ଚମକିବ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଚେହେରା: ନୂଆ ବୈଷୟିକ ଜ୍ଞାନକୌଶଳରେ ବ୍ୟୟ ହେବ ୪୧ କୋଟି

ଚମକିବ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଚେହେରା: ନୂଆ ବୈଷୟିକ ଜ୍ଞାନକୌଶଳରେ ବ୍ୟୟ ହେବ ୪୧ କୋଟି

ଭୁବନେଶ୍ବର: ଖୁବ୍‌ ଶୀଘ୍ର ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ରୂପରେଖ ବଦଳିଯିବ। ନୂଆ ଟେକ୍ନୋଲୋଜି ଦ୍ବାରା ଏହାର ଚେହେରା ଚମକି ଉଠିବ। ଏଥିପାଇଁ ୪୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ଓ ଅନୁଦାନ ମଧ୍ୟ ମଞ୍ଜୁର ହୋଇସାରିଥିବା ଜଣାପଡ଼ିଛି। ଭିତରେ ପ୍ଲାଟ୍‌ ସ୍କିନିଂ ୩ ଡି ପ୍ରେକ୍ଷାଳୟ ନିର୍ମାଣ କରାଯିବା ସହ ବାହାର ପରିବେଶକୁ ମଧ୍ୟ ଚକ୍‌ମକ୍ କରାଯିବ। ପରିସରରେ ସୁନ୍ଦର ପାର୍କିଂ ବ୍ୟବସ୍ଥା କରାଯିବା ସହ ଫୁଡ୍‌ କୋର୍ଟ ଓ ଓପନ୍‌ ଡାଇନିଂ ବ୍ୟବସ୍ଥା ରହିବ।

ସୂଚନାନୁସାରେ ଏହି ପ୍ଲାନେଟୋରିୟମ୍‌ ଚେହେରା ନବୀକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ନୂଆ ଟେକ୍ନୋଲୋଜି ପ୍ର‌ୟୋଗ ବଳରେ ଏହାକୁ ପୁଣି ଥରେ ନୂଆ କରି ଗଢ଼ା ହେବ। ଏଥିରେ ଅନେକ ନୂଆ ପ୍ରକଳ୍ପ ଯୋଡ଼ି ଦିଆଯିବ। ଭିତରେ ନୂଆ ପାର୍କିଂ ଠାରୁ ଆରମ୍ଭ କରି ଜ୍ୟୋତିର୍ବିଜ୍ଞାନୀ ଉଦ୍ୟାନ ନିର୍ମାଣ କରାଯିବ। ଏହାର ନିର୍ମାଣ ଭାର ନ୍ୟାସନାଲ କାଉନ୍‌ସିଲ ଫର୍‌ ମ୍ୟୁଜିୟମ୍‌ ନେବ। ସେହିଭଳି ଏହାର ଅଡିଟୋରିୟମ୍‌କୁ ମଧ୍ୟ ନବୀକରଣ କରାଯିବ। ଏହି ପ୍ରକଳ୍ପରେ ଅଡିଟୋରିୟମ୍‌ରେ ଲାଗିଥିବା ଡିଜିଟାଲ୍‌ ପ୍ରୋଜେକ୍ଟର୍‌କୁ ବଦଳାଇ ୩ ଡି ୮କେ ରିଜୋଲ୍ୟୁସନ୍‌ର ପ୍ରୋଜେକ୍ଟର ଲଗାଯିବ। ଏଥିସହିତ ୧୨ ମିଟର ଡୋମ ବିଶିଷ୍ଟ ଅଡିଟୋରିୟମ୍‌କୁ ବଢ଼ାଯାଇ ୧୪ ମିଟର ବିଶିଷ୍ଟ କରାଯିବ। ଏଥିପାଇଁ ୨୧କୋଟି ୯୯ଲକ୍ଷ ଟଙ୍କାର ବଜେଟ୍ କରାଯାଇଛି। ସେହିଭଳି ନୂଆ କରି ୭ଡି ସ୍ପେସ୍ ସିମ୍ୟୁଲେଟର କରାଯିବ ଓ ଏଥିପାଇଁ ୬୫ ଲକ୍ଷ ଟଙ୍କାର ବଜେଟ୍ କରାଯାଇଛି। ବଡ଼ କଥା ହେଉଛି, ଏଠାରେ ପ୍ଲାଟ୍ ସ୍କିନିଂର ୩ ଡି ପ୍ରେକ୍ଷାଳୟ ପ୍ରତିଷ୍ଠା କରାଯିବ ଓ ସେଥିରେ ଦର୍ଶକମାନେ ବସି ସିନେମା ଦେଖି ପାରିବେ। ଏଥିପାଇଁ ୪୭ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ବ୍ୟବସ୍ଥାରେ ନୂଆ କରି ଭର୍ଚୁଆଲ୍ ରିୟଲିଟି ପ୍ରୋଜେକ୍ସନ୍ ପ୍ରତିଷ୍ଠା କରାଯିବ ଏବଂ ଏହାକୁ ଶିକ୍ଷା ଓ ମନୋରଞ୍ଜନମୂଳକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯିବ। ଏଥିପାଇଁ ୧ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେଣୁ ଏମିତି ଭିତରେ ନୂଆ ଟେକ୍ନୋଲୋଜି ବାବଦରେ ୨୩ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ପ୍ଲାନେଟୋରିୟମ୍‌ ପରିସର ମଧ୍ୟରେ ଅନେକ କିଛି ନୂଆ ପ୍ରକଳ୍ପ କରାଯିବ। ଏଥିରେ ପର୍ଯ୍ୟଟକଙ୍କ ପାଇଁ ୬୪୫ ବର୍ଗ ମିଟର ଜାଗାରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ ଓ ଏହା ଓପନ୍‌ କିମ୍ବା ବେସ୍‌ମେଣ୍ଟ ବିଶିଷ୍ଟ ହେବ। ବସ୍‌ ପାର୍କିଂ ପାଇଁ ସ୍ବତନ୍ତ୍ର ଭାବେ ୪୫୦ ବର୍ଗମିଟର ଜାଗାରେ ଏକ ସ୍ବତନ୍ତ୍ର ପାର୍କିଂ ସ୍ଥଳ ନିର୍ମାଣ କରାଯିବ। ୪୧୦ ବର୍ଗ ମିଟର ଜାଗାରେ ଲାଇଟ୍‌ସାଉଣ୍ଡ୍‌ ସୋ’ ପାଇଁ ବ୍ୟବସ୍ଥା ରହିବ। ପରିସରରେ ନୂଆ କରି ଫାଉଣ୍ଟେଟେନ୍ ନିର୍ମାଣ କରାଯିବା ସହ ଦର୍ଶକମାନଙ୍କ ପାଇଁ ଫୁଡ୍ କୋର୍ଟ ଓ ଓପନ୍‌ ଡାଇନିଂର ବ୍ୟବସ୍ଥା ରହିବ।

ସୂଚନାଯୋଗ୍ୟ, ଆରମ୍ଭରୁ ଏଠାରେ ଅଡିଟୋରିୟମଟିରେ ଅପ୍ଟୋମେକାନିକାଲ୍‌ ପ୍ରୋଜ୍କେଟର ଥିଲା ଓ ୨୦୧୨ ମସିହାରେ ଏହାକୁ ଡିଜିଟାଲ୍‌ କରାଯାଇଛି। ଏବେ ଅପଗ୍ରେଡ୍ କରାଯାଇଛି ୩ ଡି ୮କେ ସ୍କିନିଂ ବ୍ୟବସ୍ଥା କରାଯିବ। ଏହି ନବୀକରଣ ପାଇଁ ୨ ବର୍ଷ ସମୟ ଲାଗିବ। ନବୀକରଣ ବାବଦରେ ନିର୍ଦ୍ଦେଶକ ଲକ୍ଷ୍ମୀଧର ଶତପଥୀଙ୍କ କହିବା କଥା ନ୍ୟାସନାଲ କାଉନସିଲ୍ ଫର୍‌ ସାଇନ୍ସ ମ୍ୟୁଜିୟମ ଏହି ନବୀକରଣ କାମ ନେବ। ଏଥିପାଇଁ ପ୍ଲାନେଟୋରିୟମ୍‌କୁ ପର୍ଯ୍ୟଟକଙ୍କ ପାଇଁ ୧୦ ମାସ ବନ୍ଦ ରଖାଯିବ। ସଂପୂର୍ଣ୍ଣ ନବୀକରଣ ପରେ ଏଠାକୁ ପର୍ଯ୍ୟଟକ ଓ ଦର୍ଶକମାନଙ୍କ ସଂଖ୍ୟା ବଢ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe