ଶାନ୍ତିପଲ୍ଲୀ ପ୍ରକଳ୍ପ: ଦୀପାବଳି ପରେ ଉଦ୍‌ଘାଟନ କରି‌ବେ ମୁଖ୍ୟମନ୍ତ୍ରୀ

Advertisment

ତଥାପି ତୁଟିନି ବିବାଦ, କେବେ ନ୍ୟାୟ ପାଇବେ ଅବହେଳିତ ହିତାଧିକାରୀ?

ତଥାପି ତୁଟିନି ବିବାଦ, କେବେ ନ୍ୟାୟ ପାଇବେ ଅବହେଳିତ ହିତାଧିକାରୀ?

ଶାନ୍ତିପଲ୍ଲୀ ପ୍ରକଳ୍ପ: ଦୀପାବଳି ପରେ ଉଦ୍‌ଘାଟନ କରି‌ବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହିଦନଗର ଶାନ୍ତିପଲ୍ଲୀ ବସ୍ତିବାସିନ୍ଦାଙ୍କ ଦୀର୍ଘ ୧୩ ବର୍ଷର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଶାନ୍ତିନଗର ଆବାସ ପ୍ରକଳ୍ପକୁ ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିତାଧିକାରୀଙ୍କ ପାଇଁ ଲୋକାର୍ପଣ କରିବାକୁ ଯାଉଛନ୍ତି। ଏହି ସୂଚନା ମିଳିବା ପରେ ଆବଣ୍ଟନ ହେବାକୁ ଥିବା ଘରଗୁଡ଼ିକୁ ଆଜି ଆଉ ଥରେ ଯାଞ୍ଚ କରାଯାଇଛି। ସବୁଗୁଡ଼ିକ ବ୍ୟବହାର ପାଇଁ ଯୋଗ୍ୟ ଓ ପ୍ରସ୍ତୁତ ଅଛି ବୋଲି ଠିକାସଂସ୍ଥା ନିଶ୍ଚିତ କରିଛି। ବମିଖାଲ ଆରଓବି କଡ଼ରେ ଏହି ପ୍ରକଳ୍ପ ଭିତରକୁ ରାସ୍ତା ମଧ୍ୟ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏହି ପ୍ରକଳ୍ପକୁ ନେଇ ରହିଥିବା ବିବାଦ ତୁଟି ନାହିଁ। ପ୍ରଥମ ସର୍ଭେରେ ତାଲିକାରେ ରହିଥିବା ହିତାଧିକାରୀ ଦ୍ବିତୀୟ ସର୍ଭେରେ ବାଦ୍‌ ପଡ଼ିଥିବାରୁ ପ୍ରବଳ ଅସନ୍ତୋଷ ରହିଛି। ବିଡିଏକୁ ଦୌଡ଼ି ଦୌଡ଼ି ହତାଶ ହେବା ପରେ ବାଦ୍‌ ପଡ଼ିଥିବା ହିତାଧିକାରୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ୧୭ରୁ ଊର୍ଦ୍ଧ୍ବ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ପ୍ରଥମେ ତାଲିକାରେ ଯୋଡ଼ି ପରେ କାଟିଥିବାରୁ ବିଡିଏ ବିରୋଧରେ ରାୟ ଯିବା ଆଇନଜୀବୀ ଆଶଙ୍କା କରିଛନ୍ତି। ଏଭଳି ହେଲେ ବିବାଦ ଆହୁରି ଘନେଇବା ଥୟ।

୨୦୧୦ ମସିହାରେ ସହିଦନଗରର ଶାନ୍ତି ପଲ୍ଲୀ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନା(ରେ’)ରେ ଘର ଦେବା ପାଇଁ ସର୍ଭେ କରିଥିଲା ବିଏମ୍‌ସି। ଏଥିରେ ୮୪୯ ହିତାଧିକାରୀ ଚିହ୍ନଟ ହୋଇଥିଲେ। ସମସ୍ତଙ୍କୁ ବିଏମ୍‌ସି ରେ’ ନମ୍ବର ଆବଣ୍ଟନ କରିଥିଲା। ୨୦୧୨ ମସିହା‌ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ଏଥିରେ ଆଉ ବସ୍ତିର ଗୋଟିଏ ଭାଗ ରହିଯାଇଥିଲା। ବସ୍ତିର ଅଧା ଭାଗ ସର୍ଭେ କରି ବିଏମ୍‌ସି ଏହି ୮୪୯ ହିତାଧିକାରୀଙ୍କୁ ଚିହ୍ନଟ କରିଥିଲା। ଏଥିପାଇଁ ମୋଟ ୧୩୦୦ ୟୁନିଟ୍‌ ନିର୍ମାଣ ହେବାକୁ ଯୋଜନା ହୋଇଥିଲା। ପିପିପି ମୋଡ୍‌ରେ ଡିଏନ୍‌ ହୋମ୍‌ସ୍‌ ଏହି ପ୍ରକଳ୍ପ ପ୍ରସ୍ତୁତ କରିଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ ୫୬୦ ଘର ତିଆରି ହୋଇଛି। ଏହି ୫୬୦ ଘର ନିର୍ମାଣକୁ ୧୦ ବର୍ଷ ଲାଗି ଯିବାରୁ ବସ୍ତିରେ ପରିବାର ସଂଖ୍ୟା ବଢ଼ି ଯାଇଥିବା ଆଶଙ୍କା କରି ବିଡିଏ ଦ୍ବିତୀୟ ବାର ସର୍ଭେ କରିଥିଲା। ଏହାକୁ ନନ୍‌ ରେ’(ରେ’ ହିତାଧିକାରୀ ହୋଇନଥିବା) ସର୍ଭେ ବୋଲି ବିଡିଏ ନାଁ ଦେଇଥିଲା। ଏହି ଦ୍ବିତୀୟ ପର୍ଯ୍ୟାୟ ସର୍ଭେରେ ୩୭୨ ହିତାଧିକାରୀଙ୍କ ତାଲିକା ହୋଇଥିଲା। କିନ୍ତୁ ମୂଳ ହିତାଧିକାରୀ ତାଲିକା(୮୪୯)ରୁ ଷଡ୍‌ଯନ୍ତ୍ର କରି ୬୫ ଜଣଙ୍କୁ କାଟି ଦିଆଯାଇଥିବା ଅଭି‌ଯୋଗ ହୋଇଥିଲା। ଏଠାରୁ ହିଁ ବିବାଦ ଆରମ୍ଭ ହୋଇଥିଲା। ଯେଉଁମାନଙ୍କୁ ବିଡିଏ କାଟି ଦେଇଥିଲା ସେମାନେ ଯୋଗ୍ୟ ନୁହନ୍ତି ବୋଲି କହିଥିଲା। ଯଦି ଯୋଗ୍ୟ ନୁହନ୍ତି, ତେବେ ‌ସେମାନେ ପ୍ରଥମ ତାଲିକାରେ ସ୍ଥାନ ପାଇଥିଲେ କେମିତି? ପ୍ରଥମ ତାଲିକା ଠିକ୍‌ ନା ଦ୍ବିତୀୟ ତାଲିକା ଠିକ୍‌? ଏଭଳି ଅଭିଯୋଗ କରି ତାଲିକାରୁ ବାଦ୍‌ ପଡ଼ିଥିବା ହିତାଧିକାରୀ କୋର୍ଟ ଯାଇଛନ୍ତି।

ଏଭଳି ବିବାଦ ଭିତରେ ବିଡିଏ ଏହି ପ୍ରକଳ୍ପ ଆବଣ୍ଟନ ପାଇଁ ଯୋଜନା କରିଥିଲା। ସେପ୍ଟେମ୍ବର ୧୬ ତାରିଖରେ ଇଡିକଲ୍‌ ଅଡିଟୋରିୟମ୍‌ରେ ବିଡିଏ ଲଟେରି ଜରିଆରେ ୧୧୦ ଜଣଙ୍କୁ ଘର ଆବଣ୍ଟନ କରିଥିଲା। ୟୁନିଟ୍‌ ପିଛା ଧାର୍ଯ୍ୟ ହୋଇଥିବା ପ୍ରିମିୟମ୍‌ ୧.୫ ଲକ୍ଷ ଟଙ୍କା ଯେଉଁମାନେ ଦାଖଲ କରିଥିଲେ ସେମାନଙ୍କୁ ଏହି ଗୃହ ବଣ୍ଟା ଯାଉଥିଲା। ଅନ୍ୟ ଯେଉଁମାନେ ଏହି ଟଙ୍କା ଦାଖଲ କରିବେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଘର ଦିଆଯିବ। ୪ଟି ବ୍ଲକ୍‌ରେ ୫୬୦ ଘର ପ୍ରସ୍ତୁତ ହୋଇଛି। ଲଟେରିରେ ଘର ଦିଆଯିବା ପରେ ହିତାଧିକାରୀଙ୍କ ସହ ଡିଡ୍‌ କରାଯାଉଛି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ପରେ ସେମାନଙ୍କୁ ଦଖଲ ଦିଆଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe