ଚାକିରି ଆଶାୟୀଙ୍କ ଚାଞ୍ଚଲ୍ୟକର ବୟାନ; ଗ୍ରୁପ୍ ବି ପାଇଁ ୧୦ ଲକ୍ଷ, ଗ୍ରୁପ୍ ସି ପାଇଁ ୫ ଲକ୍ଷ ମାଗୁଥିଲେ

Advertisment
ଓଏସ୍ଏସସିରେ ଚାକିରି ଦୁର୍ନୀତି ଅଭିଯୋଗ ଘଟଣା: କାହା ଚାପରେ ଅଟକିଛି ଭିଜିଲାନ୍ସ ତଦନ୍ତ!

ଭୁବନେଶ୍ବର : ଓଏସ୍ଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ବର୍ଷ ବର୍ଷ ଧରି ଚାକିରି କେଳେଙ୍କାରିରେ ସାମିଲ ଥିଲେ। ସେ ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ଥିଲେ ମଧ୍ୟ ରାକେଟ୍ ତାଙ୍କ ମାଧ୍ୟମରେ ପରିଚାଳିତ ହେଉଥିଲା। ତାଙ୍କ ଜରିଆରେ ବଡ଼ବଡ଼ିଆଙ୍କ ପାଖରେ ପହଞ୍ଚୁଥିଲା ଟଙ୍କା। ଟଙ୍କା ଦେଇଥିବା ଚାକିରି ଆଶାୟୀମାନେ ତାଙ୍କୁ ଯାଇ ମୁଣ୍ଡିଆ ମାରୁଥିଲେ। ବହୁ ବର୍ଷ ଧରି ଚାକିରି ବିକ୍ରି ଜାଲ ବିଛାଇଥିଲେ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏବେ ବିରଞ୍ଚିଙ୍କ କେଳେଙ୍କାରିର ଗୁମର ଖୋଲୁଛି। ଗ୍ରୁପ୍ ବି ପଦ ପାଇଁ ୧୦ ଲକ୍ଷ ଏବଂ ଗ୍ରୁପ ସି ପଦ ପାଇଁ ୫ ଲକ୍ଷ ଟଙ୍କାର ଡିଲ୍ କରୁଥିଲେ ବିରଞ୍ଚି। ମୋତେ ବି କହୁଥିଲେ ଟଙ୍କା ଦେଲେ ଚାକିରି ପକ୍କା। ଆଜି ଗଣମାଧ୍ୟମକୁ ଏମିତି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଜଣେ ଚାକିରି ଆଶାୟୀ ଅଜୟ ପଣ୍ଡା।

ଶ୍ରୀ ପଣ୍ଡା ଆହୁରି କହିଛନ୍ତି ଯେ ୨୦୧୪ରୁ ୨୦୨୦ ଭିତରେ ସେ ପ୍ରାୟ ୧୦ଟି ପରୀକ୍ଷା ଦେଇଛନ୍ତି। ୨୦୧୯ରେ ଏସିଟିଓ ଏବଂ ୨୦୨୦ରେ କନିଷ୍ଠ କିରାଣି ପରୀକ୍ଷା ଦେଇଥିଲେ। ତେବେ ସେ ଏଥିରେ କୃତକାର୍ଯ୍ୟ ହୋଇପାରି ନ ଥିଲେ। କେଉଁଠି ଅସୁବିଧା ରହୁଛି ଜାଣିବା ପାଇଁ ସେ ଥରେ ଓଏସ୍‌ଏସ୍‌ସି ଅଫିସ ଯାଇଥିଲେ। ସେଇଠି ଭେଟ ହୋଇଥିଲେ ବିରଞ୍ଚି। ସେ ତାଙ୍କୁ ଏହାର କାରଣ ପଚାରିବାରୁ ବିରଞ୍ଚି କୌଶଳକ୍ରମେ ସମ୍ପର୍କ ବଢ଼ାଇଥିଲେ। ଅଫିସ ବାହାରେ ତାଙ୍କ ସହ ଏକାଧିକ ଥର ଭେଟ କରିଥିଲେ। ଦ୍ବିତୀୟ ଶ୍ରେଣୀ ପଦ ପାଇଁ ୧୦ ଲକ୍ଷ ଏବଂ ତୃତୀୟ ଶ୍ରେଣୀ ପଦ ପାଇଁ ୫ ଲକ୍ଷ ଟଙ୍କା ଦେଲେ ଚାକିରି ହେବ ବୋଲି ବିରଞ୍ଚି କହିଥିଲେ। ବିରଞ୍ଚିଙ୍କଠୁ ଏହା ଜାଣିବା ପରେ ଶ୍ରୀ ପଣ୍ଡା ଏ ନେଇ ତାଙ୍କ ବାପାଙ୍କୁ ଜଣାଇଥିଲେ। ଏପରିକି ଜମି ବିକି ଟଙ୍କା ଦେଇ ସରକାରୀ ଚାକିରି ପାଇବାକୁ ମନସ୍ଥ କରିଥିଲେ। କିନ୍ତୁ ତାଙ୍କ ପାଖରେ ଏତେ ଟଙ୍କା ନାହିଁ ବୋଲି ବାପା ମନା କରି ଦେଇଥିଲେ। ତେଣୁ ବିରଞ୍ଚିଙ୍କ ସହ କେଉଁ ବଡ଼ମୁଣ୍ଡମାନେ ସମ୍ପୃକ୍ତ ଅଛନ୍ତି, ତାହାର ପର୍ଦ୍ଦାଫାସ୍ ହେଉ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe