ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାରେ ବଡ଼ ପତାକା ଉଡ଼ିବାକୁ କେନ୍ଦ୍ର କରି ଆଜି ସେବାୟତମହଲରେ କ୍ଷୋଭ ପ୍ରକାଶ ପାଇଛି। ବଡ଼ ପତାକା ମନ୍ଦିର ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ଥିବା ଅଭିଯୋଗ ହେବାରୁ ପତାକାକୁ ଖୋଲି ଦିଆଯାଇଥିଲା। ସୂଚନାନୁଯାୟୀ, ମାନସିକ ପୂରଣ ପାଇଁ ଜଣେ ମାନସିକଧାରୀ ମନ୍ଦିର ପ୍ରଶାସନକୁ ୧୦୮ ହାତ ପତାକା ଦାନ କରିଥିଲେ। ଏଥିସହ ପାଉଣା ଦେଇ ଟିକେଟ୍ ମଧ୍ୟ କାଟିଥିଲେ। ମନ୍ଦିର ଚୂଡ଼ାରେ ଗତକାଲି ଏହା ବନ୍ଧା ହୋଇଥିଲା। ତେବେ ଆଜି ଅନ୍ୟ ସେବାୟତଙ୍କ ନଜରରେ ଏହା ପଡ଼ିବା ପରେ ସେମାନେ କ୍ଷୋଭ ପ୍ରକାଶ କରିଥିଲେ। ମନ୍ଦିର ଦଧିନଉତିରେ ଫାଟ ଥିବାରୁ ୪ବର୍ଷ ତଳେ ତାହାକୁ ମରାମତି କରାଯାଇଥିଲା।
ବଡ଼ ପତାକା ବନ୍ଧା ହେଲେ ପୁଣି ସମସ୍ୟା ଦେଖାଦେଇପାରେ। ବର୍ଷାରେ ପତାକା ଓଦା ହୋଇ ଓଜନିଆ ହେଲେ ପିନାକିକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି ବୋଲି ସେବାୟତମାନେ ଅଭିଯୋଗ କରିଥିଲେ। ଏ ସଂପର୍କରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି, ଏଥିପାଇଁ ଏଏସ୍ଆଇ କଟକଣା କରିବା ଉଚିତ। ସେହିପରି ବଡ଼ୁ ନିଯୋଗର ସଂପାଦକ କମଳା ବଡ଼ୁ କହିଛନ୍ତି, ମନ୍ଦିର ପ୍ରଶାସନ ଓ ଏଏସ୍ଆଇ ଏହା ଉପରେ କଟକଣା ଜାରି କରିବା ଉଚିତ। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ବଡ଼ ପତାକା ଉଡ଼ିଲେ, ମନ୍ଦିର ଚୂଳରେ କ୍ଷତି କରିବ। ଏଥିପାଇଁ କଟକଣା ଜାରି ହେବା କଥା। ଏ ସମ୍ପର୍କରେ ଏଏସ୍ଅଆଇ ସଂଗ୍ରାହଧୀକ୍ଷକ ଅରୁଣ କୁମାର ମଲିକ କହିଛନ୍ତି, ପତାକା ଉଡ଼ାଇବା ପାଇଁ କେହି ଅନୁମତି ମାଗିନାହାନ୍ତି କିମ୍ବା ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ ପଦକ୍ଷେପ ନିଆଯିବ।
Follow Us