ବାୟୋମାଇନିଂ ପ୍ରକଳ୍ପକୁ ଝଟ୍‌କା; ଗ୍ରାମବାସୀ ଜିଦ୍‌ରେ ଅଟଳ, ଥାନାରେ ଏତଲା

Advertisment
ବାୟୋମାଇନିଂ ପ୍ରକଳ୍ପକୁ ଝଟ୍‌କା; ଗ୍ରାମବାସୀ ଜିଦ୍‌ରେ ଅଟଳ, ଥାନାରେ ଏତଲା

ଭୁବନେଶ୍ବର : ଭୁଆସୁଣି ବାୟୋ ମାଇନିଂ ପ୍ରକଳ୍ପକୁ ଝଟ୍‌କା। ଆଗ ଅଳିଆ ବନ୍ଦ କର, ତା ପରେ ପ୍ରକଳ୍ପ କରିବ। ଏଭଳି ଜିଦିରେ ଦାରୁଠେଙ୍ଗ ଗ୍ରାମବାସୀ ଅଟଳ ରହିଛନ୍ତି। କେବଳ ଅଟଳ ରହିନାହାନ୍ତି ବରଂ ଡମ୍ପିଂ ୟାର୍ଡକୁ ଚାରିଆଡ଼ୁ ଘେରି ରହିଛନ୍ତି। ଅଳିଆ ଗାଡ଼ି ଛଡ଼ା ଅନ୍ୟ କୌଣସି ଗାଡ଼ି ଗଲେ ସେମାନେ ମାଡ଼ି ଆସୁଛନ୍ତି ଓ ଗାଡ଼ି ପୁରାଇ ଦେଉ ନାହାନ୍ତି। ଗତକାଲି ବାୟୋମାଇନିଂ ପ୍ରକଳ୍ପ ପାଇଁ ବିଭିନ୍ନ ସରଞ୍ଜାମ ନେଇ ଯାଉଥିବା ଗାଡ଼ିକୁ ଗ୍ରାମବାସୀ ଅଟକାଇବା ପରେ ବିବାଦ ବଢ଼ିଛି। ଜାଗୃତି ପକ୍ଷରୁ ଚନ୍ଦକା ଥାନାରେ ଏତଲା ଦିଆଯାଇଛି। ଆସନ୍ତାକାଲି ବିଶାଖାପାଟନମ୍‌ରୁ ଆସିବାକୁ ଥିବା ‘ଟ୍ରନେଲ୍‌’ ମେସିନ୍‌ ସବୁକୁ ପରେ ଅଣାଯିବ। ବିବାଦ ତୁଟିବା ପରେ ଏହି ସବୁ ମେସିନ୍‌ ଆସିବ ବୋଲି ଜଣାପଡ଼ିଛି। ଫଳରେ ଏହି ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି।

ଅନ୍ୟପଟେ ଚନ୍ଦକା ଥାନାରେ ଏତଲା ସତ୍ବେ ସମ୍ପୃକ୍ତ ଅଞ୍ଚଳରୁ ମୋରମ ଖୋଳା ଚାଲିଛି। କେତେକ ଅଂଶରେ ବର୍ଷା ପରେ ପାଣି ଜମି ରହିଛି। ଆଉ କେତେକ ଅଞ୍ଚଳରେ ମୋରମ ଖୋଳା ଜାରି ରହିଛି। ନିୟମିତ ଏଠାରୁ ମୋରମ ଚାଲାଣ ହେଉଥିବା ବା ଏଠାରୁ ନିୟମିତ ଟ୍ରାକ୍ଟର ଓ ଟିପର ଯାତାୟାତ କରୁଥିବା ଗାଡ଼ିର ଚକା ଦାଗରୁ ପ୍ରମାଣିତ ହୋଇଛି। ଏଭଳି ଖୋଳା ଚାଲିଲେ ପ୍ରକଳ୍ପ ପାଇଁ ବସିବାକୁ ଥିବା ବଡ଼ ବଡ଼ ମେସିନ୍‌ ଲାଗି ପାରିବନାହିଁ। ଏଣୁ ବିବାଦ ସମାଧାନ ହୋଇ ପ୍ରକଳ୍ପ ଆରମ୍ଭ ହେବା ନିଶ୍ଚିତ ହେଲେ ମଧ୍ୟ ପ୍ରକଳ୍ପ ଆରମ୍ଭ ହେବା ସମ୍ଭବ ହେବ ନାହିଁ। ପ୍ଲାଣ୍ଟ ସେଟ୍ଅପ୍ କରିବାକୁ ଅତି କମ୍‌ରେ ତିନି ମାସ ସମୟ ଲାଗିବ। ଆଉ ଜୁନ ଆରମ୍ଭରୁ ବର୍ଷା ଆଶଙ୍କା ରହିଛି। ଏଣୁ ପ୍ଲାଣ୍ଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

publive-image

ଏନେଇ ବିଏମ୍‌ସିରେ ପ୍ରବଳ ଉଦ୍‌ବେଗ ପ୍ରକାଶ ପାଇଛି। ଆଜି ମେୟର ସୁଲୋଚନା ଦାସ, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଓ ଡେପୁଟି କମିସନର ଶୁଭେନ୍ଦୁ ସାହୁ ଦେଢ଼ ଘଣ୍ଟା ଧରି ମାନସ ମନ୍ଥନ କରିଛନ୍ତି। ବେଆଇନ ମୋରମ ଉଠାଣ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ। ତା ସହିତ ଖୁବ୍‌ଶୀଘ୍ର ଗ୍ରାମବାସୀଙ୍କ ସହ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଗ୍ରାମବାସୀ ସନ୍ତୋଷ ସେଠୀ କହିଛନ୍ତି, ପ୍ରଥମେ ଅଳିଆ ଗାଡ଼ି ଡମ୍ପିଂୟାର୍ଡକୁ ଆସିବା ବନ୍ଦ କରୁ। ତା’ ପରେ ବାୟୋମାଇନିଂ ପ୍ଲାଣ୍ଟ କାମ ଆରମ୍ଭ ହେବ। ପୂର୍ବରୁ ବିଏମ୍‌ସି କହିଥିଲା ପ୍ରଥମେ ଅଳିଆ ବନ୍ଦ ହେବ। କିନ୍ତୁ ଅଳିଆ ବୁହା ଚାଲିଛି। ଗତକାଲି ବାୟୋମାଇନିଂ ପାଇଁ ମେସିନ୍‌ ବସାଇବାକୁ ଗାଡ଼ି ପଠାଇ ଦେଇଛନ୍ତି। ଏଣୁ ଯାହା ଜଣାପଡ଼ୁଛି ଏମାନେ ଅଳିଆ ବନ୍ଦ ନ କରି ପ୍ରକଳ୍ପ ଆରମ୍ଭ କରି ଦେବେ। କିନ୍ତୁ ଏହା ହୋଇ ପାରିବ ନାହିଁ। ଶେଷ ପର୍ଯ୍ୟନ୍ତ ବିରୋଧ ହେବ ବୋଲି ସେ କହିଛନ୍ତି। ୫୦ରୁ ଶହେ ଗ୍ରାମବାସୀ ଏକାଠି ହୋଇ ଆଜି ରାସ୍ତା ଉପରେ ନାରା ଦେବା ସହ ଏଭଳି ବିରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ,ଏବେ ରାଜଧାନୀରୁ ଦୈନିକ ୫୫୦ ଟନ୍‌ରୁ ଅଧିକ ଆବର୍ଜନା ବାହାରୁଛି। ବିଏମ୍‌ସି ନିର୍ମାଣ କରିଥିବା ୩୦ଟି ଏମ୍‌ସିସିରେ ସର୍ବାଧିକ ୧୫୦ ଟନ୍‌ ପରିଚାଳନା ସମ୍ଭବ ହେଉଛି। ବାକି ୪୦୦ ଟନ୍‌ ଆବର୍ଜନା ପ୍ରଥମେ ସୈନିକ ସ୍କୁଲ ପଛ ପାଖରେ ଥିବା ଟିଟିଏସ୍‌ ଓ ପରେ ଭୁଆସୁଣିକୁ ଯାଉଛି। ଭୁଆସୁଣିକୁ ନୂଆ ଆବର୍ଜନା ନେବା ବନ୍ଦ କରିବା ସମ୍ଭବ ହେଉ ନାହିଁ। ଭୁଆସୁଣିରେ ପ୍ରାୟ ୬୦ ଏକର ଜାଗାରେ ୧୬ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ଗଦା ହୋଇ ରହିଛି। କମ୍‌ ଦିନ ମଧ୍ୟରେ ପ୍ରକଳ୍ପ କାମ ନ ହୁଏ ତେବେ ଆସନ୍ତା ୬ ମାସ ଅର୍ଥାତ୍‌ ନଭେମ୍ବର ମାସ ପର୍ଯ୍ୟନ୍ତ ଆଉ ହୋଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe