ଗୁରୁତର କର୍ମଚାରୀଙ୍କୁ ବି ହସ୍ପିଟାଲ ସ୍ଥାନାନ୍ତର କରାଯାଉନି

Advertisment

ଏଏସ୍‌ଓଙ୍କ ଯତ୍ନ ନେଉନି ବିଏମ୍‌ସି: ଓଡ଼ିଶା ସଚିବାଳୟ ସେବା ସଂଘ

ଏଏସ୍‌ଓଙ୍କ ଯତ୍ନ ନେଉନି ବିଏମ୍‌ସି: ଓଡ଼ିଶା ସଚିବାଳୟ ସେବା ସଂଘ

ଗୁରୁତର କର୍ମଚାରୀଙ୍କୁ ବି ହସ୍ପିଟାଲ ସ୍ଥାନାନ୍ତର କରାଯାଉନି

Odisha News Times

ଭୁବନେଶ୍ୱର : ବିଏମ୍‌ସିକୁ କରୋନା ଡ୍ୟୁଟି କରିବାକୁ ଆସିଥିବା ଜଣେ ଏଏସ୍‌ଓ କରୋନା ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ବି ତାଙ୍କର ଚିକିତ୍ସା କରାଯାଉନି। ସେ ବାରମ୍ବାର ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପରିବର୍ତ୍ତେ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ କୁହାଯାଉଛି। ଯଦି ବିଏମ୍‌ସି ଏଏସ୍ଓମାନଙ୍କର ଯତ୍ନ ନ ନେଇପାରିବ, ତେବେ ଆଗକୁ ଏଏସ୍‌ଓମାନେ ବିଏମ୍‌ସି ପାଇଁ କାମ କରିବେନି ବୋଲି ଓଡ଼ିଶା ସଚିବାଳୟ ସେବା ସଂଘ ଚେତାବନୀ ଦେଇଛି।

ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ କହିଛନ୍ତି ଯେ ଇସ୍ପାତ ଓ ଖଣି ବିଭାଗରେ କାମ କରୁଥିବା ଏଏସ୍‌ଓ ପ୍ରୀତିରଂଜନ ଜେନା ଏବେ ବିଏମ୍‌ସିରେ କରୋନା ଡ୍ୟୁଟି କରୁଛନ୍ତି। ରାଜ୍ୟ ସରକାର ଯେଉଁ ୫୦ଜଣ ଏଏସ୍‌ଓଙ୍କୁ ବିଏମ୍‌ସିକୁ ପଠାଇଥିଲେ, ସେଥିରେ ଶ୍ରୀ ଜେନା ଅଛନ୍ତି। ସେ ବିଏମ୍‌ସିରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବା ଅବସରରେ ଅସୁସ୍ଥ ହୋଇପଡ଼ିଥିଲେ। ଗତ ୩୧ ତାରିଖରେ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କର ଜ୍ବର, ମାଂସପେଶୀ ଯନ୍ତ୍ରଣା ହେବା ସହ କାଶିବା ଦ୍ବାରା ପାଟି ଓ ନାକରୁ ରକ୍ତ ବାହାରୁଛି। ଏନେଇ ସେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର କହିବା ପରେ ବି ତାଙ୍କର ଉପଯୁକ୍ତ ଚିକିତ୍ସା କରାଯାଉନି। ବିଏମ୍‌ସି କର୍ତ୍ତୃପକ୍ଷ ତାଙ୍କର ଚିକିତ୍ସା କିପରି ହେବ ସେନେଇ କିଛି ପଦକ୍ଷେପ ନେଉନାହାନ୍ତି। ସେ ଏବେ ଗୋଟିଏ ଘରେ ସାଙ୍ଗମାନଙ୍କ ସହ ରହୁଥିବାରୁ ସେଠାରେ କେହି ହୋମ୍‌ ଆଇସୋଲେସନ୍‌ ନିୟମ ମାନୁନାହାନ୍ତି।

ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ନେଇ ସେପ୍ଟେମ୍ବର ୧ରେ ଇସ୍ପାତ ଓ ଖଣି ବିଭାଗର ସ୍ବତନ୍ତ୍ର ସଚିବ ତଥା କୋଭିଡ୍‌-୧୯ ନୋଡାଲ ଅଫିସର ସଂଗ୍ରାମ କେଶରୀ ସ୍ବାଇଁ ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଚିଠି ଲେଖି ଶ୍ରୀ ଜେନାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସ୍ଥାନାନ୍ତର କରାଗଲାନି। ଗୃହ ବିଭାଗ ଅଗଷ୍ଟ ୨୨ରେ ୫୦ଜଣ ଏଏସ୍‌ଓ ଓ ୧୫ଜଣ ଡାଟାଏଣ୍ଟ୍ରି ଅପରେଟରଙ୍କୁ ସ୍ବତନ୍ତ୍ର ଆଦେଶ ବଳରେ ବିଏମ୍‌ସିରେ କାର୍ଯ୍ୟ କରିବାକୁ ପଠାଇଥିବାରୁ ସଂଘ ପକ୍ଷରୁ ଏନେଇ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ୨ ତାରିଖ‌ରେ ଚିଠି ଲେଖାଯାଇଛି। ଏଥିରେ ଏଏସ୍‌ଓମାନେ ଘରକୁ ଘର ବୁଲି ସର୍ଭେ କରିବେ, ତଥ୍ୟ ସଂଗ୍ରହ କରିବେ ବୋଲି କୁହାଯାଇ ନଥିଲେ ହେଁ କାହିଁକି ଏ କାମ ଦିଆଗଲା, ଏବେ ସୁଦ୍ଧା ଦୁଇଜଣ ଏଏସ୍‌ଓ କରୋନା ଆକ୍ରାନ୍ତ ହୋଇଥିଲେ ହେଁ ତାଙ୍କର ଉପଯୁକ୍ତ ଚିକିତ୍ସା କରାଯାଇନି ବୋଲି କୁହାଯାଇଛି। ଯଦି ବିଏମ୍‌ସି ଏଏସ୍‌ଓମାନଙ୍କର ଯତ୍ନ ନେଇପାରୁନି ତେବେ ଆମେ କାମ ବନ୍ଦ କରି‌ଦେବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଏଏସ୍‌ଓମାନଙ୍କୁ ଘରକୁ ଘର ବୁଲି ସର୍ଭେ କରିବାକୁ କୁହାଯାଇନି। ସେମାନଙ୍କୁ ଏହାର ପର୍ଯ୍ୟବେକ୍ଷଣ ଦାୟିତ୍ବ ଦିଆଯାଇଛି। ତେବେ କୌଣସି କର୍ମଚାରୀ କରୋନା ଆକ୍ରାନ୍ତ ହେଲେ ତାଙ୍କୁ ତୁରନ୍ତ ସେବା ଯୋଗାଇବା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe