Bhubaneswar Tourism
ଧଉଳି : ଗତ ମାସ ୨୮ ତାରିଖରେ ଧଉଳି ଶାନ୍ତସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସରିଛି। ଏହି ଅବସରରେ ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟୀକରଣ ହେବା ସହ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଲିଫ୍ଟ ଉଦ୍ଘାଟନ କରାଯାଇଛି। ଲିଫ୍ଟ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ମାତ୍ର ଏହା ଭିତରେ ୩ ସପ୍ତାହ ବିତିବାକୁ ବସିଥିବା ବେଳେ ଲିଫ୍ଟ କାର୍ଯ୍ୟକାରୀ ହୋଇନାହିଁ। ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କଲେ, କିନ୍ତୁ ତାହା ଆଜି ଯାଏ କାର୍ଯ୍ୟକ୍ଷମ ହେଲାନାହିଁ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଏବେ ବି ପାହାଚ ଚଢ଼ି ଶାନ୍ତିସ୍ତୂପକୁ ଯାଉଛନ୍ତି। କିଛି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ପାହାଚ ଚଢ଼ିନପାରି ଶାନ୍ତିସ୍ତୂପକୁ ଦେଖିବାରୁ ବଞ୍ଚିତ ହେଉଛନ୍ତି ଓ ନିରାଶ ହୋଇ ଫେରୁଛନ୍ତି।
ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁସାରେ ୧୨ ମିଟର ଉଚ୍ଚତା ଓ ୨ ମିଟର ଚଉଡ଼ା ବିଶିଷ୍ଟ ଏହି ଲିଫ୍ଟ ନିର୍ମାଣ ପାଇଁ ୩୦ ଲକ୍ଷ ଖର୍ଚ୍ଚ କରାଯାଇଛି।
ଏଥିରେ ଥରକେ ସର୍ବାଧିକ ୧୦ ଜଣ ପର୍ଯ୍ୟଟକ ଯିବା ଆସିବା କରିପାରିବେ। ଦିବ୍ୟାଙ୍ଗ ଏବଂ ବୟସ୍କ ଲୋକମାନଙ୍କ ପାଇଁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିଭଳି ଗର୍ଭବତୀ ମହିଳା ଓ ଆଣ୍ଠୁଗଣ୍ଠିରେ ସମସ୍ୟା ଥିବା ଲୋକମାନେ ଏହି ବ୍ୟବସ୍ଥାରୁ ଉପକୃତ ହୋଇପାରିବେ। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲିଫ୍ଟ ଚାଲିବାର ଥିଲା। ମାତ୍ର ବିଡ଼ମ୍ବନା ଉଦ୍ଘାଟନ ପରଠୁ ଲିଫ୍ଟ ଚାଲିନାହିଁ। ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇସାରିଥିବାରୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଧଉଳି ଶାନ୍ତିସ୍ତୂପ ଦେଖିବାକୁ ଆସୁଛନ୍ତି। ଯେଉଁମାନେ ପାହାଚ ଚଢ଼ିପାରୁଛନ୍ତି, ସେମାନଙ୍କ ପାଇଁ ସମସ୍ୟା ନାହିଁ। ତେବେ ଲିଫ୍ଟ ଚାଲୁନଥିବାରୁ ବୟସ୍କ ଓ ଦିବ୍ୟାଙ୍ଗ ପର୍ଯ୍ୟଟକମାନେ ପୂର୍ବ ଭଳି ଶାନ୍ତିସ୍ତୂପ ଦେଖିନପାରି ଫେରିଯାଉଥିବା ଲକ୍ଷ୍ୟ କରାଯାଇଛି। କିଛି ବୟସ୍କ ଓ ଦିବ୍ୟାଙ୍ଗ ପର୍ଯ୍ୟଟକ ସିଡ଼ି(ପାହାଚ)ରେ ଚଢ଼ି କଷ୍ଟରେ ତଳ ଉପର ହେଉଛନ୍ତି। ସୂଚନାନୁସାରେ ଲିଫ୍ଟ ନିର୍ମାଣ କରିଥିବା ଏଜେନ୍ସି ଏଯାଏ ପର୍ଯ୍ୟଟନ ବିଭାଗ କିମ୍ବା ଧଉଳି ବିକାଶ ପରିଷଦ(ଡିଡିସି)କୁ ଏହି ବ୍ୟବସ୍ଥାକୁ ହସ୍ତାନ୍ତର କରିନାହିଁ। ସେହିଭଳି ଏହାର ପରିଚାଳନା ଦାୟିତ୍ବ ଡିଡିସି କିମ୍ବା ପର୍ଯ୍ୟଟନ ବିଭାଗ କର୍ମଚାରୀ କିଏ ନେବେ, ତା’ ମଧ୍ୟ ସ୍ଥିର ହୋଇନାହିଁ। ତେଣୁ ତୁରନ୍ତ ଲିଫ୍ଟ କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
Follow Us