ୍ରତିକାର ବ୍ୟବସ୍ଥା ବାହାର କରିବାକୁ କର୍ପୋରେଟର୍ମାନେ କହିବା ପରେ କମିସନର୍ କହିଥିଲେ ଯେ, ତିନିଟି ସଫେଇ ସଂସ୍ଥା ବର୍ଷକୁ ୫୦କୋଟି ନେଉଛନ୍ତି। ତେଣୁ କୌଣସି ପରିସ୍ଥିତିରେ ବି ଟଙ୍କାରେ ଅଧିକ ଦିଆଯିବନି। ସଫେଇ ସଂସ୍ଥାଗୁଡ଼ିକୁ ପୃଥକ ପୃଥକ ଆବର୍ଜନା ସଂଗ୍ରହ କରିବାକୁ କୁହାଯାଇଥିଲେ ହେଁ ସେମାନେ କରୁନାହାନ୍ତି। ତେଣୁ ସେପ୍ଟେମ୍ବର ମାସ ପରେ ଯଦି ସେମାନେ ପୃଥକ ପୃଥକ କରି ଆବର୍ଜନା ସଂଗ୍ରହ ନକରନ୍ତି ତେବେ ବିଏମ୍ସି ଟିଟିଏସ୍ରେ ଆବର୍ଜନା ନେବନି। ଆବଶ୍ୟକ ସ୍ଥଳେ ସଫେଇ ସଂସ୍ଥାଙ୍କ ଚୁକ୍ତିି ବାତିଲ୍ କରାଯିବ ବୋଲି କମିସନର୍ ଆଜି କହିଛନ୍ତି। ଏହାସହ ସଫେଇ ସଂସ୍ଥା ସହ ହୋଇଥିବା ଚୁକ୍ତିରେ ଖୁବ୍ ଶୀଘ୍ର ସଂଶୋଧନ କରିବା ପାଇଁ ଯୋଜନା ହେଉଛି। କମିସନର୍ ଏପରି କହିଥିଲେ ହେଁ ବିଏମ୍ସି ଏପର୍ଯ୍ୟନ୍ତ ପୃଥକ ପୃଥକ ଆବର୍ଜନା ସଂଗ୍ରହ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିପାରିନି। ଏହାବାଦ୍ ଯଦି ସଫେଇ ସଂସ୍ଥା ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ ସଂଗ୍ରହ କରନ୍ତି ତେବେ ଏହାକୁ କେଉଁଠି ଜମା କରିବେ ସେନେଇ ବିଏମ୍ସି ପକ୍ଷରୁ ବ୍ୟବସ୍ଥା ନକରି ଅନ୍ଧାରରେ ବାଡ଼ି ବୁଲାଇଲା ଭଳି କାର୍ଯ୍ୟ କରୁଛି ବୋଲି କୁହାଯାଉଛି।
ମୁଖ୍ୟ ଡ୍ରେନ୍ ପାଇଁ ଜମି ଅଧିଗ୍ରହଣରେ ସାମିଲ୍ ହେବେ କର୍ପୋରେଟର୍
୧୦ଟି ଯାକ ମୁଖ୍ୟ ଡ୍ରେନ୍ କଡ଼ରୁ ଜବରଦଖଲ ହଟାଇବା ସହ ମାଷ୍ଟରପ୍ଲାନ୍ରେ ଥିବା ଏହାର ଓସାର ଯେପରି ଅଛି ତାହା ଯେପରି ରହିବ ସେଥିପାଇଁ ଜମି ଅଧିଗ୍ରହଣ ହେବ। ଏଥିପାଇଁ ସର୍ଭେ ଆରମ୍ଭ ହୋଇଥିବାବେଳେ ଦୁଇରୁ ତିନି ମାସ ଭିତରେ ସର୍ଭେ କାର୍ଯ୍ୟ ଶେଷ ହେବ। ଏହାପରେ ଜମି ଅଧିଗ୍ରହଣ ହେବ। ଏନେଇ ବିଏମ୍ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏଥିରେ କର୍ପୋରେଟର୍ମାନେ ସାମିଲ୍ ହେବାକୁ କୁହାଯାଇଛି। କର୍ପୋରେଟର୍ମାନେ ସେମାନଙ୍କ ଓ୍ଵାର୍ଡରେ କିପରି ସହଜରେ ଜମି ଅଧିଗ୍ରହଣ ହେବ ସେନେଇ ସମସ୍ତ ପ୍ରକାରର ସହଯୋଗ କରିବାକୁ କୁହାଯାଇଛି।
ରାସନ୍ କାର୍ଡ ହିତାଧିକାରୀ ପାଇବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁବିଧା
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ଯେଉଁମାନେ ରାସନ୍ କାର୍ଡ ପାଇଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମିଳିବ। ବିଏମ୍ସି ଅଧୀନରେ ଥିବା ହିତାଧିକାରୀଙ୍କୁ ଏହି ସୁବିଧା ଯୋଗାଇବାକୁ ଆଜିର କର୍ପୋରେସନ୍ ବୈଠକରେ ସର୍ବସମ୍ମତି କ୍ରମେ ଏହା ପାରିତ ହୋଇଛି।
୪୦ ଟିପିଡିର ବାୟୋ ଗ୍ୟାସ୍ ପ୍ଲାଣ୍ଟ୍, ୫ ଟନ୍ର କମ୍ପୋଷ୍ଟ ପ୍ଲାଣ୍ଟ ହେବ
ରାଜଧାନୀର ଜୈବ ଆବର୍ଜନାର ସଦୁପଯୋଗ କରିବା ପାଇଁ ବିଏମ୍ସି ପକ୍ଷରୁ ଦୈନିକ ୪୦ଟନ୍ କ୍ଷମତା ବିଶିଷ୍ଟ ବାୟୋ ଗ୍ୟାସ୍ ପ୍ଲାଣ୍ଟ୍ ନିର୍ମାଣ କରାଯିବ। ଏନେଇ ତିନିରୁ ଚାରିଟି ଜାଗା ଦେଖାଯାଇଥିଲେ ହେଁ ଖୁବ୍ ଶୀଘ୍ର ଚୂଡ଼ାନ୍ତ ସ୍ଥାନ ସ୍ଥିର ହେବ ବୋଲି କୁହାଯାଇଛି। ଏଠାରୁ ବିଭିନ୍ନ ସଂସ୍ଥା ଏବଂ ଆବାସିକ ଅଞ୍ଚଳକୁ ବାୟୋ ଗ୍ୟାସ୍ ଯୋଗାଇବାକୁ ଯୋଜନା ହୋଇଛି। ସେହିପରି ଦୀର୍ଘ ଦୁଇ ବର୍ଷ ହେଲା ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରେ କମ୍ପୋଷ୍ଟ ପ୍ଲାଣ୍ଟ କରିବାକୁ ଯୋଜନା ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହା ହୋଇପାରୁନି। ଏହାକୁ ଖୁବ୍ ଶୀଘ୍ର ନିର୍ମାଣ କରାଯିବ ବୋଲି ଆଜିର କାଉନସିଲ୍ ବୈଠକରେ କୁହାଯାଇଛି।
ସେପ୍ଟେମ୍ବର ୧୫ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ରାସ୍ତା ଖୋଳିବା ଉପରେ ରୋକ୍
ହକି ବିଶ୍ୱକପ୍ ପାଇଁ ରାଜଧାନୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବଂ ରାସ୍ତା ମରାମତି ହେବ। ଏଥିପାଇଁ ସେପ୍ଟେମ୍ବର ୧୫ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ କୌଣସି ସ୍ଥାନରେ ରାସ୍ତା ଖୋଳାଯିବନି। ଯେଉଁମାନଙ୍କୁ ରାସ୍ତା ଖୋଳିବାକୁ ଅନୁମତି ଦିଆଯାଇଛି ତାହାକୁ ଡିସେମ୍ବର ୨୦ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି। ଯଦି କିଏ କେଉଁଠି ଖୋଳୁଥିବେ ତେବେ କର୍ପୋରେଟର୍ମାନେ ବିଏମ୍ସିକୁ ଜଣାଇବାକୁ କୁହାଯାଇଛି। ଜରୁରୀକାଳୀନ ସେବା ପାଇଁ ବିଏମ୍ସିରୁ ସ୍ୱତନ୍ତ୍ର ଅନୁମତି ନେଇ ରାସ୍ତା ଖୋଳିପାରିବେ ବୋଲି କୁହାଯାଇଛି।
ଏବେ ଶିଶୁ ଭବନରୁ ରାଜମହଲ ପର୍ଯ୍ୟନ୍ତ ହେବ ସ୍ମାର୍ଟ ଜନପଥ
ହକି ବିଶ୍ୱକପ୍ ପୂର୍ବରୁ ଶିଶୁଭବନରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତାକୁ ସ୍ମାର୍ଟ ଜନପଥରେ ପରିଣତ କରାଯିବ। ସ୍ମାର୍ଟ ଜନପଥରେ ମିଳିବାକୁ ଥିବା ସମସ୍ତ ସୁବିଧା ସୁଯୋଗ ଏଠାରେ ମିଳିବ। ଏହି ରାସ୍ତାରେ ସ୍ୱତନ୍ତ୍ର ୟୁଟିଲିଟି କରିଡର୍, ସାଇକେଲ୍ ଟ୍ରାକ୍, ଫୁଟପାଥ୍ ରହିବ। ଡିସେମ୍ବର, ୨୦୧୯ ସୁଦ୍ଧା ପୂରା ଜନପଥକୁ ସ୍ମାର୍ଟ ଜନପଥରେ ପରିଣତ କରାଯିବ।
ପୂଜା ପୂର୍ବରୁ ସବୁ ବିଏମ୍ସି ରାସ୍ତା ମରାମତି ହେବ
ଦୁର୍ଗା ପୂଜା ପୂର୍ବରୁ ରାଜଧାନୀରେ ବିଏମ୍ସିର ଥିବା ସମସ୍ତ ରାସ୍ତାର ମରାମତି କରାଯିବ। ଏଥିପାଇଁ ଟେଣ୍ଡର୍ ପ୍ରକ୍ରିୟା ତୁରନ୍ତ ଶେଷ କରି ସେପ୍ଟେମ୍ବର ୧୫ରୁ କାମ ଆରମ୍ଭ କରିବାକୁ ସିଟି ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Follow Us