ଶୁଭଶ୍ରୀ ଆତ୍ମହତ୍ୟା ମାମଲା: ଜେଲ୍‌ ଗଲା ବାବୁନା

Advertisment

ଭଡ଼ା ଘରେ ସିନ୍‌ ରିକ୍ରିଏସନ୍‌

ଭଡ଼ା ଘରେ ସିନ୍‌ ରିକ୍ରିଏସନ୍‌

ଶୁଭଶ୍ରୀ ଆତ୍ମହତ୍ୟା ମାମଲା: ଜେଲ୍‌ ଗଲା ବାବୁନା

ଭୁବନେଶ୍ବର: ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲାରେ ଆଜି ଖାରବେଳନଗର ଥାନା ପୁଲିସ ପୁରୁଷବନ୍ଧୁ ଚିତ୍ତରଂଜନ ଜେନା ଓରଫ ବାବୁନାକୁ କୋର୍ଟ ଚାଲାଣ କରିଛି। ଆତ୍ମହତ୍ୟା ପାଇଁ ଉସୁକାଇବା ଓ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବା ଅଭିଯୋଗରେ କାଲିଠାରୁ ତାକୁ ଗିରଫ କରାଯାଇଥିଲା। ଆଜି ଶାସ୍ତ୍ରୀନଗରସ୍ଥିତ ପ୍ଲଟ୍ ନମ୍ବର ୨୧୯/୨୬୨୬ ଭଡ଼ାଘରେ ବାବୁନା ସିନ୍‌ ରିକ୍ରିଏସନ୍‌ କରିବା ପରେ ପୁଲିସ ତାକୁ କୋର୍ଟରେ ହାଜର କରିଥିଲା ଓ ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ଆଜି ବାବୁନାକୁ ଧରି ଖାରବେଳନଗର ଥାନା ପୁଲିସ ଶାସ୍ତ୍ରୀନଗରରେ ପହଞ୍ଚିଥିଲା।

ସିନ୍ ରିକ୍ରିଏସନ୍ ହେବା ଖବର ପାଇ ସ୍ଥାନୀୟ ଅଞ୍ଚଳର ଶହଶହ ଲୋକ ଘଟଣାସ୍ଥଳ‌ରେ ଭିଡ଼ ଜମାଇଥିଲେ। ପ୍ରାୟ ପୂର୍ବାହ୍ନ ୧୧ଟା ବେଳୁ ସେଠାରେ ଭିଡ଼ ଜମିଥିଲା। ତେବେ ପୁଲିସ ତାକୁ ଧରି ଅପରାହ୍ଣ ୧.୪୦ରେ ପହଞ୍ଚିଥିଲା ଓ ୧.୫୩ ପର୍ଯ୍ୟନ୍ତ ପ୍ରାୟ ୧୩ ମିନିଟ୍ କାଳ ବାବୁନା ଡେମୋ ଦେଖାଇଥିଲା। ବାବୁନା ପ୍ରଦର୍ଶନ କରିଥିବା ଡେମୋ ଅନୁସାରେ ଶୁଭଶ୍ରୀ ଆଜ୍‌ବେଷ୍ଟସ୍‌ ଘରେ ଲୁହା ରେଲିଂରେ ଝୁଲି ପଡ଼ିଥିଲେ। ବେକରେ ଓଢ଼ଣି ବାନ୍ଧି ସେ ଆତ୍ମହତ୍ୟା କରିଥିଲେ। ଏକ ଟେବୁଲ ଉପରେ ଷ୍ଟୁଲ୍‌ ଟିଏ ପକାଇ ସେ ରେଲିଂରେ ବାନ୍ଧି ହୋଇଥିଲେ ଓ ଷ୍ଟୁଲ୍‌କୁ ଗଡ଼ାଇ ଦେଇଥିଲେ। କିଛି ସମୟ ପରେ ବାବୁନା ସେଠା‌ରେ ପହଞ୍ଚିଥିଲା ଓ ପୁଣି ଉକ୍ତ ଷ୍ଟୁଲକୁ ଟେବୁଲ‌ରେ ରଖି ଶୁଭଶ୍ରୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲା। ବେକରୁ ଓଢ଼ଣିର ଗଣ୍ଠି ଫିଟାଇବା ପରେ ସେ ତାଙ୍କୁ ଟେକି ନେଇ କୋଠାଘର ଭିତରକୁ ନେଇଥିଲା ଓ ଖଟ ଉପରେ ‌ଶୁଆଇ ଦେଇଥିଲା। ବଞ୍ଚିଯିବା ଆଶା କରି ସେ ତାଙ୍କ ମୁହଁରେ ପାଣି ଛାଟିଥିଲା। କିନ୍ତୁ ଶୁଭଶ୍ରୀ ହଲଚଲ୍‌ ନହେବାରୁ ସେ ମରିଯାଇଥିବା ନିଶ୍ଚିତ ହୋଇଥିଲା। ତେଣୁ ସେ ଓଢ଼ଣିକୁ ନେଇ ସେଠାରୁ ପଳାଇଥିଲା। ଏସବୁ ଦୃଶ୍ୟକୁ ବାବୁନା ପୁଲିସ ସମ୍ମୁଖରେ ଦେଖାଇଥିଲା।

ସୂଚନାଯୋଗ୍ୟ ଯେ ଏହି ଘଟଣାରେ ପୁଲିସ ପ୍ରାୟ ୧୨ଜଣଙ୍କର ବୟାନ୍ ରେକର୍ଡ କରିଛି। ଶୁଭଶ୍ରୀଙ୍କ ସ୍ବାମୀ, ଟ୍ୟୁସନ୍ ଶିକ୍ଷୟିତ୍ରୀ, ପଡ଼ୋଶୀ, ପୁଅ ଓ ଅନ୍ୟାନ୍ୟ ସଂପର୍କୀୟମାନଙ୍କ ବୟାନ୍ ରେକର୍ଡ କରାଯାଇଛି। ୩୦ ତାରିଖ ରାତିରେ ଅର୍ଥାତ୍ ଶୁଭଶ୍ରୀ ଆତ୍ମହତ୍ୟା କରିଥିବା ରାତିରେ ଯାହା ଯାହା ଘଟିଥିଲା, ସେସବୁ ଅଭିଯୁକ୍ତ ପୁରୁଷବନ୍ଧୁ ବାବୁନା ଓ ଟ୍ୟୁସନ୍‌ ଶିକ୍ଷୟତ୍ରୀଙ୍କ ବୟାନ୍‌ରେ ମେଳ ଖାଇଥିବା ଜଣାପଡ଼ିଛି। ସେହିଭଳି ଶୁଭଶ୍ରୀ ଓ ବାବୁନାର ସମ୍ପର୍କକୁ ନେଇ ଆସିଥିବା ତଥ୍ୟ ବି ରେକର୍ଡ ହୋଇଥିବା ବୟାନ୍‌ରେ ରହିଛି। ତେବେ ପଟିଆସ୍ଥିତ ଏକ ଓୟୋରେ କ’ଣ ସବୁ ଘଟିଥିଲା, ସେବାବଦରେ ପୁଲିସକୁ ସୁରାକ୍ ମିଳିନାହିଁ।

ତେଣୁ ବାବୁନାକୁ ଦିନିକିଆ ରିମାଣ୍ଡରେ ଆଣିବାକୁ ଖାରବେଳନଗର ଥାନା ପୁଲିସ ଯୋଜନା କରିଛି। ରିମାଣ୍ଡ୍‌ରେ ଆଣି ୨୮ତାରିଖ ଦିନ ଓୟୋରେ କ’ଣ ଘଟିଥିଲା ଏବଂ ଆତ୍ମହତ୍ୟା ପାଇଁ ଆଉ କି’ କାରଣ ରହିଛି, ତା’ର ଖୋଳତାଡ଼ କରିବ ଖାରବେଳନଗର ଥାନା ପୁଲିସ। ଉଲ୍ଲେଖଯୋଗ୍ୟ ଯେ ଶୁଭଶ୍ରୀ ଓ ଅନନ୍ତ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ ଏବଂ ସେମାନଙ୍କର ଗୋଟିଏ ୩ ବର୍ଷର ପୁଅ ଅଛି। କିନ୍ତୁ ଏହା ଭିତରେ ଶୁଭଶ୍ରୀ ନିଜ ବାପଘର ତଥା ନୟାଗଡ଼ ଇଟାମାଟି ଅଞ୍ଚଳର ଚିତ୍ତରଞ୍ଜନ ଜେନା ଓରଫ୍ ବାବୁନା ସହ ଅନୈତିକ ସମ୍ପର୍କରେ ଯୋଡ଼ି ହୋଇଯାଇଥିଲେ। ମାତ୍ର ଏହି ଅବୈଧ ସମ୍ପର୍କ‌ରେ ପୁଣି ସନ୍ଦେହ ସୃଷ୍ଟି ହୋଇଥିଲା ଓ ସେମାନଙ୍କ ସମ୍ପର୍କ ବିଗିଡ଼ି ଯାଇଥିଲା। ଶୁଭଶ୍ରୀ ତାଙ୍କ ପୁରୁଷବନ୍ଧୁ ବାବୁନାକୁ ମନାଇବାରେ ବିଫଳ ହେବାରୁ ଶେଷରେ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe