ନିଷ୍କାସିତ ହେଉନି ନର୍ଦ୍ଦମା ପାଣି: ହୋଟେଲ୍‌ର ବର୍ଜ୍ୟଜଳ ପଶି ମନ୍ଦିର ପରିସର ପୂତିଗନ୍ଧମୟ

Advertisment

ଆପାର୍ଟମେଣ୍ଟ ବର୍ଜ୍ୟଜଳ ଯୋଗୁଁ ଅସନ୍ତୋଷ, କୂଅ, ପୋଖରୀ ଜଳ ଦୁର୍ଗନ୍ଧମୟ

ଆପାର୍ଟମେଣ୍ଟ ବର୍ଜ୍ୟଜଳ ଯୋଗୁଁ ଅସନ୍ତୋଷ, କୂଅ, ପୋଖରୀ ଜଳ ଦୁର୍ଗନ୍ଧମୟ

ନିଷ୍କାସିତ ହେଉନି ନର୍ଦ୍ଦମା ପାଣି: ହୋଟେଲ୍‌ର ବର୍ଜ୍ୟଜଳ ପଶି ମନ୍ଦିର ପରିସର ପୂତିଗନ୍ଧମୟ

ଖଣ୍ଡଗିରି: ଗାଁ ମୁଣ୍ଡରେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟର ବର୍ଜ୍ୟଜଳ ପାଇଁ ତମାଣ୍ଡୋରେ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଛି। ଆପାର୍ଟମେଣ୍ଟର ବର୍ଜ୍ୟଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ଗାଁର କୂଅ ପୋଖରୀ ଜଳ ଦୂଷିତ ହୋଇଗଲାଣି। ବର୍ଜ୍ୟଜଳ ମିଶିବା କାରଣରୁ କୂଅ ଜଳ ଦୁର୍ଗନ୍ଧଯୁକ୍ତ ହୋଇପଡ଼ିଛି। ଫଳରେ ତାହା ଆଉ ବ୍ୟବହାର ଉପଯୋଗୀ ହୋଇନାହିଁ। ଏନେଇ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି।

ଗତ କିଛି ବର୍ଷ ଭିତରେ ତମାଣ୍ଡୋରେ ବହୁ ଆପାର୍ଟମେଣ୍ଟ ଗଢ଼ି ଉଠିଛି। କିଛି ଆପାର୍ଟମେଣ୍ଟରୁ ନିର୍ଗତ ହୋଉଥିବା ବର୍ଜ୍ୟ ଜଳ କୌଣସି ଡ୍ରେନ୍‌ ସହ ସଂଯୁକ୍ତ ହୋଇନାହିଁ। ମଇଳା ପାଣି ସଂରକ୍ଷଣ ପାଇଁ ବଡ଼ବଡ଼ ନନ୍ଦ ତିଆରି ହୋଇଛି। ମାତ୍ର ଅନ୍ତେବାସୀଙ୍କ ସଂଖ୍ୟା ତୁଳନାରେ ନନ୍ଦ ସବୁ ବେଶ୍ ଛୋଟ ହୋଇଛି। ଫଳରେ ବର୍ଷା ହେଲେ ଉକ୍ତ ଟାଙ୍କିରୁ ଆବର୍ଜନା ପାଣି ଉଛୁଳି ରାସ୍ତାକୁ ମାଡ଼ି ଆସୁଛି ଓ ଗାଁ ଲୋକଙ୍କ କୂଅ ପାଣିକୁ ଦୂଷିତ କରୁଛି। ଗାଁ ରାସ୍ତାରେ ମଇଳା ପାଣି ଜମି ରହିବା ଫଳରେ ମଶାମାଛିଙ୍କ ବଂଶ ବୃଦ୍ଧି ପାଉଛି। ଗ୍ରାମବାସୀମାନେ ମଇଳା ପାଣି ମାଡ଼ି ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ଏମିତିକି ମନ୍ଦିର ଯିବା ବେଳେ ବି ଅନୁରୂପ ଅବସ୍ଥା ଭୋଗିବାକୁ ପଡ଼ୁଛି। ଏ ନେଇ ଅନେକ ସମୟରେ ଆପାର୍ଟମେଣ୍ଟ ମାଲିକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସରପଞ୍ଚ ଜଗମୋହନ ପ୍ରଧାନ କହିଛନ୍ତି ଯେ ସରକାରଙ୍କ ନିୟମ ଅନୁସାରେ ଗ୍ରାମାଞ୍ଚଳରେ ଆପାର୍ଟମେଣ୍ଟ ନିର୍ମାଣ କଲେ, କିଛି ଅର୍ଥ ଗ୍ରାମ ପଞ୍ଚାୟତକୁ ଦେବାକୁ ହୁଏ। ଏହି ଅର୍ଥରେ ଉକ୍ତ ଅଞ୍ଚଳରେ ଡ୍ରେନ୍‌ ସୁବିଧା କରାଯିବା କଥା। କିନ୍ତୁ ଆପାର୍ଟମେଣ୍ଟ ମାଲିକମାନେ ବିଡିଏକୁ ଟଙ୍କା ଦେଇଥିବା କହି ପଞ୍ଚାୟତକୁ ଟଙ୍କା ଦେଉନାହାନ୍ତି। ତେଣୁ ପଞ୍ଚାୟତ ତରଫରୁ ଡ୍ରେନ୍ ସୁବିଧା କରାଯାଇପାରୁନାହିଁ।

ଚନ୍ଦ୍ରଶେଖରପୁର: ମନ୍ଦିର ପରିସରକୁ ପଶୁଛି ହୋଟେଲର ବର୍ଜ୍ୟ ଜଳ। ଫଳରେ ମନ୍ଦିର ପରିସର ପାଲଟିଛି ନର୍ଦ୍ଦମା ଜଳଭଣ୍ଡାର। ଦୁର୍ଗନ୍ଧ କାରଣରୁ ମନ୍ଦିରର ଭକ୍ତିମୟ ପରିବେଶ ପୂରା ଧ୍ବଂସ ହୋଇଯାଇଛି। ପୂଜକ ପୂଜା କରିବାକୁ ସମସ୍ୟାରେ ପଡ଼ୁଥିବା ବେଳେ ଶ୍ରଦ୍ଧାଳୁମାନେ ମନ୍ଦିର ଆସିବା ବନ୍ଦ କରିଦେଲେଣି। ଏନେଇ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲେ ମଧ୍ୟ କେହି ସେଥିପ୍ରତି ନଜର ଦେଉନାହାନ୍ତି। ଏହା ହେଉଛି ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ହନୁମାନ ମନ୍ଦିରର ଅବସ୍ଥା।

ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ୍ ନିକଟରେ ରହିଛି ଏହି ହନୁମାନ ମନ୍ଦିର। ମନ୍ଦିର ନିକଟରେ ରହିଛି ଏକ ଓମ୍‌ଫେଡ୍‌ ବୁଥ୍‌ ଓ ଏକ ହୋଟେଲ୍‌। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପାଖ ହୋଟେଲର ଅଇଁଠା ପାଣି ମନ୍ଦିର ପରିସରକୁ ପଶି ଆସୁଛି। ଏମିତିକି ପନିପରିବା ପଚା ଚୋପା ସବୁ ମନ୍ଦିର ଭିତରକୁ ପଶୁଛି। ପାଖରେ ଡ୍ରେନ୍ ରହିଛି। କିନ୍ତୁ ଆବର୍ଜନାରେ ଭର୍ତ୍ତି ହୋଇଥିବା ଡ୍ରେନ୍‌ରେ ପାଣି ନି‌ଷ୍କାସନ ହୋଇପାରୁନାହିଁ। ଡ୍ରେନ୍‌ ପାଣି ଉଛୁଳି ମନ୍ଦିର ଭିତରକୁ ଆସୁଛି। ଦୀର୍ଘ ଦିନ ଧରି ଏଭଳି ଅବସ୍ଥା ଲାଗି ରହିଥିଲେ ମଧ୍ୟ କେହି ଏଥିପ୍ରତି ନଜର ଦେଉନାହାନ୍ତି। ଶ୍ରଦ୍ଧାଳୁ ମନୋରମା ଦାସ କହିଛନ୍ତି ଯେ ମନ୍ଦିର ଆସିବାକୁ ବହୁତ ହଇରାଣ ହେଉଛୁ। ହୋଟେଲବାଲା ବି କିଛି କରୁନାହାନ୍ତି। ପଚାପାଣି ମନ୍ଦିର ପରିସରରେ ଜମୁଥିବାରୁ ବଡ଼ ଦୁର୍ଗନ୍ଧ ହେଉଛି। ତେଣୁ ଟିକିଏ ଶାନ୍ତ ପରିବେଶରେ ବସିବାକୁ ଇଛା ଥିଲେ ବି ଏଠାକୁ ଆସିହେଉନାହିଁ। ପଚା ପାଣି ଜମି ରହୁଥିବାରୁ ସଫାସୁତୁରା କରାଯାଉନାହିଁ। ଫଳରେ ମଶା, ମାଛି ସାଙ୍ଗକୁ ସରୀସୃପଙ୍କ ଭୟ ରହୁଛି। ମନ୍ଦିର ପାଇଁ ପାଚେରି କରିଦେଲେ ବି କିଛି ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ସୁଧାକର ନାୟକ କହିଛନ୍ତି। ପୂର୍ବରୁ ପ୍ରତିଦିନ ଏଠାକୁ ଅନେକ ଶ୍ରଦ୍ଧାଳୁ ଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଖୋଦ୍ ମନ୍ଦିର ପୂଜକ ପୂଜା କରିବା ପାଇଁ ଆସିବାକୁ ନାକ ଟେକୁଛନ୍ତି। ଭକ୍ତିମୟ ପରିବେଶକୁ ନର୍କ ହୋଇ ସାରିଲେଣି ବୋଲି ଶ୍ରୀ ନାୟକ କହିଛନ୍ତି। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe