ଭୁବନେଶ୍ୱର: ପାଖେଇ ଆସୁଛି ପବିତ୍ର ଦଶହରା। ଚଳଚଞ୍ଚଳ ରାଜଧାନୀର ସମସ୍ତ ପୂଜା ମଣ୍ଡପ। ଆକର୍ଷଣୀୟ ତୋରଣ ପ୍ରସ୍ତୁତି ହେଉ ବା ରାବଣପୋଡ଼ି ସହିଦନଗର ପୂଜା ମଣ୍ଡପରେ ସବୁବେଳେ କିଛି ସ୍ୱତନ୍ତ୍ରତା ଦେଖିବାକୁ ମିଳିଥାଏ। ତେଣୁ ଚଳିତ ବର୍ଷ ମଧ୍ୟ ୧୦୫ ଫୁଟ୍ର ଏକ କାଳ୍ପନିକ ତୋରଣରେ ପୂଜା ପାଇବେ ମା’। ଏଠାରେ ମା’ଙ୍କ ଚାନ୍ଦିମେଢ଼ ସହ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବ। ମା’ଙ୍କ ମସ୍ତକରେ ଅଢ଼େଇ କେଜିର ସୁନା ମୁକୁଟ ଶୋଭା ପାଇବ। ଆଧ୍ୟାତ୍ମିକ ତଥା ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ମା’ଙ୍କ ଶରୀରରେ ୨ କୁଇଣ୍ଟାଲର ରୁପା ଅଳଙ୍କାର ଖଚିତ ହେବ। ସେହିପରି ସୁନାର ପାର୍ଶ୍ୱ ଦେବଦେବୀ ମଧ୍ୟ ପୂଜା ପାଇବେ। ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକର କାରିଗରମାନେ ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି।
ଚଳିତ ବର୍ଷର ପୂଜାର ବିଶେଷତ୍ୱ ଏହି କି ଯେ ପୂଜାରେ ସମସ୍ତ ସୌନ୍ଦର୍ଯ୍ୟୀକରଣରେ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରାଯିବ। ଏପରି ମା’ଙ୍କ ପୂଜାରେ ମଧ୍ୟ ବରୁଣ କାଠ, ଅଗୁରୁ ଭଳି ବହୁ ପାରମ୍ପରିକ ସାମଗ୍ରୀ ବ୍ୟବହାର ହେବ। ଚଳିତ ବର୍ଷ ମଧ୍ୟ ସ୍ୱତନ୍ତ୍ର ପିଠା ଭୋଗ କରାଯିବ। ସ୍ୱତନ୍ତ୍ର ରୋଷେୟା ଏହି ଭୋଗ ପ୍ରସ୍ତୁତ କରିବେ। ଏଥିସହିତ ପ୍ରତିଦିନ ରାତିରେ ଖେଚୁଡ଼ି, ଚୁଡ଼ାଘଷା, ସେଓ ବୁନ୍ଦି ଭଳି ଅନ୍ୟାନ୍ୟ ଭୋଗ ପ୍ରସ୍ତୁତ ହେବ। ସେହିପରି ଭକ୍ତମାନଙ୍କ ପାଇଁ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି।
Follow Us