ବଡ଼ଗଡ଼ ଶବରସାହି ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରସଙ୍ଗ: ଜୋର୍‌ ଧରିଲା ପୁରୁଣା ଜାଗାକୁ ଫେରାଇବା ଦାବି

ବଡ଼ଗଡ଼ ଶବରସାହି ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରସଙ୍ଗ: ଜୋର୍‌ ଧରିଲା ପୁରୁଣା ଜାଗାକୁ ଫେରାଇବା ଦାବି

representeional immage-ntse.scertodisha.nic.in

ଭୁବନେଶ୍ୱର: ବଡ଼ଗଡ଼ ଶବରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ୨୦୨୨ ମସିହାରୁ ବନ୍ଦ କରି ନିକଟସ୍ଥ ଅନ୍ୟ ବିଦ୍ୟାଳୟରେ ମିଶାଇ ଦିଆଯାଇଛି। ଯଦି ସରକାର ତୁରନ୍ତ ଏହି ବିଦ୍ୟାଳୟକୁ ପୁରୁଣା ଜାଗାରେ ଚାଲୁ ନକରନ୍ତି, ତେବେ ଆଗାମୀ ଦିନରେ କୌଣସି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଭିଭାବକମାନେ କୌଣସି ପ୍ରାଥମିକ ବିଦ୍ୟାଳୟକୁ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଛି ଦଳିତ-ଆଦିବାସୀ ସୁରକ୍ଷା ମଞ୍ଚ। ବଡ଼ଗଡ଼ ଶବରସାହିଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଅଧ୍ୟକ୍ଷ ବିଦ୍ୟାଧର ଦେହୁରୀ ଏହି ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଭୁଲ ତଥ୍ୟ ଦେଇ ସରକାର ୧୯୫୬ ମସିହାର ଏହି ପୁରୁଣା ବିଦ୍ୟାଳୟକୁ ବନ୍ଦ କରିଦେଇଛନ୍ତି। ସରକାରଙ୍କ ତରଫରୁ ନିର୍ମିତ ବିଦ୍ୟାଳୟ ନିଜସ୍ବ କୋଠା, ପ୍ରଶସ୍ତ ଖେଳ ପଡ଼ିଆ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଚାରିକଡ଼ରେ ନିର୍ମାଣାଧୀନ ପାଚେରି ଥିବା ବେଳେ ସରକାର କେଉଁ ଉଦ୍ଦେଶ୍ୟରେ ଆଦିବାସୀ, ଦଳିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ କରିବା ପାଇଁ ଉଦ୍ୟମ କଲେ ବୋଲି ଶ୍ରୀ ଦେହୁରୀ ପ୍ରଶ୍ନ କରିଛନ୍ତି।

ଶହଶହ ବର୍ଷ ଧରି ବିଦ୍ୟାଳୟ ନିକଟରେ ରହୁଥିବା ଆଦିବାସୀମାନଙ୍କ ଜମି ହଡ଼ପ କରିବା ଉଦ୍ଦେଶ୍ୟ ରଖି ଏହା କରାଯାଇଛି। ଷଡ଼୍‌ଯନ୍ତ୍ର କରି ପାଣି ଟାଙ୍କି ନିର୍ମାଣ ନାଁରେ ବିଦ୍ୟାଳୟ ବନ୍ଦ କରିବା ସରକାରଙ୍କ ଭୁଲ ବୋଲି ସେ କହିଥିଲେ। ବିଦ୍ୟାଳୟକୁ ପୁରୁଣା ଜାଗାକୁ ଫେରାଇ ନଆଣିଲେ, ଆଗାମୀ ଦିନରେ ଦଳିତ ଆଦିବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ପୂର୍ବତନ କର୍ପୋରେଟର ପ୍ରଦ୍ୟୁମ୍ନ ଜେନା, ଦାସ୍‌ ମହାସଚିବ ଅଶୋକ ନାୟକ, ଉପାଧ୍ୟକ୍ଷ ଗୌତମ ଗୋପାଳ, ଲକ୍ଷ୍ମଣ ମଲ୍ଲିକ, ସୁରେଶ ଚନ୍ଦ୍ର ନାୟକ, ଇକ୍‌ବାଲ୍ ହୁସେନ୍, ଅଞ୍ଜଳି ସ୍ବାଇଁ, ସୁଜାତା ନାୟକ, ରଶ୍ମିପ୍ରଭା ନାୟକ, ଉର୍ମିଳା ନାୟକ, ଅତୁଲ ନାୟକ, ରଙ୍କନିଧି ଦେହୁରୀ, ଜିତେନ୍ଦ୍ର ସେଠୀ, ଲୋକନାଥ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe