ଭୁବନେଶ୍ବର : ରାଜ୍ୟର ସବୁଠୁ ବଡ଼ ଓ ବ୍ୟସ୍ତବହୁଳ ବଜାର ୧ ନମ୍ବର ମାର୍କେଟ୍। ୨ ନମ୍ବର ମାର୍କେଟ୍ ସହ ସଂଯୋଗ ଯୋଗୁ ଏଠାରେ ଦୈନିକ ଲକ୍ଷାଧିକ ବ୍ୟକ୍ତିବିଶେଷଙ୍କ ସମାଗମ ହୁଏ। ଖାସ୍ ଏଇ କାରଣରୁ ଗାଡ଼ି ମୋଟର ଜାମ୍ ଯୋଗୁଁ ଟ୍ରାଫିକ୍ ସମସ୍ୟା ଉପୁଜିବା ଏଠି ଏକ ଚିରାଚରିତ ସମସ୍ୟା। ଏଭଳି ବିଷମ ସ୍ଥିତି ସତ୍ତ୍ବେ ଏବେ ୧ନମ୍ବରରୁ ୨ ନମ୍ବର ମାର୍କେଟ୍କୁ ମୁଖ୍ୟ ରାସ୍ତା ଉପରେ ଅନେକ ବିପଜ୍ଜନକ ଭାବେ ଅତିକ୍ରମ କରୁଛନ୍ତି। ଭୂତଳ ରାସ୍ତା ଥିଲେ ହେଁ ସର୍ଟକଟ୍ ରାସ୍ତା ଲୋକେ ଆପଣାଉଛନ୍ତି। ଜନଗହଳିପୂର୍ଣ୍ଣ ଏହି ସ୍ଥାନରେ ଗାଡ଼ି ମୋଟର ରାସ୍ତା ପାର୍ ହେବାକୁ ଫୁର୍ସତ ଦେଉନଥିଲେ ହେଁ ଅନେକ ଏହାକୁ ଖାତିର୍ ନକରି ଦୌଡ଼ି ପାର୍ ହେଉଛନ୍ତି। ଫଳରେ ଏହା ପ୍ରତି ମୁହୂର୍ତରେ ବିପଦକୁ ଆହ୍ବାନ କରୁଛି।
ବାତ୍ୟା ‘ଫନି’ର ତାଣ୍ଡବ ପରଠୁ ହିଁ ଏଭଳି ସ୍ଥିତି ଉପୁଜିଛି। ବାସ୍ତବରେ ଏକ ନମ୍ବର ଓ ୨ ନମ୍ବର ମାର୍କେଟ୍ ମଧ୍ୟରେ ଏକ ପ୍ରଶସ୍ତ ଡିଭାଇଡର ରହିଛି। ଏହାର ଦୁଇ ପାର୍ଶ୍ବରେ କାନ୍ଥ ସହ ଲୁହା ବାଡ଼ ରହିଛି। ହେଲେ ବାତ୍ୟା ଧକ୍କାରେ ଉଭୟ କାନ୍ଥ ଓ ଲୁହା ବାଡ଼ ଭାଙ୍ଗିଯାଇଛି। ଅଥଚ ଦୀର୍ଘ ଅଢ଼େଇ ମାସ ପରେ ମଧ୍ୟ ଏହାକୁ ଏପର୍ଯ୍ୟନ୍ତ ମରାମତି କରାଯାଇନାହିଁ। ଏହାର ସୁଯୋଗ ନେଇ ୧ ନମ୍ବର ମାର୍କେଟ୍କୁ ଆସୁଥିବା ଲୋକେ ଯଦି ଦୁଇ ନମ୍ବର ମାର୍କେଟ୍ରୁ କିଛି କିଣାକିଣି ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ଏହି ଭଙ୍ଗା ସ୍ଥାନ ଦେଖି ସର୍ଟକଟ୍ ହେବ ଭାବି ଗୋଟେ ମାର୍କେଟ୍ରୁ ଅନ୍ୟ ମାର୍କେଟ୍କୁ ଅତିକ୍ରମ କରୁଛନ୍ତି। ମାତ୍ର ଏହା ଯେ କୌଣସି ମୁହୂର୍ତରେ ସେମାନଙ୍କୁ ଯେ ଏକ ନିଶ୍ଚିତ ଦୁର୍ଘଟଣା ଆଡ଼କୁ ଟାଣି ନେଉଛି ତାହା ଜାଣିପାରୁନାହାନ୍ତି। ଇଏ ତ ଲୋକଙ୍କ ମନବୃତ୍ତି। ମାତ୍ର ପ୍ରଶାସନର ମଙ୍ଗୁଆଳ ସାଜିଥିବା ଭୁବନେଶ୍ବର ମହାନଗର ନିଗମ ବି ସବୁ ଦେଖି ଚୁପ୍।
ଏକଥା ନୁହେଁ ଯେ ଦୁଇ ମାର୍କେଟ୍କୁ ଯା-ଆସ ପାଇଁ ବିକଳ୍ପ ରାସ୍ତା ନାହିଁ। କିନ୍ତୁ ଏହାକୁ ବ୍ୟବହାର କରାଯାଉନାହିଁ। ଦୁଇ ମାର୍କେଟ୍ ମଧ୍ୟରେ ଯାତାୟାତ ପାଇଁ ମଧ୍ୟଭାଗରେ ଏକ ବିକଳ୍ପ ଭୂତଳ ରାସ୍ତା ଅଛି। ଗୋଟିଏ ପଟରୁ ଆରପଟକୁ ଯା-ଆସ ପାଇଁ ଲୁହା ରେଲିଂ ଘେରା ସ୍ଥାନ ସଂରକ୍ଷିତ ଅଛି। ତାହା ଅଧିକାଂଶ ଲୋକଙ୍କ ଦ୍ବାରା ବ୍ୟବହୃତ ମଧ୍ୟ ହେଉଛି। କିନ୍ତୁ ସର୍ଟକଟ୍ ମନସ୍କ କେତେକ ବ୍ୟକ୍ତି ସବୁ ଜାଣି ସୁଦ୍ଧା ନିଜ ପାଇଁ ବିପଦକୁ ଆମନ୍ତ୍ରଣ କରିବାକୁ ପଛାଉନାହାନ୍ତି। ମୁକୁଳା କାନ୍ଥର ସୁଯୋଗ ନେଇ ଯିଏ ଯୋଉଠି ପାରୁଛି ରାସ୍ତା ପାର୍ ହେଉଛି। ଏହାକୁ ଜଗିବାକୁ କେହି ନାହାନ୍ତି, କି ନରହିବା ବି ସ୍ବାଭାବିକ। ମାତ୍ର ପ୍ରଶାସନ ଏ ବାବଦରେ ତ୍ବରିତ ପଦକ୍ଷେପ ନନେବା ଏବଂ ବାଡ଼ ନସଜାଡ଼ି ଲୋକଙ୍କ ଭାଗ୍ୟ ସହ ଖେଳିବା କେତେ ଦୂର ଯଥାର୍ଥ ତାହା ବିଚାରଯୋଗ୍ୟ।
Follow Us