ଭୁବନେଶ୍ବର: ଭାରତର ୧୫ତମ ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଅଭିନବ ଉଦ୍ୟମ ଆରମ୍ଭ କରିଛି। ରାଇରଙ୍ଗପୁରସ୍ଥିତ ପୈତୃକ ଗ୍ରାମରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ତାଙ୍କ ସଂଘର୍ଷମୟ ଯାତ୍ରାକୁ ଗୋଟିଏ ବୃତ୍ତଚିତ୍ର (ଡକ୍ୟୁମେଣ୍ଟାରି)ରେ କଏଦ୍ କରିବାକୁ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଛାତ୍ରୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଏହାର ସୁଟିଂ ରମାଦେବୀ କଲେଜରୁ ଆରମ୍ଭ ହୋଇଛି। ଖୁବ୍ଶୀଘ୍ର ଏହି ଟିମ୍ ତାଙ୍କ ଜନ୍ମ ମାଟି ମୟୂରଭଞ୍ଜକୁ ଯିବ। ପିଲା ଦିନ ବିତିଥିବା ତାଙ୍କ ଘର, ଖେଳାବୁଲା କରୁଥିବା ପଡ଼ିଆ ଓ ବାଲ୍ୟବନ୍ଧୁଙ୍କଠାରୁ ପିଲାଦିନର ସ୍ମୃତିକୁ କ୍ୟାମେରା ଲେନ୍ସରେ କଏଦ୍ କରିବ।
ପବିତ୍ର ଗୁରୁ ଦିବସ ପୂର୍ବରୁ ଏହି ବୃତ୍ତଚିତ୍ର ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍ ଅପରାଜିତା ଚୌଧୁରୀଙ୍କ ପ୍ରେରଣାରେ ବିଭାଗର ଦୁଇ ଅଧ୍ୟାପକ ଅମ୍ବିକା ଶଙ୍କର ମିଶ୍ର ଓ ନରସିଂହ ମାଝୀ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଚଳଚ୍ଚିତ୍ରରେ ଉଭୟ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରୀ ଭାଗ ନେଇଛନ୍ତି। ରମାଦେବୀ ବିଶ୍ୱବିଦ୍ୟାଳୟ ଏହାର ପ୍ରଯୋଜନା କରୁଥିବା ବେଳେ ସୃଜନିକା ଓ ସୁଶ୍ରୀ ପ୍ରଡକ୍ସନ୍ ମ୍ୟାନେଜର୍ ରହିଛନ୍ତି। ଅଧ୍ୟାପକ ଅମ୍ବିକା କାହାଣୀ ରଚନା କରିଥିବା ବେଳେ ଛାତ୍ରୀ ଲିପ୍ସା ସହ ନିର୍ଦ୍ଦେଶନା ଭାର ତୁଲାଉଛନ୍ତି। ଫଟୋଗ୍ରାଫି ନିର୍ଦ୍ଦେଶନା ଦେଇଛନ୍ତି ଅଙ୍କିତା ଓ ଶୁଭସ୍ମିତା। ପୂରା ଟିମ୍ ତାଙ୍କର ଏଇ ଜୀବନ କାହାଣୀକୁ ନୂଆ ରୂପରେ ଉପସ୍ଥାପନ କରିବା ପାଇଁ ଜୋରସୋର୍ରେ ଲାଗି ପଡ଼ିଛନ୍ତି। ସୂଚନାଯୋଗ୍ୟ, ଶ୍ରୀମତୀ ମୁର୍ମୁ ଭୁବନେଶ୍ବରସ୍ଥିତ ୟୁନିଟ୍-୨ ବାଳିକା ବିଦ୍ୟାଳୟ ଓ ରମାଦେବୀ ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ।
Follow Us