ଲଜ୍ଜା... ପାଗେଳି ୬ ମାସର ଗର୍ଭବତୀ

ବିଧବାଙ୍କୁ ଗଣଦୁଷ୍କର୍ମ କରି ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି

ଭୁବନେଶ୍ବର: କାମୁକ ରାକ୍ଷସଙ୍କ କବଳରୁ ବର୍ତି ପାରିନାହାନ୍ତି ମାନସିକ ବିକାରଗ୍ରସ୍ତ ମହିଳା। ସେମାନଙ୍କ ଅଜ୍ଞାନର ଫାଇଦା ନେଇ ପାଗେଳିଙ୍କ ସହ ଦୁଷ୍କର୍ମ କରିବାକୁ ପଛାଉ ନାହାନ୍ତି କିଛି ଅମଣିଷ। ଖୋଦ୍‌ ରାଜଧାନୀରେ ଘୃଣ୍ୟ ମାନସିକତାର ଏଭଳି ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ପଟିଆର ରିକ୍ସା କଲୋନି ବସ୍ତିରେ ବୁଲୁଥିବା ବେଳେ ଉଦ୍ଧାର ହୋଇଥିବା ପାଗେଳି ଜଣକ ୬ ମାସର ଗର୍ଭବତୀ ଥିବା ମେଡିକାଲ୍‌ ରିପୋର୍ଟରୁ ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପାଖାପାଖି ୨୮ ବର୍ଷୀୟା ଏହି ମହିଳାଙ୍କର ଓଜନ ମାତ୍ର ୩୭ କେଜି ହୋଇଥିବାରୁ ତାଙ୍କ ପେଟରେ ଥିବା ଛୁଆ ପ୍ରତି ବି ବିପଦ ରହିଛି। ଓଡ଼ିଶା ପତିତା ଉଦ୍ଧାର ସମିତିର ସ୍ବେଚ୍ଛାସେବୀମାନେ ତାଙ୍କୁ ଉଦ୍ଧାର କରି ବିଏମ୍‌ସି ପରିଚାଳିତ ଏକ ଆଶ୍ରୟସ୍ଥଳୀ‌ରେ ରଖି ଯତ୍ନ ନେଉଛନ୍ତି।

ନିର୍ଭୟା ମାମଲା ପରଠୁ ୨୦୧୩ରୁ ଦୁଷ୍କର୍ମକୁ ନେଇ ଦଣ୍ଡବିଧାନ କଡ଼ାକଡ଼ି ହୋଇଛି। ତଥାପି କାମୁକ ରାକ୍ଷସଙ୍କ ଅମାନବିକ କାର୍ଯ୍ୟରେ ରୋକ୍‌ ଲାଗି ପାରିନାହିଁ। ବିଡ଼ମ୍ବନା ଏହି ଯେ ଏବେ ବି ପାଗେଳିମାନେ ଗଳି କନ୍ଦିରେ ଘୂରି ବୁଲୁଥିଲେ ହେଁ ସେମାନଙ୍କୁ ଉଦ୍ଧାର କରାଯାଉନାହିଁ। ସାମାଜିକ କର୍ମୀ ଅନୁରାଧା ମହାନ୍ତି କହିଛନ୍ତି, ଯଦି ଘରେ ଝିଅଟିଏ ପାଗେଳି ହୋଇଯାଉଛି, ତେବେ ତା’ ଦାୟିତ୍ବ ମଧ୍ୟ ପରିବାରବର୍ଗ ନେବା ଉଚିତ। ତାଙ୍କୁ ଘରୁ ବାହାର କରିଦେବା ପ୍ରଥମ ଭୁଲ୍‌। ଦୁଃସ୍ଥ ମାନସିକତା ଯୋଗୁଁ ବହୁ ସମୟରେ ପାଗେଳିମାନେ ଯୌନ ଉତ୍ପୀଡ଼ନର ଶିକାର ହେବା ଦେଖାଯାଉଛି। ଯଦିଓ ସହଜ ନୁହେଁ, ତଥାପି ତଦନ୍ତ କରାଯିବା ଆବଶ୍ୟକ। ଏହିଭଳି ଘଟଣାର‌ ଖୋଳତାଡ଼ କରି ଦୋଷୀଙ୍କ ପାଖରେ ନ ପହଞ୍ଚିଲେ ବାରମ୍ବାର ଅମାନବୀୟ ଘଟଣା ଘଟି ଚାଲିବ। ଏଥିସହ ସାଧାରଣ ବ୍ୟକ୍ତିବିଶେଷ ମଧ୍ୟ ଦାୟିତ୍ବବାନ ହେବା ଆବଶ୍ୟକ। କୌଣସି ସ୍ଥାନରେ ମାନସିକ ବିକାରଗ୍ରସ୍ତ ମହିଳାଟିଏ ଦେଖିବା ମାତ୍ରେ ଏ ସମ୍ପର୍କରେ ପୁଲିସ୍‌କୁ ସୂଚନା ଦେବା ଆବଶ୍ୟକ। ଏଥିସହ ପାଗେଳିମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଗୃହ କରାଯିବା ସହ ସେଠାରେ ଦକ୍ଷ ବ୍ୟକ୍ତିମାନଙ୍କୁ ନିୟୋଜିତ କରାଯିବା ଉଚିତ ବୋଲି ସେ କହିଛନ୍ତି। ଓଡ଼ିଶା ପତିତା ଉଦ୍ଧାର ସମିତି ସମ୍ପାଦିକା ଆଭାରାଣୀ ଚୌଧୁରୀ କହିଛନ୍ତି, କୋଟି କୋଟି ଟଙ୍କାରେ ସ୍ବଧାର ଗୃହ ଚାଲୁଛି। ମାତ୍ର ପାଗେଳିଟିଏ ୬ ମାସର ଗର୍ଭବତୀ ହୋଇ ରାସ୍ତାରେ ବୁଲୁଥିଲେ ବି ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ତେବେ ବିଏମ୍‌ସିର ଆଶ୍ରୟସ୍ଥଳୀରେ ସମ୍ପୃକ୍ତ ମହିଳାଙ୍କୁ ରଖି ଚିକିତ୍ସା ସହ ଖାଦ୍ୟପେୟର ଯତ୍ନ ନିଆଯାଉଛି।

ଆଇନଜୀବୀ ବିଶ୍ବେ‌ଶ୍ବରୀ ମହାନ୍ତି କହିଛନ୍ତି, ବର୍ତମାନ ଏପରି କାଣ୍ଡ ଭିଆଇଥିବା ଅଭିଯୁକ୍ତ ପାଖରେ ପହଞ୍ଚିବା ପାଇଁ ପୁଲିସ୍‌ ତରଫରୁ ଉଦ୍ୟମ ହେବା ଆବଶ୍ୟକ। ଚ୍ୟାଲେଞ୍ଜିଂ ହେଲେ ମଧ୍ୟ ମହିଳାଙ୍କୁ ଏକ୍ସପର୍ଟଙ୍କ ସହାୟତାରେ କାଉନ୍‌ସେଲିଂ କରାଇ ଅଭିଯୁକ୍ତ ପାଖେ ପହଞ୍ଚି ଉପଯୁକ୍ତ ଦଣ୍ଡ ଦେଇପାରିଲେ ଏଭଳି ଘୃଣ୍ୟ ଘଟଣା ନିୟନ୍ତ୍ରଣକୁ ଆସିପାରିବ। ପାଗେଳି ଭାବେ ଘୂରି ବୁଲୁଥିବା ସେ ପ୍ରଥମ ମହିଳା ନୁହନ୍ତି। ଏମିତି ଅନେକ ପାଗେଳି ଏବେ ବି ଘୂରି ବୁଲୁଥିବାରୁ ସେମାନଙ୍କୁ ଖୋଜି ତାଙ୍କୁ ସ୍ବତନ୍ତ୍ର ଗୃହରେ ରଖିବା ଆବଶ୍ୟକ। ପୁଲିସ୍‌ ପାଟ୍ରୋଲିଂ କରିବା ବେଳେ ଏମାନଙ୍କୁ ଦେଖିବା କ୍ଷଣି ଆଶ୍ରୟସ୍ଥଳୀକୁ ପଠାଇବାର ବ୍ୟବସ୍ଥା କରିବା ଆବଶ୍ୟକ। ୨୦୧୩ରୁ ଦୁଷ୍କର୍ମ ଜନିତ ଦଣ୍ଡବିଧାନ କଡ଼ାକଡ଼ି ହୋଇଥିଲେ ହେଁ ପାଗେଳିମାନଙ୍କ କ୍ଷେତ୍ରରେ ଅଭିଯୁକ୍ତମାନେ ଖସିଯିବା ସହଜ ହେଉଛି। ତେଣୁ ଏଥିରେ ଜନସାଧାରଣଙ୍କ ଭାଗୀଦାରି ମଧ୍ୟ ନିତାନ୍ତ ଆବଶ୍ୟକ। ସେମାନେ କୌଣସି ପାଗେଳିଙ୍କୁ ବା‌ହାରେ ବୁଲୁଥିବା ଦେଖିବା ମାତ୍ରେ ପୁଲିସ୍‌କୁ କଲ୍‌ କରିବା ଆବଶ୍ୟକ। ସରକାର ମଧ୍ୟ ଏ ଘଟଣାକୁ ଗୁରୁତ୍ବର ସହ ନେବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe